କୋରେଇ, ୨୯ ଜୁଲାଇ (ହି.ସ.) - କୋରେଇ ବ୍ଲକ ଅନ୍ତର୍ଗତ ବରୁଣ୍ଡାଇ ଠାରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଂଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର ଭାବେ କରିବାକୁ ଅଂଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି । ପ୍ରକାଶଯେ ବରୁଣ୍ଡାଇ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଅମୃତିଆ, ବନ୍ଦାଳୋ, ମକୁନ୍ଦପୁର, ବରୁଣ୍ଡାଇ, ତାରାକୋଟ, ଗୌରପୁର, ରଣପୁର ସମେତ ଭଦ୍ରକ ଜିଲ୍ଲା ଓ କେଉଁଝର ଜିଲ୍ଲା ଜିଲ୍ଲାର ଆଂଶିକ ଲୋକ ଏହା ଉପରେ ନିର୍ଭର କରନ୍ତି । ହେଲେ ନାନା ସମସ୍ୟା ଭିତରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ନିର୍ଭର କରୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଏବେ ଅସ୍ୱାସ୍ଥ୍ୟକର ପରିବଶେରେ ଗତି କରୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରର ପାଚେରୀ ନଥିବାରୁ ପଶୁମାନଙ୍କ ଦୌରାମ୍ୟ ସମେତ ଅସାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ପାଲଟିଛି । ଡାକ୍ତରମାନଙ୍କ ରହିବା ପାଇଁ କ୍ୱାଟର ଅଭାବ ରହିଛି । ଏମିତିକି ଅନେକ ସମସ୍ୟାରେ ଥିବା ବେଳେ ଏହା ଉପରେ ନିର୍ଭର କରୁଥିବା ଅଂଚଳବାସୀ ୨୪ ଘଂଟିଆ ସେବା ପାଇବାରୁ ବଂଚିତ ହେଉଛନ୍ତି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଂଚଳିକ ହସ୍ପଟିଲା କରିବାକୁ ଦାବି ହୋଇଛି । ଆଂଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର କଲେ ସ୍ଥାନୀୟ ଅଧିବାସୀ ୨୪ଘଂଟିଆ ସେବା ପାଇବା ସହ ସେମାନଙ୍କ ସମସ୍ୟା ଦୂର ହେବ । ଏନେଇ ଅଂଚଳବାସୀଙ୍କ ପକ୍ଷରୁ ବିଧାୟକ, ଜିଲ୍ଲାପାଳ, ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ପାଖକୁ ଲିଖିତ ଭାବେ ଜଣାଯାଇଛି । ତେଣୁ ବରୁଣ୍ଡେଇ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଂଚଳିକ ସ୍ୱାସ୍ଥ୍ୟ କେନ୍ଦ୍ର କରାଇବା ଦିଗରେ ସରକାର ପଦକ୍ଷେପ ନେବା ସହ ବିଧାୟକ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ