ଆଖୁଆପଦାରେ କମୁଛି ବୈତରଣୀ ନଦୀ ଜଳସ୍ତର
ଭୁବନେଶ୍ୱର, ୨୭ ଜୁଲାଇ (ହି.ସ.) -ଗତକାଲି ରାଜ୍ୟର କୌଣସି ଅଂଚଳରେ ୫୦ ମିମିରୁ ଅଧିକ ବର୍ଷା ହୋଇନଥିବାରୁ ଆଗକୁ ଜଳସ୍ତର କମିବା ନେଇ ସୂଚନା ଦେଇଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ।
ସେ କହିଛନ୍ତି, ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଥିବାରୁ ବାଲେଶ୍ୱରରେ ବନ୍ୟା ସ୍ଥିତି ଦେଖା ଦେଇପାରେ। ଭୋଗରାଇ,ବାଲିଆପାଳ, ବସ୍ତା, ଜଳେଶ୍ୱର ବ୍ଲକ ପ୍ରଭାବିତ ହେବ। ତେବେ ଆଖୁଆପଦାରେ ବୈତରଣୀ ନଦୀ ଜଳସ୍ତର କ୍ରମଶଃ ହ୍ରାସ ପାଉଛି। ଖୁବଶୀଘ୍ର ବିପଦ ସଙ୍କେତ ତଳକୁ ଖସିବ ବୈତରଣୀ ଜଳସ୍ତର। ଏହାସହ ସେ କହିଛନ୍ତି ହୀରାକୁଦ ଜଳସ୍ତର ୬୧୪ ଫୁଟ ରହିଛି, ୨୦ଟି ଗେଟ୍ ଖୋଲା ଅଛି। ବର୍ତ୍ତମାନ ୫ ଲକ୍ଷ ୧୭ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୩ ଲକ୍ଷ ୪୧ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି। ଆଗକୁ ଇନ୍ ଫ୍ଲୋ କମିଲେ ପର୍ଯ୍ୟାୟ କ୍ରମେ ହୀରାକୁଦ ଗେଟ୍ ବନ୍ଦ କରାଯିବ। ରେଙ୍ଗାଲିର ୩ଟି ଗେଟ୍ ଖୋଲାଅଛି, ଆଉ ଗେଟ୍ ଖୋଲିବାର ସମ୍ଭାବନା ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।
ବୈତରଣୀନଦୀର ଆନନ୍ଦପୁର ଠାରେ ଜଳସ୍ତର ୩୫ . ୭୮ ମିଟର ରହିଥିଲା ଏବଂ ଏହା ହ୍ରାସ ପାଉଛି । ଏଠାରେ ବିପଦ ସଂକେତ ସ୍ତର ୩୮.୩୬ ମିଟର। ସେହିପରି, ଆଖୁଆପଦା ଠାରେ ଜଳସ୍ତର୧୮. ୫୪ମିଟର ରହିଛି ଓ ଏହା ହ୍ରାସ ପାଉଥିବା ସ୍ଥିତିରେ ଅଛି। ଏଠାରେ ବିପଦ ସଂକେତ ସ୍ତର୧୮. ୩୩ ମିଟର।ଜଳକା ନଦୀରେ ମଥାନୀଠାରେ ଜଳସ୍ତର ୬.୬୭ ମିଟରରେ ରହିଥିଲା ଓ ଏଠାରେ ଜଳପ୍ରବାହ କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି । ଏଠାରେ ବିପଦ ସଂକେତ ସ୍ତର୬.୫୦ ମିଟର। ସୁବର୍ଣ୍ଣରେଖା ନଦୀର ଜାମଶୋଳା ଘାଟଠାରେ ଜଳସ୍ତର ୫୧.୬ମିଟର ରହିଛି ଓ ଏଠାରେ ଜଳପ୍ରବାହ ହ୍ରାସ ପାଉଥିବା ଜଣାଯାଉଛି ।ଏଠାରେ ବିପଦ ସଂକେତ ସ୍ତର ୪୯. ୧୬ମିଟର।ସେହିପରି ରାଜଘାଟ ଠାରେ ଜଳସ୍ତର୧୦.୨୦ମିଟର ରହିଛି ଓ ଏହାବୃଦ୍ଧି ପାଉଥିବା ଲକ୍ଷ୍ୟକରାଯାଉଛି।ଏହାର, ବିପଦ ସଂକେତ ସ୍ତର ୧୦. ୩୬ମିଟର।ଏହି ପରିପ୍ରେକ୍ଷୀରେ ୨୭.୦୭.୨୦୨୫ ରାତି ୯ ଟା ସୁଦ୍ଧା ସୁବର୍ଣ୍ଣରେଖା ନଦୀରେ ସର୍ବୋଚ୍ଚ ଜଳସ୍ତର ୧୧ . ୪୦ ମିଟର ପର୍ଯ୍ୟନ୍ତ ବୃଦ୍ଧି ପାଇପାର ଆକଳନ କରାଯାଇଛି।
ଜଳସମ୍ପଦ ବିଭାଗର ରାଜ୍ୟ ବନ୍ୟା ନିୟନ୍ତ୍ରଣ କକ୍ଷ ଚବିଶ ଘଂଟିଆ କାର୍ଯ୍ୟରତ ଅଛି ଓ ସ୍ଥିତି ଉପରେ ନିକଟରୁ ନିରୀକ୍ଷ ଣକରାଯାଉଛି। ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ପାଳମାନଙ୍କୁ ଯେଉଁଠି ଆବଶ୍ୟକ,ସ୍ଥାନୀୟ ବନ୍ୟା ସ୍ଥିତିକୁ ଦେଖି ତଳିଆ ଅଂଚଳର ଲୋକମାନଙ୍କୁ ଶୀଘ୍ର ନିରାପଦ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତରଣ ଓ ରିଲିଫ କାର୍ଯ୍ୟ ପରିଚାଳନା କରିବାକୁ ସତର୍କ କରାଯାଇଛି। ମୁଖ୍ୟଯନ୍ତ୍ରୀ ତଥା ଅବବାହିକା ପରିଚାଳକ (ଚିଫ୍ ଇଞ୍ଜିନିୟର ତଥା ବେସିନ ମ୍ୟାନେଜର)- ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ବେସିନ୍), ମହାନଦୀ-ବ୍ରାହ୍ମଣୀ-ବୈତରଣୀ ସିଷ୍ଟମର ଚିଫ୍ ଇଞ୍ଜିନିୟର ତଥା ବେସିନ୍ମ୍ୟାନେଜର, ମୁଖ୍ୟଯନ୍ତ୍ରୀ ଓ ବେସିନ୍ମ୍ୟାନେଜର ,ବୈତରଣୀ ବେସିନ୍ କ୍ଷେତ୍ର ସ୍ତରରେ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟା ସ୍ଥିତି ତଦାରଖ କରୁଛନ୍ତି। ସୁବର୍ଣ୍ଣରେଖା ଓ ବୈତରଣୀରେ ଜଳସ୍ତର ବୃଦ୍ଧି ପାଉଥିବାକୁ ଦୃଷ୍ଟିରେ ରଖି ଜଳସମ୍ପଦ ବିଭାଗର ଦୁଇଜଣ ସର୍ବୋଚ୍ଚଯନ୍ତ୍ରୀ ଭୁବନେଶ୍ୱରରୁ ସୁବର୍ଣ୍ଣରେଖା ବେସିନ୍ ଓ ବୈତରଣୀ ବେସିନକୁ ଯାଇଛନ୍ତି।ସେମାନେ ସଂପୃକ୍ତ ବେସିନ ଗୁଡ଼ିକରେ ବନ୍ୟା ପରିଚାଳନା କରୁଛନ୍ତି।
ଭଦ୍ରକରେ, ମନ୍ତ୍ରୀ, ଉଚ୍ଚଶିକ୍ଷା ବିଭିନ୍ନ ଅଂଚଳରେ ବୈତରଣୀ ବାମତଟ ନଦୀ ବନ୍ଧ ନିରୀକ୍ଷଣ କରି ସ୍ଥିତି ଅନୁଧ୍ୟାନ କରିଥିଲେ । ଜିଲ୍ଲାପାଳ, ଭଦ୍ରକଏବଂଅରିରିକ୍ତ ମୁଖ୍ୟଯନ୍ତ୍ରୀ ସେମାନଙ୍କ ସହିତ ଥିଲେ । ବାଲେଶ୍ୱରରେ, ସର୍ବୋଚ୍ଚ ଯନ୍ତ୍ରୀ, ମନିଟରିଂ(ତଦାରଖ), ଜଳକାନଦୀରମଥାନୀ, ମାଟିଆସୋଲ ଏବଂ ବୁଢାବଳଙ୍ଗ ନଦୀର ଫୁଲାଡ଼ି ଠାରେ ଜଳସ୍ତର ନିରୀକ୍ଷଣ କରିବା ସହିତ ଅନ୍ୟ ବିଭିନ୍ନ ସ୍ଥାନ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୟୂରଭଞ୍ଜରେ ବୋଧି ଅଂଚଳରେ ଥିବା ଜମ୍ଭିରା ନଦୀର ଦକ୍ଷିଣ ପାର୍ଶ୍ୱରେ ଏକ ଘାଇ ସୃଷ୍ଟି ହୋଇଥିଲା, ଯାହାକୁ ବାଲି ବସ୍ତା ପକାଇ ବନ୍ଦ କରାଯାଇଛି । ସୁବର୍ଣ୍ଣରେଖା ନଦୀରେ ଜଳ ପ୍ରହାହ ବୃଦ୍ଧି ପାଉଥିବାରୁ ସାରସକଣା ବ୍ଲକର ନେଡ଼ାକୁ ଯିବା ରାସ୍ତା ଉପରେ ପାଣିଚାଲୁଛି ।
ଜିଲ୍ଲାପାଳ, ଯାଜପୁର ଏବଂ ସର୍ବୋଚ୍ଚ ଯନ୍ତ୍ରୀ, ଯୋଜନା ଓ ପରିକଳ୍ପନା ବୈତରଣୀ ନଦୀର ସମ୍ବେଦନଶୀଳ ଦଶରଥପୁର ବ୍ଲକର ନୂଆପାଟଣା ଅଂଚଳର ବିଭିନ୍ନ ସ୍ଥାନରେ ନଦୀ ବନ୍ଧ ପରିଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନ ତରଫରୁ ତଳିଆ ଅଂଚଳର ଲୋକମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ଜଳ ସଂପଦ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ବିଭିନ୍ନ ସ୍ତରରେ ପରସ୍ପର ସହଯୋଗ ଏବଂ ସଂପୃକ୍ତ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରଖି ବନ୍ୟା ପରିଚାଳନା କାର୍ଯ୍ୟ ଜାରି ରଖିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା