ଜୟପୁର,
, 3 ଜୁଲାଇ (ହି.ସ.)
ଜୟପୁର ବେଲରୋଡ ନିକଟରେ ଏକ ବଲେରୋ ଗାଡିକୁ ଅଟକାଇ ୩ଜଣ ଦୁର୍ବୁତ୍ତ ୧ଲକ୍ଷ ଟଙ୍କା ଲୁଟି ନେଇଯାଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ଥାନାରେ ଅଭିଯୋଗ ଦିଆଯାଇଥିଲେ ହେଁ ପୁଲିସ ଏନେଇ କିଛି ଜାଣି ନଥିବା ପ୍ରକାଶ କରିଛନ୍ତି। ଆଜି ମଧ୍ୟାହ୍ନରେ ଜୟପୁର ବ୍ଲକ ହାଡିଆ ଗ୍ରାମର କମଳ ଲୋଚନ ଭତ୍ରା ଓ ତାଙ୍କ ୫ଜଣ ସହଯୋଗୀ ଏକ ବଲେରୋରେ ଜୟପୁର ଗାନ୍ଧିଛକ ଷ୍ଟେଟ ବ୍ୟାଙ୍କକୁ ଟଙ୍କା ଉଠାଣ କରିବାକୁ ଆସିଥିଲେ। ବ୍ୟାଙ୍କରୁ କମଳ ଲୋଚନ ୩ଲକ୍ଷ ୯୦ ହଜାର ଟଙ୍କା ଉଠାଇଥିଲେ। ଟଙ୍କା ଗୁଡିକୁ ଗାଡିରେ ରଖି ସମସ୍ତେ ଗାନ୍ଧିଛକ ନିକଟସ୍ଥ ଏକ ହୋଟେଲକୁ ଖାଇବାକୁ ଗଲେ। ଖାଇସାରିବା ପରେ ବେଲରୋଡ ଦେଇ ରାଜାନହର ଯିବା ସମୟରେ ବେଲରୋଡ ନିକଟରେ ଗୋଟିଏ ବାଇକରେ ୩ଜଣ ଦୁର୍ବୁତ୍ତ ଠିଆ ହୋଇଥିଲେ। ଜଣେ ବଲେରୋ ଗାଡି ସମ୍ମୁଖରେ ଠିଆ ହୋଇ ଗାଡିକୁ ଅଟକାଇଥିବା ବେଳେ ଅନ୍ୟ ଜଣେ ବଲେରୋ ଭିତରେ ହାତ ପଶାଇ ଟଙ୍କା ବ୍ୟାଗରୁ ଟଙ୍କା କାଡି ନେଇଯାଇଥିବା ବେଳେ ଅନ୍ୟଜଣେ ଗାଡିରେ ବସି ରହିଥିଲା। ଗାଡିରେ ଥିବା ଟଙ୍କା ବ୍ୟାଗରୁ ୫ଶହ ଟଙ୍କାର ଦୁଇଟି ବଣ୍ତେଲ ଅର୍ଥାତ ଏକଲକ୍ଷ ଟଙ୍କା ଝାମ୍ପିନେଇ ୩ଜଣ ଦୁର୍ବୁତ୍ତ ବାଇକରେ ଚାଲିଯାଇଥିଲେ। ଏନେଇ କମଳଲୋଚନ ଏବ˚ ତାଙ୍କ ୫ ସହଯୋଗି ଟାଉନଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଟାଉନ ଥାନାରେ ଲିଖିତ ଅଭିଯୋଗ ଦେବା ପରେ ମଧ୍ୟ ସନ୍ଧ୍ୟାରେ ଏନେଇ ଟାଉନଥାନା ଅଧିକାରୀ ଉଲ୍ଲାସ ରାଉତଙ୍କ ସହ ଯୋଗାଯୋଗ କରିବାରୁ ସେ ଏ ବିଷୟରେ କିଛି ଜଣିନାହିଁ ବୋଲି କହିଛନ୍ତି। ପୁଲିସର ଏହିପରି ତତ୍ପରତା ଓ ଏହିପରି ଉତ୍ତର ଶୁଣିବା ଯୋଗୁଁ ପୁଲିସ ଉପରୁ ସମସ୍ତଙ୍କ ଭରସା ଉଠିଯାଉଛି। ସହର ମଧ୍ୟରେ ଅଘଟଣ ଘଟିଗଲେ ମଧ୍ୟ ଯଦି ପୁଲିସ ନିଷ୍କ୍ରିୟ ପରି ବ୍ୟବହାର କରୁଛି ତେବେ ଆଗାମୀ ଦିନରେ ପୁଲିସ ଉପରେ ଲୋକଙ୍କ ଭରସା ଉଠିଯିବା ସ୍ବଭାବିକ। ସେହିପରି ଆଜି ସ୍ଥାନୀୟ ପାଣିନଳା ସାହିରେ ଜଣେ ଛାତ୍ର ଟିଉସନ ଯାଉଥିବା ସମୟର କିଛି ଦୁର୍ବୁତ୍ତ ମୋବାଇଲ ଫୋନ ଟାଣି ନେଇଯାଇଥିବା ନେଇ ଟାଉନଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୁଲିସ ଏନେଇ ଏକ ମାମଲା ରୁଜୁ କରି ସିସିଟିଭି ଦେଖି ସନ୍ଧାନ ଜାରି ରଖିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି