ଭୁବନେଶ୍ୱର, ୦୪ ଜୁଲାଇ (ହି.ସ.)- ରବିଧାନ ବିକ୍ରି ପାଇଁ ପଞ୍ଜିକରଣ କରିଥିବା ବକେୟା ସମସ୍ତ ଚାଷୀଙ୍କଠାରୁ ସରକାର ତୁରନ୍ତ ସବୁ ଧାନ କ୍ରୟ କରିବା ଦାବିରେ କଂଗ୍ରେସ ପକ୍ଷରୁ ଅଖିଳ ଭାରତ କଂଗ୍ରେସ କମିଟି କିଷାନ କଂଗ୍ରେସର ଜାତୀୟ ସଂଯୋଜକ ଅମିୟ କୁମାର ପଟ୍ଟନାୟକ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଯୋଗାଣ ଓ ସାଧାରଣ ବିଭାଗ ବଂଟନ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀଙ୍କ ନିକଟକୁ ଚାଷୀଙ୍କ ଏହି ସମସ୍ୟା ଜଣାଇ ଏକ ଦାବୀପତ୍ର ପଠାଇଛନ୍ତି। ରାଜ୍ୟ ସରକାର ପଞ୍ଜିକରଣ ସମୟରେ ଚାଷୀଙ୍କଠାରୁ ସମସ୍ତ ବଳକା ଧାନକ୍ରୟ କରିବା ସହିତ ଗୋଟିଏ ହେଲେ ଟୋକନ ଲାପ୍ସ କରିବ ନାହିଁ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଚଳିତ ଥର ରବି ଧାନ ଭଲ ଅମଳ ହେଲା। କିନ୍ତୁ ଏବେ ସୁଦ୍ଧା ରାଜ୍ୟର ବିଭିନ୍ନ ଅଞ୍ଚଳରେ ୨୫ହଜାରରୁ ଉର୍ଦ୍ଧ୍ୱ ପଞ୍ଜିକୃତ ଚାଷୀଙ୍କଠାରୁ ଧାନକ୍ରୟ କରାଯାଇ ନାହିଁ। ଜାଣିଶୁଣି ଟାର୍ଗେଟ କମାଇ ଦିଆଗଲା। ମିଲରମାନେ ମଣ୍ଡିରୁ ଧାନ ଉଠାଇଲେ ନାହିଁ। ଅନେକ ଟୋକନ ଲାପ୍ସ କଲା। ଫଳରେ ଚାଷୀ ନାହିଁ ନ ଥିବା ହିନସ୍ତା ଭୋଗୁଛନ୍ତି। ରାଜ୍ୟ ଯୋଗାଣ ମନ୍ତ୍ରୀ ଚାଷୀଙ୍କର ସମସ୍ତ ବଳକା ଧାନ କ୍ରୟ କରାଯିବା ପାଇଁ ବାରମ୍ବାର କହୁଥିବା ବେଳେ ଗତ ଜୁନ୍ ୩୦ରେ ଅବଧି ଶେଷ। ଏବେ ଚାଷୀ କରିବେ କ’ଣ? ତେଣୁ କେନ୍ଦ୍ର ସରକାର ଚାଷୀଙ୍କ ହିତ ଦୃଷ୍ଟିରୁ ରବି ଧାନ ବିକିବା ପାଇଁ ପଞ୍ଜିକୃତ କରିଥିବା ସମସ୍ତ ବକେୟା ଚାଷୀଙ୍କଠାରୁ ତୁରନ୍ତ ରବିଧାନ ସଂଗ୍ରହ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ କଂଗ୍ରେସ ପକ୍ଷରୁ ଜାତୀୟ ସଂଯୋଜକ ଶ୍ରୀ ପଟ୍ଟନାୟକ ଦୃଢ଼ ଦାବୀ କରିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା