ଜୟପୁର, ୨୯ ଜୁଲାଇ (ହି.ସ.)-
ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଛାତ୍ରଛାତ୍ରୀଙ୍କୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରତିଷ୍ଠାନ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି। ଏନେଇ ମଙ୍ଗବାର ଅନୁଷ୍ଠାନରେ ଘଟଣାର ସମାଧାନ ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଛି, ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷିକା ଜଣକ ମାନସିକ ନିର୍ଯାତନା ଦେବା ସହ ମାର୍କ କାଟିବା, ଭବିଷ୍ୟତ ନଷ୍ଟ କରିଦେବାର ଧମକ ଦେଉଥିବା କହିଛନ୍ତି ଛାତ୍ରଛାତ୍ରୀ। ପ୍ରଥମେ ଅଧ୍ୟକ୍ଷଙ୍କୁ ଅବଗତ କରିବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନାତ୍ମକ ପନ୍ଥା ଆପଣେଇବା ସହ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି।
ପ୍ରତିଷ୍ଠାନର ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷଣ ଶିକ୍ଷାଦାନ ଓ ପାଠ୍ୟ ଯୋଜନା ପରିଚାଳନା ବିଷୟର ପଢ଼ାଉଥିବା ଶିକ୍ଷକ ପ୍ରଶିକ୍ଷିକା ସ୍ବାତୀ ସୁଚିସ୍ମିତା ପାତ୍ର ମାନସିକ ନିର୍ଯାତନା ଦେଉଥିବା ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଶିକ୍ଷକ ପ୍ରଶିକ୍ଷିକା ଜଣକ ବାରମ୍ବାର କଠୋର ଓ ଅସମ୍ମାନଜନକ ଭାଷାରେ ଛାତ୍ରଛାତ୍ରୀଙ୍କ ସହ କଥା ହେଉଥିବା ଅଭିଯୋଗପତ୍ରରେ ଉଲ୍ଲେଖ ରହିଛି। ସେହିପରି ସର୍ବସାଧାରଣରେ ଅନ୍ୟ ଶିକ୍ଷକ, ଅଭିଭାବକଙ୍କ ସମ୍ମୁଖରେ ଛାତ୍ରଛାତ୍ରୀଙ୍କୁ ଅପମାନିତ କରୁଥିବା, ଶୈକ୍ଷିକ କାର୍ଯ୍ୟକଳାପ, ଅଭ୍ୟନ୍ତରୀଣ ମୂଲ୍ୟାଙ୍କନରେ ପକ୍ଷପାତିତା କରିବା, ପରୀକ୍ଷା ଫର୍ମ ଫିଲପ୍ କରାଇଦେବିନି ବୋଲି ଧମକ ଦେବା, ଅଫିସିଆଲ ୱାଟସଆପ୍ ଗ୍ରୁପ୍ରେ ନକରି ନିଜେ ତିଆରି କରିଥିବା ଅନ୍ଅଫିସିଆଲ ୱାଟସଆପ ଗ୍ରୁପ କରି ଛାତ୍ରଛାତ୍ରୀଙ୍କୁ ଅଧରାତିରେ ମେସେଜ କରିବା, କ୍ଲାସ ସମୟରେ ବ୍ୟକ୍ତିଗତ କାମ କରିବାକୁ ବାଧ୍ୟ କରୁଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ଏଥିସହ ଗରିବ ଛାତ୍ରଙ୍କୁ ସମ୍ବଳ ନାହିଁ ତ କାହିଁ ଅନୁଷ୍ଠାନରେ ନାଁ ଲେଖାଇଲ ଭଳି ଆକ୍ଷେପ କରିଥିବା ଛାତ୍ର ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ନକରାଗଲେ ପ୍ରଥମେ ଆମେ ମାନବଧିକାର କମିଶନ ପାଖକୁ ଯିବୁ, ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବୁ, ଜିଲ୍ଲାପାଳ, ଶିକ୍ଷା ମନ୍ତ୍ରୀଙ୍କୁ ଜଣାଇବୁ ସମସ୍ୟାର ସମାଧାନ ନହେଲେ ଆତ୍ମହୁତି ଦେବୁ ବୋଲି ଧମକ ଦେଇଛନ୍ତି।
ସମସ୍ୟାର ସମାଧାନ ପାଇଁ ଅଧ୍ୟକ୍ଷ ଶ୍ରୀ ସୋରେନ ସମ୍ପୃକ୍ତ ପ୍ରଶିକ୍ଷକାଙ୍କୁ ଡକାଇବାରୁ ଆସି କହିଥିଲେ ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ମୋର କଥା ରଖିବନି । ଏଥିସହ ମୋ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଆମେ ସ୍ବାମୀସ୍ତ୍ରୀ ଆତ୍ମହତ୍ୟା କରିବୁ ବୋଲି ଅଧ୍ୟକ୍ଷଙ୍କୁ ଧମକ ଦେଇଥିଲେ। ତାପରେ ଘରକୁ ଯାଇଥିଲେ। ଅଧ୍ୟକ୍ଷ ଦୁଇଥର ଫୋନ କରିବାରୁ ଫୋନକୁ ଉଠାଇ ନଥିଲେ। କେବଳ ଏହି ବର୍ଷ ନୁହେଁ ପୂର୍ବରୁ ମଧ୍ୟ ପ୍ରଶିକ୍ଷକାଙ୍କ ବିରୋଧରେ ଲମ୍ବା ଅଭିଯୋଗ ଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ପ୍ରଥମ ବର୍ଷର ୯୫ ଛାତ୍ରଛାତ୍ରୀ, ଦ୍ବିତୀୟ ବର୍ଷର ୭୭ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ପୃକ୍ତ ପ୍ରଶିକ୍ଷକା ବାରମ୍ବାର ନିର୍ଯାତିତ କରିବା ସହ ତାଙ୍କ ସ୍ବର ଉତ୍ତୋଳନ କଲେ ନିଜର କ୍ଷମତା ଥିବା କହି ଧମକାଉଛନ୍ତି। ଏପରିକି ସେ ଚାହିଁଲେ ଗୋଟିଏ ଦିନ ମଧ୍ୟରେ ବଦଳି ହୋଇ ଅନ୍ୟତ୍ର ଚାଲିଯାଇପାରିବି ବୋଲି ଅଭିଯୋଗ ହୋଇଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି