ଚମ୍ପୁଆ, ୧୨ ଅଗଷ୍ଟ (ହି.ସ.) - ଚମ୍ପୁଆ ବନାଂଚଳ ତରଫରୁ ସ୍ଥାନୀୟ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଶ୍ୱ ହସ୍ତୀ ଦିବସ ପାଳିତ ହୋଇଯାଇଛି। ହସ୍ତୀ ସଂରକ୍ଷଣ ଓ ସୁରକ୍ଷା ପାଇଁ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖକୁ ବିଶ୍ୱ ହସ୍ତୀ ଦିବସ ଭାବେ ପାଳନ କରାଯାଏ । ଚମ୍ପୁଆ ବନାଂଚଳ ଅଧିକାରୀ ଏସିଏଫ ଅକ୍ଷୟ ଛତ୍ରିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଭକ୍ତବନ୍ଧୁ ପ୍ରଧାନ, ନିକୋଲସନ୍ ବନବିଦ୍ୟାଳୟର ଡିସିଏଫ୍ ରାମଚନ୍ଦ୍ର ଗୁରୁ , ରଜିଆ ସରପଂଚ ସନ୍ତୋଷ ନାଏକ , ଅଧ୍ୟାପକ ଦୀପକ କର ଯୋଗ ଦେଇଥିଲେ । ଅତିଥି ମାନେ ଐତିହ ପ୍ରାଣୀ ହାତୀ ର ସୁରକ୍ଷା, ସେମାନଙ୍କର ବାସସ୍ଥାନ ସୁରକ୍ଷା, ଓ ମନୁଷ୍ୟ-ହାତୀ ସଂଘର୍ଷ କମାଇବା ପାଇଁ ସାମାଜିକ ସଚେତନତା ବଢାଇବା, ଜଙ୍ଗଲ କ୍ଷୟ, ଜଳବାୟୁ ପରିବର୍ତନ, ପ୍ରାକୃତିକ ସମ୍ପଦର କ୍ଷୟ, ପରିବେଶ ସନ୍ତୁଳନରେ ହାତୀ ମାନଙ୍କ ଭୂମିକା ଓ ସମ୍ପ୍ରତି ହାତୀମାନଙ୍କ ସମସ୍ୟା ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପୁଆର ବହୁ ସଂଖ୍ୟକ ଛାତ୍ରୀମାନେ ସହଭାଗୀ ହେବା ସହ ହାତରେ ପ୍ଲାକାର୍ଡ, ବ୍ୟାନର ଧରି ରାଲି କରିବା ସହିତ ଲୋକ ମାନଙ୍କୁ ହସ୍ତୀ ସୁରକ୍ଷାର ସଚେତନତା ବାର୍ତା ବାଂଟିଥିଲେ । ରାଲିରେ ଛାତ୍ରୀ ମାନେ ହାତୀ ଆମ ପରିବେଶର ଗୌରବ, ହାତୀ ବଂଚିଲେ, ପ୍ରକୃତି ବଂଚିବ; ପ୍ରକୃତି ବଂଚିଲେ, ଆମେ ବଂଚିବୁ ପରି ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ।
ଶେଷରେ, ସମସ୍ତେ ବନ୍ୟଜୀବ ସୁରକ୍ଷାରେ ସାମିଲ ହେବା ଓ ହାତୀମାନଙ୍କୁ ସୁରକ୍ଷା କରିବା ପାଇଁ ସଙ୍କଳ୍ପ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଚମ୍ପୁଆ ବନାଂଚଳର ସମସ୍ତ ବନପାଳ, ବନରକ୍ଷୀ ଓ ବନ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / Trinath Mahanta