Bhubaneswar, 29 ଜୁଲାଇ (ହି.ସ.)
ଶିକ୍ଷାଧିକାରୀଙ୍କ ଅନିୟମିତତା ନେଇ ବିକ୍ଷୋଭ କରିବ ଭଞ୍ଜସେନା
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି
ବାରିପଦା- ହିସ(୨୮/୦୭):-ମୟୂରଭଞ୍ଜ ଜିଲ୍ଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠିଙ୍କ ଦ୍ଵାରା ଶିକ୍ଷା ବିଭାଗରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଦାବି କରି ଭଞ୍ଜସେନା ବିକ୍ଷୋଭ କରାଯିବ। ଜିଲ୍ଲା ଶିକ୍ଷାଧିକାରୀ ନିଜ ପଦର ଦୁରୂପଯୋଗ କରି ପ୍ରାୟ ୧୪୦ଜଣ ଶିକ୍ଷକ/ଶିକ୍ଷୟତ୍ରୀଙ୍କୁ ବାରିପଦା ଓ ଆଖପାଖି ସ୍କୁଲରେ ଡେପୁଟେସନ ଆଣି ରଖିଛନ୍ତି। ଜିଲ୍ଲା ମଧ୍ୟାହ୍ନ ଭୋଜନର ନୋଡାଲ ଅଫିସର ଦାୟିତ୍ୱରେ ଥିବା ଜିଲ୍ଲା ଶିକ୍ଷାଧିକାରୀ ଜିଲ୍ଲାରେ ହେଉଥିବା ମଧ୍ୟାହ୍ନ ଭୋଜନ ହରିଲୁଟରେ ଯୋଗାଣକାରୀଙ୍କ ସହିତ ସଂମ୍ପୂର୍ଣ ଭାବେ ସାମିଲ ରହିଛନ୍ତି। ପେନସନ ପାଇବାର ହକଦାର ଥିବା ପୂର୍ବତନ ଶିକ୍ଷକ ମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ ମଧ୍ୟ କରୁଛନ୍ତି। ବିଭିନ୍ନ ଦୁର୍ନୀତିରେ ଛନ୍ଦିହୋଇ ପଡିଥିବା ଶୁଳିଆପଦା ବିଇଓଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ବହୁବାର ସୁରକ୍ଷା ଦେବା ସହ ଅନେକ କାର୍ଯ୍ୟକଳାପରେ ଜଡିତ ରହିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଯାହା ଦ୍ଵାରା ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ସଂମ୍ପୂର୍ଣ୍ଣ ଭାବେ ଭୁଷୁଡ଼ିପଡ଼ିଛି। ଏହାର ସମାଧାନ ପାଇଁ ଭଞ୍ଜସେନା ପକ୍ଷରୁ ଅନେକ ଥର ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ତାଙ୍କ କାର୍ଯ୍ୟକାଳ ସମୟର ଏକ ଉଚ୍ଚସ୍ତରୀୟ ତଦନ୍ତ ସମେତ ନୂତନ ଶିକ୍ଷାଧିକାରୀ ନିଯୁକ୍ତି କରିବାକୁ ଦାବି ହୋଇଥିଲା। ଏନେଇ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ, ରାଜ୍ଯ ଶିକ୍ଷା ବିଭାଗ, ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ। କିନ୍ତୁ କୋଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ। ତେଣୁକରି ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟ ସରକାର ଅନିୟମିତତା ନେଇ ଏକ ଉଚ୍ଚସ୍ତରୀୟ ତଦନ୍ତ ଓ ନୂତନ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ପ୍ରଦାନ ନ କରନ୍ତି। ତେବେ ଭଞ୍ଜସେନା ପକ୍ଷରୁ ଅଗଷ୍ଟ ୧ ତାରିଖରେ ଜିଲ୍ଲା ଶିକ୍ଷାଧିକାରୀଙ୍କର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଜ୍ଯୋତିରଞ୍ଜନ ପୃଷ୍ଟି ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ