ଭଦ୍ରକ, ୨୯ ଜୁଲାଇ (ହି.ସ.) - ଭଦ୍ରକ ଜିଲା ତିହିଡ଼ି ଥାନା ନୂଆନନ୍ଦ ପଂଚାୟତ ଅଧୀନ ହାଟୁଆରି ପ୍ରାଥମିକ ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର-୨ରୁ ସୋମବାର ରାତିରେ ଚୋରି ହୋଇ ଯାଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ପୁଲିସ ଏକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛି। ପ୍ରଧାନ ଶିକ୍ଷକ ସେକ୍ ଫଜଲୁର ରହେମାନ ଓ ଅଙ୍ଗନୱାଡ଼ି କର୍ମୀ ରଶ୍ମିତା ଦାସଙ୍କ ଅଭିଯୋଗରୁ ପ୍ରକାଶ ଯେ, ସ୍କୁଲ ପରିସରରେ ଅଙ୍ଗନୱାଡ଼ି କେନ୍ଦ୍ର ରହିଛି। ସୋମବାର ସ୍କୁଲ ଛୁଟି ହେବା ପରେ ଅପରାହ୍ନ ୫ଟା ବେଳେ ସ୍କୁଲ ଓ ଗେଟ୍ରେ ତାଲା ପକାଇ ଯାଇଥିଲେ। ମଙ୍ଗଳବାର ସ୍କୁଲ ଗେଟ୍ ଖୋଲିବା ପରେ ସ୍କୁଲ କାର୍ଯ୍ୟାଳୟ ଓ ଅଙ୍ଗନୱାଡ଼ି କେନ୍ଦ୍ରର ତାଲା ଭଙ୍ଗାଯାଇଥିବା ଦେଖିଥିଲେ। ପରେ ପ୍ରଧାନ ଶିକ୍ଷକ ସ୍କୁଲ କମିଟି କର୍ମକର୍ତା ଓ ଗ୍ରାମବାସୀଙ୍କୁ ଚୋରି ସମ୍ପର୍କରେ ଜଣାଇଥିଲେ। ସ୍କୁଲ କମିଟି କର୍ମକର୍ତା ଓ ଗ୍ରାମବାସୀ ସ୍କୁଲରେ ପହଂଚି ଦେଖିଥିଲେ ଯେ ସ୍କୁଲରେ ଥିବା ପାଣି ମୋଟର ଓ ଆକ୍ୱାଗାର୍ଡ଼ ଏବଂ ଅଙ୍ଗନୱାଡ଼ି କେନ୍ଦ୍ରରୁ ୨ଟି ଗ୍ୟାସ୍ ଟାଙ୍କି ଓ ତାଲା ଚୋରି ହୋଇଛି। ମଙ୍ଗଳବାର ତିହିଡ଼ି ଥାନା ଏସଆଇ ଅସ୍ମିତା ପ୍ରଧାନ ଓ ଏଏସଆଇ ଲକ୍ଷ୍ମଣ ଟୁଡୁ ସ୍କୁଲରେ ପହଂଚି ଘଟଣାର ତଦନ୍ତ କରିଥିବା ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ