ଭୁବନେଶ୍ୱର,୨୯ ଜୁଲାଇ (ହି.ସ)- ଦୁଷ୍କର୍ମ ଏବଂ ନାରୀ ନିର୍ଯାତନା ନେଇ ବିଜେପିର ଆନ୍ଦୋଳନକୁ ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ସୋନାଲି ସାହୁ କହିଛନ୍ତି ଯେ ଯେଉଁଦଳ ସରକାରରେ ଅଛି ସେହି ଦଳର ମହିଳା ମୋର୍ଚ୍ଚା ଆଜି ରାଜରାସ୍ତାରେ ପ୍ରଦର୍ଶନ କରୁଛନ୍ତି। ବିଜେପି ନିଚ୍ଚତାର ସୀମା ଲଙ୍ଘନ କରି ନିଜ ଦୋଷ ଘୋଡ଼ାଇବା ପାଇଁ ଆଜି ମହିଳାଙ୍କ ଆଶ୍ରୟ ନେବାକୁ ମଧ୍ୟ ପଛାଉନାହିଁ। ବିଜେପି ମହିଳା ମୋର୍ଚ୍ଚାର ଐଶ୍ଚର୍ଯ୍ୟା ବିଶ୍ୱାଳଙ୍କ ଟିପ୍ପଣୀ ଯେତିକି ଲଜ୍ଜାଜନକ ସେତିକି ହାସ୍ୟାସ୍ପଦ ମଧ୍ୟ। ବାଇଁଆକୁ ନିଜ ଦଳର ଜ୍ୱାଇଁ ପୁଅ କରିଛ। ଅଧିକାଂଶ ନେତାଙ୍କ ସହ ତାର ସମ୍ପର୍କ । ବାଇଁଆ ଗତ ନିର୍ବାଚନରେ କାହାପାଇଁ ପ୍ରଚାର କରୁଥିଲା ନିଜକୁ ପଚାରି ଦେଖ ବୋଲି ପ୍ରଶ୍ନ କରିଛି କଂଗ୍ରେସ ।
ମୁଖପାତ୍ର ମନିଷା ଦାସ ପଟ୍ଟନାୟକ କହିଲେ ଯେ ଆମେ ଆଜି କିଛି ଚୂଡ଼ି ନେଇକି ଆସିଛୁ। କାରଣ ଚୂଡ଼ି ପିନ୍ଧିବା କେତେଯେ କଷ୍ଟ ସେମାନେ ହୃଦୟଙ୍ଗମ କରନ୍ତୁ ବୋଲି ଆଣିଛୁ। ସେମାନେ ଯଦି ଏହି କଷ୍ଟ ଜାଣିଥାନ୍ତେ ତେବେ ସେମାନେ ରାଜ୍ୟରେ ଘଟୁଥିବା ନାରୀ ନିର୍ଯାତନା ଘଟଣାବେଳେ ଆଗକୁ ଆସିଥାନ୍ତେ, ଲୁଚି ନଥାନ୍ତେ । ବୋଧହୁଏ ବିଜେପି ମହିଳା ମୋର୍ଚ୍ଚା ନିଜ ସରକାରଙ୍କ ଉପରେ ଭରଷା ନାହିଁ ସେଥିପାଇଁ ରାଜରାସ୍ତାରେ ଆସି ବିରୋଧ ପ୍ରଦର୍ଶନ କରୁଛନ୍ତି । ମୁଖପାତ୍ର ଜୟଶ୍ରୀ ପାତ୍ର କହିଲେ ଯେ ତୁମ ଦଳ ସରକାରରେ ଅଛି ଏବଂ ତୁମେ ରାଜରାସ୍ତାରେ ଚିତ୍କାର କରୁଛ ଏହା ଆଶ୍ଚର୍ଯ୍ୟକର ନୁହେଁକି? କେଉଁ ଅଭିଯୁକ୍ତକୁ ଗିରଫ କରାଯିବ ଏବଂ କାହାକୁ ଅନୁକମ୍ପାମୂଳକ ସୁରକ୍ଷା ଦିଆଯିବ ସରକାର ନିଜ ଆତ୍ମିୟସ୍ୱଜନ ବିଚାର କରୁଛନ୍ତି । ଏହା ପ୍ରକୃତରେ ଲୋକଙ୍କ ସରକାର ନା କିଛି ଲୋକଙ୍କ ସରକାର ବୋଲି ପ୍ରଶ୍ନ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା