ଧର୍ମଶାଳା,୨୭ ଜୁଲାଇ(ହି.ସ.) - ଯାଜପୁର ଜିଲା ଧର୍ମଶାଳା ଥାନା ଅଂଚଳରେ ଅଘଟଣ । ବ୍ରାହ୍ମଣୀ ନଦୀରେ ବୁଡି ପୂର୍ବତନ ଶିକ୍ଷାବିତ୍ଙ୍କ ପରଲୋକ ଘଟିଛି । ମୃତକ ଜଣକ ହେଲେ ଧର୍ମଶାଳା ବ୍ଲକ ଚହଟା ଗ୍ରାମର ଆଦର୍ଶ ଶିକ୍ଷାବିତ୍ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି(୭୪) ବୋଲି ଜଣାପଡିଛି । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଛି । ସ୍ୱର୍ଗତ ମହାନ୍ତି ଆଜି ସକାଳୁ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିଲେ । ସେଠାରେ ଅସାବଧାନତା ହେତୁ ପାଣିରେ ବୁଡି ଯାଇଥିଲେ । ନିକଟରେ ଥିବା ବ୍ୟକ୍ତି ତାଙ୍କୁ ଦେଖି ପାଣିରୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଂଚଳରେ ଶୋକରଛାୟା ଖେଳି ଯାଇଥିଲା । ସ୍ୱର୍ଗତ ମହାନ୍ତି ଏହି ବ୍ଲକ ଅନ୍ତର୍ଗତ ମିର୍ଜାପୁର ପ୍ରାଥମିକ ବିଦ୍ୟାଳୟରୁ ତାଙ୍କ ଚାକିରୀ କାଳରୁ ଅବସର ନେଇ ଥିଲେ । ତାଙ୍କ ବିୟୋଗରେ ଧର୍ମଶାଳା ଓ ମିର୍ଜାପୁର ଅଂଚଳର ମୁରବୀ,ପୁରାତନ ଛାତ୍ରଙ୍କ ସମେତ ସ୍ଥାନୀୟ ଲୋକ ପ୍ରତିନିଧି ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ