ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) - ଭାରତ ବର୍ଷରେ କିଛି ଅସମ୍ଭବ ନୁହେଁ । ଭାରତ ବର୍ଷରେ ଯେଉଁ ଜ୍ଞାନ ଓ ଅନୁଭବର ଶକ୍ତି ରହିଛି, ତାର ଶତ ପ୍ରତିଶତ ବିନିଯୋଗ ହେବା ଉଚିତ। ଦିନ ପ୍ରତିଦିନର ଶାସନ ସଂପର୍କିତ ବିଷୟଗୁଡିକୁ ସାଧାରଣ ଲୋକଙ୍କ ଭିତରେ ଆଲୋଚନା କରିବା ଉଦ୍ଦେଶ୍ୟରେ ୨୦୧୪ ମସିହାରୁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ ମନ୍ କି ବାତ୍ ବାସ୍ତବରେ ପ୍ରେରଣାଦାୟୀ ଓ ଉତ୍ସାହିତ କାର୍ଯ୍ୟକ୍ରମ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
ମୟୁରଭଞ୍ଜରେ୬୫୦ରୁ ଉର୍ଦ୍ଧ୍ୱ ଆଦିବାସୀ ମହିଳାମାନେ ସାନ୍ଥାଳୀ ଶାଢୀକୁ ପୁଣି ଥରେ ଜୀବନ୍ତ କରିଥିବାର ସଫଳ ଗାଥା ଦେଖିବାକୁ ମିଳିଛି। ଏବେ ଏହି ମହିଳାମାନେ ପ୍ରତି ମାସରେ ହଜାର ହଜାର ଟଙ୍କା ଆୟ କରୁଛନ୍ତି । ସେମାନେ କେବଳ ବସ୍ତ୍ର ବୁଣୁ ନାହାନ୍ତି, ବରଂ ନିଜ ଅସ୍ତିତ୍ୱ ଓ ପରିଚୟକୁ ନୂଆ ଆକାର ଦେଉଛନ୍ତି ବୋଲି ଶ୍ରୀ ମୋଦି ନିଜ ବାର୍ତାରେ କହିଛନ୍ତି । ସେହିପରି କେନ୍ଦୁଝରରେ କୀର୍ତନ ମାଧ୍ୟମରେ ଜଙ୍ଗଲ ଅଗ୍ନିକାଣ୍ଡ ବିଷୟରେ ସଚେତନତା ଭଳି ଅଦ୍ଭୁତ ପଦକ୍ଷେପ ଦେଖାଯାଉଛି । ଭକ୍ତି ସଙ୍ଗୀତ ପରିବେଷଣ କରି ପ୍ରମିଳା ପ୍ରଧାନଙ୍କ ନେତୃତ୍ୱରେ ରାଧାକୃଷ୍ଣ ସଂକୀର୍ତନ ମଣ୍ଡଳୀ ପରିବେଶ ସୁରକ୍ଷାର ବାର୍ତା ପ୍ରଦାନ କରୁଛନ୍ତି । ଜଙ୍ଗଲ ଅଗ୍ନିକାଣ୍ଡର ଭୟାଭୟତା ସଂପର୍କରେ ଓ ଜଙ୍ଗଲ ପରିବେଶ ସୁରକ୍ଷା ପାଇଁ ଗାଁ ଗାଁ ବୁଲି ପାରଂପାରିକ ଗୀତଗୁଡିକୁ ନୂତନ ଶବ୍ଦ ଓ ବାର୍ତା ସହିତ କୀର୍ତନ ଜରିଆରେ ଲୋକଙ୍କୁ ବୁଝାଉଛନ୍ତି । ପାରପାଂରିକ ଲୋକ କଳାକୃତି କେବଳ ଅତୀତର ଅଂଶ ନୁହେଁ, ବରଂ ସମାଜକୁ ଏକ ନୂତନ ଦିଗ ଦେବାର ଶକ୍ତି ରଖିଛି । ଏଥି ସହ କ୍ରୀଡା, ମହାକାଶ ବିଜ୍ଞାନ, ଚାଷ ଆଦି କ୍ଷେତ୍ରରେ ରହିଥିବା ଭାରତ ବର୍ଷର ସମ୍ଭାବନାକୁ ମଧ୍ୟ ଦୋହରାଇଛନ୍ତି । ଏହା ନିଶ୍ଚିତ ଭାବେ ‘ବିକଶିତ ଓଡିଶା, ବିକଶିତ ଭାରତ’ ଗଠନ ଦିଗରେ ପାହାଚ ସଦୃଶ ବୋଲି ଶ୍ରୀ ସାମଲ କହିଛନ୍ତି ।
ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରବିବାର ଏକାମ୍ର ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଲାଶପଲ୍ଲୀସ୍ଥିତ ୧୧୪ ନମ୍ବର ବୁଥରେ ସ୍ଥାନୀୟ କାର୍ଯ୍ୟକର୍ତା ଏବଂ ବାସିନ୍ଦାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ସେହିପରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମଂଚେଶ୍ୱର ଶିଳ୍ପାଂଚଳସ୍ଥିତ ୧୮୯ ନମ୍ବର ବୁଥରେ ସ୍ଥାନୀୟ କାର୍ଯ୍ୟକର୍ତା ଏବଂ ବାସିନ୍ଦାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଉତ୍ତର ଭୁବନେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀର ଶୈଳଶ୍ରୀ ବିହାରସ୍ଥିତ ୬୭ ନମ୍ବର ବୁଥରେ ସ୍ଥାନୀୟ କାର୍ଯ୍ୟକର୍ତା ଏବଂ ବାସିନ୍ଦାଙ୍କ ଗହଣରେ ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ । ସେହିଭଳି ଅଜି ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରମୁଖ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ ନିଜ ନିଜ ବୁଥରେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା