ଭଦ୍ରକ, ୪ ଜୁଲାଇ (ହି.ସ.) - କେତେକ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତିବିଶେଷ ଓ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଏବେ ଭଦ୍ରକ ସହରରେ ଜଳ ନିଷ୍କାସନ ଜନିତ ବିପର୍ଯ୍ୟସ୍ତ ସୁଇସ୍ ଗେଟ୍ ଏବେ ବିଲୀନ ହେବାକୁ ଯାଉଚି। ବିଶେଷକରି ବ୍ରିଟିଶ୍ ସମୟର ନିର୍ମାଣ ହୋଇଥିବା ଏହି ସ୍ୱରେଜ ବ୍ୟବସ୍ଥା ଉପରେ ଏହି ବ୍ୟକ୍ତିବିଶେଷମାନଙ୍କ ଜବରଦଖଲ ଜନିତ ହସ୍ତକ୍ଷେପ ଆଜି ସମସ୍ତ ସହରବାସୀଙ୍କ ପାଇଁ ଲଘୁଚାପ ବର୍ଷାରେ ମନୁଷ୍ୟାକୃତ ବନ୍ୟା ବିଭୀଷିକା ସୃଷ୍ଟି କରିଚାଲିଛି। ନାମକୁ ମାତ୍ର ପୌରପାଳିକା, ଟାଉନ୍ ପ୍ଲାନିଂ ଓ ତହସିଲ କର୍ତୃପକ୍ଷ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ସିନା, ହେଲେ ସେମାନେ ବାସ୍ତବରେ କିଭଳି ଉପରୋକ୍ତ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କୁ ସୁରକ୍ଷା ଦେଇଚାଲିଛନ୍ତି, ତାହା ଆଖିରେ ନଦେଖିଲେ ବିଶ୍ୱାସ କରିହେବନାହିଁ। ଇତିମଧ୍ୟରେ ବ୍ରିଟିଶ୍ ଅମଳର ୭୫ ପ୍ରତିଶତ ଡ୍ରେନ୍ ଗୁଡିକ ପ୍ରଭାବଶାଳୀ ବ୍ୟକ୍ତିଙ୍କ କବ୍ଜାଙ୍କୁ ଚାଲିଗଲାଣି। ଆଉ ଯେଉଁ କେତେକ ରହିଛି, ସେଗୁଡିକ ଆସନ୍ତା ୪/୫ ବର୍ଷ ମଧ୍ୟରେ ଲୋପ ପାଇବାର ଆଶଙ୍କା ଦେଖାଦେଇଛି। ସହର ମଧ୍ୟରେ ଥିବା ବ୍ରିଟିଶ୍ ସମୟର ଜଳ ନିଷ୍କାସନ ପଥଗୁଡିକ ମଧ୍ୟରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ, କଚେରୀ ବଜାର ଟ୍ରାଫିକ୍ ଛକ, ଭଦ୍ରକ ହାଇସ୍କୁଲ ଛକ, ଉପଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖ, ବାଇପାସ୍ ଛକ, ୧୬ ନମ୍ବର ୱାର୍ଡର ବେହେରାସାହି ମୋଡ, କୁଆଁସ ଜଗନ୍ନାଥ ମନ୍ଦିର ରାସ୍ତା, କୁଆଁସ ଗଂଗା ପୋଲ, କଦମବେଡା ସାନଶଙ୍କରପୁରସ୍ଥିତ କାଲେ ଖାଁ ଆସ୍ଥାନ, ବନ୍ତଛକ ଏଲ୍ଆଇସି ଅଫିସ୍ ନିକଟ ପୋଲ ଗୁଡିକ ଏବେ ସଂପୂର୍ଣ୍ଣ ରୂପେ ପୋତି ହୋଇଯାଇଥିବାବେଳେ ଆଉ କେତେକ ତାର ସତା ହରାଇଛି। ସେହିଭଳି କଚେରୀ ଘୋଷରା ପୋଲ, ବାଇପାସ୍ସ୍ଥିତ ସଂପର୍କ ହୋଟେଲ ନିକଟ, ଛପୁଲିଆ, ଚନ୍ଦନବଜାର ଦୁର୍ଗାମଣ୍ଡପ, ମଦିନା ମଇଦାନ, ସାନ ଶଙ୍କରପୁର ମସ୍ଜିଦ୍ ନିକଟ ଓ ମିର୍ଜାପୁରର ଆଉରଙ୍ଗଜେବ୍ ପୋଲଗୁଡିକ ଏବେ ବନ୍ଦ ହେବା ଅବସ୍ଥାକୁ ଆସିଲାଣି। ଏଗୁଡିକ ବନ୍ଦ ହେବା ମୂଳରେ ପୌରପାଳିକା ଦ୍ୱାରା ଟ୍ରାକ୍ଟର ଯୋଗେ ନିକ୍ଷେପିତ ହେଉଥିବା ଅଳିଆ ଆବର୍ଜନା ମୁଖ୍ୟ କାରଣ ବୋଲି ଜଣାପଡିଛି। ସାଳନ୍ଦୀ ନଦୀ ପାଶ୍ୱର୍ରେ ଥିବା କେତୋଟି ସୁଇସ୍ ଗେଟ୍କୁ ଏବେ ନଷ୍ଟ କରିଦିଆଯାଇଥିବାବେଳେ ଏହା ମଧ୍ୟରେ ହାତିଆଗଣ୍ଡ ଗେଟ୍, ୱାର୍ଡ ନଂ ୧୯ର ସୁଇସ୍ ଗେଟ୍, ୱାର୍ଡ ନଂ ୧୫ ରେ ଥିବା ବ୍ରିଜ୍ ମୁହଁ ଜବରଦଖଲ, ୱାର୍ଡ ନଂ ୧୬ରେ ଜଳ ନିଷ୍କାସନ ପଥକୁ ଭଦ୍ରକ ପୌରପାଳିକା ବନ୍ଦ କରିଦେବା ଫଳରେ ଶିଳ୍ପାୟନରୁ ନିର୍ଗତ ଦୂଷିଜ ଜଳ ନିଷ୍କାସିତ ହୋଇନପାରି ଜନଜୀବନକୁ ବିପର୍ଯ୍ୟସ୍ତ କରିବା, ରାଜଘାଟ ସୁଇସ୍ ଗେଟ୍ ଏବେ ବିଲୀନ ହେବାକୁ ଗଲାଣି, ହାତିଆଗଣ୍ଡ ସୁଇସ୍ ଗେଟ୍ ଉପରେ ଘର ନିର୍ମାଣ ଏହାର ଜ୍ୱଳନ୍ତ ନମୁନା ଅଟେ। ଗତ ୨୦୦୨ ମସିହାରେ ଡ୍ରେନେଜ୍ ଡିଭିଜନ୍ ପକ୍ଷରୁ ଭଦ୍ରକରେ ସମୁଦାୟ ୬ଟି ମୁଖ୍ୟ ଜଳ ନିଷ୍କାସନ ପଥ ଥିବାର ଉଲ୍ଲେଖ ଥିବାବେଳେ ପୌରପାଳିକାରେ ୬୦ଟି ଡ୍ରେନେଜ୍ ନିର୍ମାଣ ହୋଇଥିବା ବିଷୟ କାଗଜପତ୍ରରେ ଦର୍ଶାଯାଇଥିଲେ ମଧ୍ୟ ସହରବାସୀ ଖରାଦିନର ସାମାନ୍ୟ ଅଦିନିଆ ବର୍ଷାରେ ନାହିଁନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ପୁରୁଣାବଜାରର ଛଡାକମହଲା ଦେଇ ଯାଇଥିବା ନାଜର ନାଳ ସଂସ୍କାର କ୍ଷେତ୍ରରେ ମାତ୍ର ୧୨୦ ମିଟର କାର୍ଯ୍ୟ କରାଯାଇ ଡ୍ରେନେଜ୍ ବିଭାଗ ପକ୍ଷରୁ ୧ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଥିଲା। ହାତିଆଗଣ୍ଡରୁ ବାହାରିଥିବା ଏହି ନାଳର ଲମ୍ବ ପ୍ରାୟ ୨ କିମିରୁ ଉର୍ଦ୍ଧ୍ୱ ହୋଇଥିବାବେଳେ ନାମକୁ ମାତ୍ର କେଇ ମିଟିର କାର୍ଯ୍ୟ କରାଯାଇ ବ୍ୟାପକ ଅର୍ଥ ବାଟମାରଣା ହୋଇଥିବା ନେଇ ଅଭିଯୋଗ ହୋଇଛି। ଯାହାଫଳରେ ଭଦ୍ରକ ସହରକୁ ଉପରୋକ୍ତ ଅସାଧୁ ବ୍ୟକ୍ତିବିଶେଷ ଓ ପ୍ରଶାସନିକ ଅଧିକାରୀଙ୍କ ଷଡଯନ୍ତ୍ରରୁ ଉଦ୍ଧାର କରିବା ନେଇ ୨୦୧୦ ଡିସେମ୍ବର ମାସରେ ତାଜ ମହମ୍ମଦ ଖାନ୍, ପବନ କୁମାର ବାଗ୍ଡିଆ ଓ କାନ୍ତିଲାଲ ଗୁପ୍ତା ମାନ୍ୟବର ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ କରିଥିଲେ। ଯାହାକୁ ଜିଲା ପ୍ରଶାସନ ଦୀର୍ଘବର୍ଷ ଧରି ଅଣଦେଖା କରିବା ମଧ୍ୟରେ ସହରର ଡ୍ରେନେଜ୍ ବ୍ୟବସ୍ଥା କ୍ରମଶଃ ଭୁଷୁଡି ପଡୁଛି। ଯାହାର ଏକ ଜ୍ୱଳନ୍ତ ପ୍ରମାଣ କୁଆଁସ-କଂଟାବଣିଆ ନିକଟ ଏକ ସର୍ବସାଧାରଣଙ୍କ ଦ୍ୱାରା ବ୍ୟବହୃତ ଡ୍ରେନ୍ର ଜବରଦଖଲରୁ ପ୍ରମାଣିତ । ପ୍ଲଟ୍ ନମ୍ବର ୯୬୪ ରେ ଥିବା ଏହି ଡ୍ରେନେଜ୍ ବ୍ୟବସ୍ଥାର ଜବରଦଖଲ ଜନିତ ଉଚ୍ଛେଦ କରିବା ନେଇ ଟାଉନ୍ ପ୍ଲାନିଂ କର୍ତୃପକ୍ଷ ତାଙ୍କର ପତ୍ର ନମ୍ବର ଏସ୍ପିଏ- ୧-୧୧୩/୦୮/୧୫୨୯, ତା ୦୮.୦୬.୧୧ ରିଖ ମୂଳେ ଯେଉଁ ନୋଟିସ୍ ଜାରି କରିଥିଲେ, ତାହା ଏବେ ସେହି ଟାଉନ୍ ପ୍ଲାନିଂ ଦ୍ୱାରା ବାସଗୃହ ନିର୍ମାଣର ପ୍ଲାନ୍ ପ୍ରସ୍ତୁତ ହୋଇ ଗୃହ ନିର୍ମାଣ ହୋଇଛି। ସେହିଭଳି ବନ୍ତଛକ ମୁଖ୍ୟ ପୋଲଟି ଏବେ ଏଲ୍ଆଇସି କାର୍ଯ୍ୟାଳୟ ନିର୍ମାଣ ଜନିତ ଅବରୋଧ ଯୋଗୁଁ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇଯାଇଛି। ମଦିନା ମଇଦାନ ନିକଟ ପୋଲ ଜଳ ନିଷ୍କାସନ ପଥ ପୋଲ ଉପରେ ସାଂସଦଙ୍କ ପାଣ୍ଠିରୁ ନିର୍ମାଣ ହୋଇଥିବା ଏକ କ୍ଲବ୍ ଘର ଏବେ ଅଭିଯୋଗ ପରେ ବନ୍ଦ ହୋଇପଡିଛି। ତେବେ ଏବେବି ସହରର ବହୁ ଡ୍ରେନେଜ୍ ବ୍ୟବସ୍ଥା ଓ ସର୍ବସାଧାରଣ ଜଳ ନିଷ୍କାସନ ପଥ ଉପରେ ପ୍ରଭାବଶାଳୀ ବ୍ୟକ୍ତିମାନେ ନିର୍ମାଣ କରୁଥିବା ପ୍ରାର୍ଥନା ଗୃହ, କ୍ଲବ୍ ଗୁଡିକୁ ବିଧାୟକ ଓ ସାଂସଦମାନେ କିଭଳି ଅନୁଦାନ ପାଣ୍ଠି ଯୋଗାଉଛନ୍ତି, ତାହା ତଦନ୍ତ ସାପେକ୍ଷ । ଏଣୁ ଯେତେବେଳେ କେନ୍ଦ୍ର ସରକାରଙ୍କ ମାଷ୍ଟର ପ୍ଲାନ୍ ଡ୍ରାଫ୍ଟ ୨୦୩୦ ରେ ଏହି ସହର ସ୍ଥାନ ପାଇ ସରସ ସୁନ୍ଦର ହେବାକୁ ଯାଉଛି, ସେତେବେଳେ ପ୍ରଥମେ ସ୍ୱରେଜ ବ୍ୟବସ୍ଥାର ପୁନରୁଦ୍ଧାର କରାନଗଲେ ପରିସ୍ଥିତି ଅସମ୍ଭାଳ ହେବ ବୋଲି ବହୁ ବୁଦ୍ଧିଜୀବୀ ଏବେଠାରୁ ଭବିଷ୍ୟ ବାଣୀ କରିଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ