ମୁଖୀଗୁଡା, ୨୯ ଜୁଲାଇ (ହି.ସ)- ବିଶାଖାପାଟଣା ବସରେ ଗଞ୍ଜେଇ ଚାଲାଣ କରୁଥିବା ୨ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଗତକାଲି ସନ୍ଧ୍ୟାରେ ଭବାନୀପାଟଣା ମୁଖୀଗୁଡା ଲଡୁଗାଁ ଭାୟା ବିଶାଖାପାଟଣା ବସ ନମ୍ବର ଓଡି 0୮ଆର ୧୯୫୨ରେ ଗଞ୍ଜେଇ ଚାଲାଣ ହେଉଥିବା ଅବକାରୀ ବିଭାଗ ଖବର ପାଇଥିଲା। ଏ ନେଇ ଜୟପାଟଣା ରାଜବାଟି ଛକ ନିକଟରେ ବସ ଆସିବା ପୂର୍ବରୁ ଛପିରହିଥିଲେ ଜୟପାଟଣା ଅବକାରୀ ସବ ଇନ୍ସପେକ୍ଟର ନରେନ୍ଦ୍ର ମିଞ୍ଜ,ବଳଭଦ୍ର ପାତ୍ର, ନିରଞ୍ଜନ ବେହେରା । ବସ ଟି ମୁଖୀଗୁଡା ପଟୁ ଜୟପାଟଣା ଆସୁଥିବା ବେଳେ ରାଜବାଟି ଛକରେ ତଲାସୀ କରାଯାଇଥିଲା। ତଲାସୀ ବେଳେ ଦୁଇ ଜଣ ଯୁବକ ଏୟାର ବେଗରେ ଗଞ୍ଜେଇ ନେଉଥିବା ଜଣାପଡିଥିଲା।ତାଙ୍କ ଠାରୁ ୧୨ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି ।ଅଭିଯୁକ୍ତ ଦୁହେଁ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଳୁରୁର ନାଦୀମ ପାଶା ଓ ସାୟଦ ଅଜଗର ବୋଲି ଜଣାପଡ଼ିଛି।କେଉଁଠାରୁ ଗଞ୍ଜେଇ ଆସିଥିଲା ଓ କେଉଁଠିକୁ ଯାଉଥିଲା ସେ ଦିଗରେ ତଦନ୍ତ ଚାଲିଛି।ହେଲେ ଢୁଲୁଘାଟି, ପାବଳୀ ଘାଟି ଦେଇ ବ୍ୟାପକ ଗଞ୍ଜେଇ ଚାଲାଣ କରା ଯାଉଥିବା ବେଳେ ଅବକାରୀ ବିଭାଗ ସେଇ ଗଞ୍ଜେଇ ବୋଝେଇ ଗାଡି ଗୁଡ଼ିକୁ କେବେ ଜବତ କରିବ ବୋଲି ପ୍ରଶ୍ନ ଉଠୁଛି।ସେହିପରି ମୁଖୀଗୁଡାର ଜୈନେକ ବ୍ୟକ୍ତି ନିୟମିତ ମୋଟର ସାଇକେଲରେ ଗଞ୍ଜେଇ ଧରି ଜୟପାଟଣା ଏବଂ ମୁଖୀଗୁଡା ଅଞ୍ଚଳର ବିଭିନ୍ନ ପାନ ଦୋକାନକୁ ଯୋଗାଉ ଥିଲେହେଁ ଧରା ନପଡିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । ଖୁବ ସହଜରେ ଚା ଦୋକାନ, ପାନ ଦୋକାନରେ ଗଞ୍ଜେଇ ମିଳୁଥିବା ବେଳେ ଏବେ ବହୁ ନାବାଳକ ଗଞ୍ଜେଇ ସେବନ କରି ପଥଭ୍ରଷ୍ଟ ହେଉଛନ୍ତି ଏହାକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ଜରୁରୀ ହୋଇପଡିଛି ।
ହିନ୍ଦୁସ୍ଥାନ ସମାଚାର / ନିହାର ରଂଜନ ବେହେରା |