ବାରିପଦା, ୨୯ ଜୁଲାଇ (ହି.ସ.) - ବାରିପଦା ସହର ଓ ଆଖପାଖ ଅଂଚଳର ମନ୍ଦିରରୁ ଚୋରୀ କରୁଥିବା ଗ୍ୟାଙ୍ଗକୁ ଧରିବାରେ ବାରିପଦା ସଦର ଥାନା ପୁଲିସ ସଫଳ ହୋଇଛି। ଚୋର ଓ ଚୋରୀ ସାମଗ୍ରୀ କ୍ରେତାକୁ ମିଶାଇ ସମୁଦାୟ ୬ଜଣ ଅଭିଯୁକ୍ତ ଗିରଫ ସହ ଚୋରୀ ହୋଇଥିବା ସୁନା ଓ ରୁପା ଅଳଙ୍କାର, ୩ଟି ବାଇକ, ୫ଟି ମୋବାଇଲ ଫୋନ ଓ ୨୦,୦୦୦ଟଙ୍କା ଜବତ କରାଯାଇଛି। ଏନେଇ ମଙ୍ଗଳବାର ବାରିପଦା ସଦର ଥାନା ପରିସରରେ ଆହୁତ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦୀପକ କୁମାର ଗୋଛାୟତ ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି। ଗିରଫ ଅଭିଯୁକ୍ତ ମାନେ ହେଲେ ବୈଶିଙ୍ଗା ଥାନା ଅନ୍ତର୍ଗତ ଗୋବିନ୍ଦରାୟପୁର ଗ୍ରାମର ଅନସର ଖାଁ (୨୨), ନଜିମ ଖାଁ (୨୨), ସେକ ସୁଲତାନ (୨୧), ନୁର ହୁସେନ (୨୨) ଓ କ୍ରେତା ଦ୍ୱୟ ହେଲେ ଉକ୍ତ ଗ୍ରାମର ସେକ ଆଜାଦ (୨୯) ଓ ବାଲେଶ୍ୱର ଟାଉନ ଥାନା ଅନ୍ତର୍ଗତ ସୁନହଟ ଅଂଚଳର ସେକ ଇମ୍ରାନ ଖାଁ (୨୩)। ବାରିପଦା ସଦର ଥାନା ଅଂଳରେ ବାରମ୍ବାର ମନ୍ଦିର, ଘରୁ ଓ କାର୍ଯ୍ୟାଳୟରୁ ଚୋରି ନେଇ ଅଭିଯୋଗ ହେଉଥିଲା। ଗତ ଜୁନ ୨୫ତାରିଖ ବିଳମ୍ବିତ ରାତିରେ ବାଙ୍କୀଷୋଳ ଗ୍ରାମ ପଂଚାୟତ କାର୍ଯ୍ୟାଳୟରୁ ଚୋରି ହୋଇଥିଲା। ପଂଚାୟତ କାର୍ଯ୍ୟାଳୟର ତାଲା ଭାଙ୍ଗି କମ୍ପ୍ୟୁଟର, ଲ୍ୟାପଟପ, ଇନଭଟର, ବ୍ୟାଟେରୀ ଆଦି ୧୨ଲକ୍ଷ ଟଙ୍କାର ଆସବାବ ସାମଗ୍ରୀ ଚୋରି ନେଇ ସରପଞ୍ଚ ଫୁଲମଣି ମାର୍ଣ୍ଡି ଲିଖିତ ଅଭିଯୋଗ କରିଥିଲେ। ସେହିପରି ତହିଁ ପରଦିନ ବିଳମ୍ବିତ ରାତିରେ ଦେବାଳୟକୁ ନଜର କରି ମଞ୍ଚାବନ୍ଧା ସ୍ଥିତ ଗଣେଶ ମନ୍ଦିରରୁ ୧୨ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି ହୋଇଥିଲା। ଏନେଇ ସହରସାହି ଅଂଚଳର ଦୀପକ କୁମାର ଅଗ୍ରୱାଲ ବାରିପଦା ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ମଂଚାବନ୍ଧାରେ ଜାତୀୟ ରାଜପଥ କଡ଼କୁ ତାଙ୍କ ଗୋଦାମ ଗୃହକୁ ଲାଗି ଗଣେଶ ମନ୍ଦିର ରହିଛି। ଦୁର୍ବୁତ ମାନେ ବିଳମ୍ବିତ ରାତିରେ ଜନଶୂନ୍ୟତାର ସୁଯୋଗ ନେଇ ମନ୍ଦିରରେ କଳାକନା ବୁଲେଇଥିଲେ। ଦୁଇଟି ନିୟମିତ ବଡ଼ ଧରଣ ଚୋରି ଅଭିଯୋଗକ୍ରମେ ସଦର ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନାଙ୍କ ନେତୃତ୍ୱରେ ଏସଆଇ ଅଜୟ କୁମାର ଜେନା ତଦନ୍ତ ଆରମ୍ଭ କରିଥିଲେ। ସ୍ଥାନୀୟ ଅଂଚଳର ସିସି ଟିଭିକୁ ଭିଡିଓକୁ ଆଧାର କରି ଯାଂଚ କରି ଗ୍ୟାଙ୍ଗକୁ ଧରିଛନ୍ତି। ଅଭିଯୁକ୍ତକୁ ଗିରଫ କରିବା ସହ ସାମଗ୍ରୀ କ୍ରେତାଙ୍କୁ ଧରିଥିଲେ। ତାଙ୍କ ପାଖରୁ ସୁନା ଓ ରୁପା ଅଳଙ୍କାର ସମେତ କିଛି ତରଲା ସୁନା ଓ ରୁପା ଜବତ କରାଯାଇଛି। ଏହାସହିତ କାର୍ଯ୍ୟାଳୟରୁ ଚୋରି ସାମଗ୍ରୀ ଗୁଡ଼ିକ ମଧ୍ୟ ଜବତ ହୋଇଛି। ପୁଲିସ ଅଧିକ ପଚରା ଉଚରା କରିବାରୁ ସେମାନେ ପୂର୍ବରୁ ବିଭିନ୍ନ ଥାନା ଅଂଚଳରେ ଚୋରିରେ ସାମିଲ ଥିବା ନେଇ ଜଣାପଡ଼ିଛି। ଭଞ୍ଜପୁର ଥାନା ଅନ୍ତର୍ଗତ ୱାଲିଗଞ୍ଜ ସ୍ଥିତ ଶ୍ରୀ ଶନିଶ୍ଚର ମହାଗ୍ରହ ପୀଠ ହୁଣ୍ଡିରୁ ଚୋରି, ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଦେବଶୂଳ ଶିବ ମନ୍ଦିର, ଉଦଳା ଥାନା ଅନ୍ତର୍ଗତ ଦୁଗଧା ତାରିଣୀ ମନ୍ଦିର ଓ ଖୁଂଟା ଥାନା ଅନ୍ତର୍ଗତ କନକ ଦୁର୍ଗା ମନ୍ଦିରରୁ ଚୋରିରେ ସମ୍ପୃକ୍ତ ରହିଛନ୍ତି। ପୁଲିସ ସମସ୍ତ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏହାସହିତ ଅଧିକ ତଦନ୍ତ ଜାରି ଥିବା ନେଇ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ