ଲଗାଣ ବର୍ଷାରେ ସମ୍ବଲପୁର ବେହାଲ : ବହୁ ଅଞ୍ଚଳ ଜଳବନ୍ଦୀ, ଜୀବନ ଯାତ୍ରା ଠପ
ସମ୍ବଲପୁର, ୩ ଜୁଲାଇ (ହି.ସ.)- ସମଗ୍ର ସମ୍ବଲପୁର ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଜିଲ୍ଲାବାସୀଙ୍କ ଅବସ୍ଥା ବେହାଲ ହୋଇପଡିଛି। କେଉଁଠି ପୋଲ ଉପରେ ବର୍ଷା ଜଳ ଗଡୁଛି ତ କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି। ଏଭଳି ଅବସ୍ଥାରେ ଏକାଧିକ ଗାଁ, ସାହି ଜଳବନ୍ଦୀ ଓ ବିଛିନ୍ନ ହୋଇପଡିଛି। କ୍ଷେତରେ ଉଜୁଡି ଯାଇଛି
ଲଗାଣ ବର୍ଷାରେ ସମ୍ବଲପୁର ବେହାଲ : ବହୁ ଅଞ୍ଚଳ ଜଳବନ୍ଦୀ, ଜୀବନ ଯାତ୍ରା ଠପ


ସମ୍ବଲପୁର, ୩ ଜୁଲାଇ (ହି.ସ.)-

ସମଗ୍ର ସମ୍ବଲପୁର ଜିଲ୍ଲାରେ ଲଗାଣ ବର୍ଷା ଫଳରେ ଜିଲ୍ଲାବାସୀଙ୍କ ଅବସ୍ଥା ବେହାଲ ହୋଇପଡିଛି। କେଉଁଠି ପୋଲ ଉପରେ ବର୍ଷା ଜଳ ଗଡୁଛି ତ କେଉଁଠି ଗଛ ପଡି ରାସ୍ତା ଅବରୋଧ ହୋଇଛି। ଏଭଳି ଅବସ୍ଥାରେ ଏକାଧିକ ଗାଁ, ସାହି ଜଳବନ୍ଦୀ ଓ ବିଛିନ୍ନ ହୋଇପଡିଛି। କ୍ଷେତରେ ଉଜୁଡି ଯାଇଛି ଧାନ ଫସଲ। ଫଳରେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଅଧିକାରୀ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖି ଏହାର ପ୍ରତିକାର ବ୍ୟବସ୍ଥାରେ ଲାଗିପଡିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଲଗାତାର ୪ ଦିନ ଧରି ବର୍ଷା ଲାଗି ରହିଥିବା ବେଳେ ବୁଧବାର ଦିନ ୧୧ଟାରୁ ଗୁରୁବାର ସନ୍ଧ୍ୟା ପର୍ଯ୍ଯନ୍ତ ଅତି ପ୍ରବଳ ବର୍ଷା ହୋଇଛି। ଲଗାଣ ବର୍ଷା ଯୋଗୁଁ ଜମନକିରା ବ୍ଲକର ପ୍ରାୟ ୧୦ଟି ଗାଁ ଏବେ ଜଳବନ୍ଦୀ ହୋଇପଡିଛି । ଏପଟେ ଏକ ନାଳା ଉପରେ ଥିବା ବ୍ରିଜରେ ଗଛ ପଡ଼ି ଯାତାୟାତ ବି ଏକ ରକମର ଠପ୍ ହୋଇଯାଇଛି। ଜମନକିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡି, ଖର୍ସନମାଲ ଓ ମୁଣ୍ଡେନପାଲି ପଞ୍ଚାୟତ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ମାଳତୀ ନଦୀରେ ଜଳସ୍ତର ଫୁଲିବା ସହିତ ଗହିରୀ ନଦୀ ଉପରେ ଗୌଡ଼ପାଲି – ଗୌତମଟିକିରା ରାସ୍ତା ଉପରେ ଥିବା ପୋଲ ଉପରେ ୪ ଫୁଟ ଜଳ ପ୍ରବାହିତ ହେଉଛି। ଏଥି ଯୋଗୁଁ ପ୍ରାୟ ୧୦ ଗ୍ରାମ ଗୌତମଟିକିରା, କୁସୁଲି, ସମାପଡା, କେନ୍ଦୁବେର୍ଣ୍ଣୀ, କୁମୁକାପାଲି, ଖର୍ସନମାଲ, ପାଥମୁଣ୍ଡା, ଟାଙ୍ଗରପାଲି, କାଣିବନ୍ଧଲି, ଭୋଗରାପାଲ, ଖଇରମାଲ, ହଲଦିବାହାଲ୍, ତୁରୁକଛୁଆଁ, ବାଘଲତ, ଭାଲୁଡୁଡ଼ିଆ ଇତ୍ୟାଦି ଗାଁ ସମ୍ପୂର୍ଣ୍ଣ ଭାବରେ ଜଳବନ୍ଦୀ ହୋଇ ବାହ୍ଯ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଅନ୍ୟପଟେ କୁଲୁଣ୍ଡିରୁ ଯାଇଥିବା ବଡକଛାର ରାସ୍ତାରେ ବନମାଲ – ବାଙ୍କଟାଲ ମଝିରେ ଥିବା ଏକ ନାଳ ଉପରେ ଥିବା କର୍ଲଭଟ ଉପରେ ଏକ ବିରାଟ ଶୁଖିଲା ଗଛ ଭାଙ୍ଗି ପଡ଼ି ଯାଇଥିବାରୁ ଉକ୍ତ ରାସ୍ତାରେ ଯାତାୟାତ ଠପ୍ ହୋଇଯାଇଛି। ବିଭିନ୍ନ ଜାଗାରେ ଲୋକମାନଙ୍କର ଘର ଭାଙ୍ଗି ଯିବା ସହିତ ଚାଷ ଜମି ଉଜୁଡି ଯାଇଛି।ସେହିପରି ସମ୍ବଲପୁର ସହରରେ ବର୍ଷା ଜଳ ନିଷ୍କାସନ ହୋଇନପାରିବା ଯୋଗୁଁ ଅବସ୍ଥା ଅସମ୍ଭାଳ ହୋଇପଡିଛି। ବିଭିନ୍ନ ସ୍ଥାନର ସ୍ଥିତି ଉପରେ ନଜର ରଖି ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମୀକ୍ଷା କରିବା ସହିତ ମହାନଗର ନିଗମ ଆଯୁକ୍ତ ବେଦଭୂଷଣ ଓ ଅନ୍ୟ ବିଭାଗୀୟ ଅଧିକାରୀ ପରିସ୍ଥିତି ଉପରେ ନଜର ରଖି ପ୍ରତିକାର ବ୍ୟବସ୍ଥା ଉପରେ ଯୁଦ୍ଧକାଳିନ ଭିତ୍ତିରେ ପ୍ରୟାସକୁ ଜୋରଦାର କରିଛନ୍ତି।

ଅନ୍ୟପକ୍ଷରେ ଏହି ଲଗାଣ ବର୍ଷା ଫଳରେ ଧନକଉଡ଼ା ବ୍ଲକ କରଡୋଳା ପଞ୍ଚାୟତ କାରପାଲି ଏଥିରେ ପ୍ରଭାବିତ ହୋଇଛି। ଜୁଯୋମୁରା ବ୍ଲକର ଭଣ୍ଡାରିମାଲ ହିରୋ ରାସ୍ତାରେ ଥିବା ମାଳତୀ ଯୋର ପୋଲ ଉପରେ ୨ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଥିବାରୁ ଯାତାୟାତ ଏକ ପ୍ରକାର ଠପ ହୋଇପଡିଛି। ସେହିପରି ରେଢ଼ାଖୋଲରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବେଲଡ଼ିହି କଦଳିଗଡ଼ ରାସ୍ତାରେ ଯାତାୟାତ ଠପ ହୋଇଯାଇଛି। ନଦୀ ନାଳ ଜଳ ପୂର୍ଣ୍ଣ ହୋଇଥିବାରୁ ଅନେକ ସ୍ଥାନରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି।ଗୁରୁବାର ସକାଳୁ ବର୍ଷା କମିଥିବାରୁ ଆଷ୍ପତ୍ତି ମିଳିଥିଲେ ସୁଦ୍ଧା ଯଦି ଏଥିରେ ପରିବର୍ତ୍ତନ ହୋଇ ପୁଣି ବର୍ଷା ହେଲେ ସମଗ୍ର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande