Bhubaneswar, 12 ଅଗଷ୍ଟ (ହି.ସ.)
-୨୦୨୨ ମେକ୍ ଇନ୍ ଓଡିଶାର ୨ୟ ସଂସ୍କରଣରେ ପ୍ରସ୍ତାବ ଗ୍ରହଣ ହୋଇଥିଲା
-ସେମିକଣ୍ଡକ୍ଟର ସ୍ଥାପନ ପାଇଁ ୨୦୨୩ରେ ସ୍ୱତନ୍ତ୍ର ପଲିସି ପ୍ରଣୟନ କରାଯାଇଥିଲା
ଓଡିଶାରେ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ପ୍ରକି୍ରୟା ଆରମ୍ଭ କରିଥିଲେ । ଆଜି ଶଙ୍ଖ ଭବନଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ବରିଷ୍ଠ ଉପସଭାପତି ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର କହିଥିଲେ ଯେ, ଓଡିଶାରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ପାଇଁ କେନ୍ଦ୍ର କ୍ୟାବିନେଟ ନେଇଥିବା ନିଷ୍ପତ୍ତିର ମୂଳଦୂଆ ବିଜେଡି ସରକାର ଅମଳରେ ହୋଇଥିଲା ।
ଶ୍ରୀ ମିଶ୍ର କହିଥିଲେ, ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକମାନଙ୍କୁ ଆକୃଷ୍ଟ କଲାଭଳି ପ୍ରସ୍ତାବ ମେକ୍ ଇନ୍ ଓଡିଶାର ୨ୟ ସଂସ୍କରଣ ୨୦୨୨ ଡିସେମ୍ବରରେ ଗ୍ରହଣ କରାଯାଇଥିଲା । ତଦ୍ନୁଯାୟୀ ୨୦୨୩ରେ ସେମିକଣ୍ଡକ୍ଟର ଓ ଏହାର ଆନୁଷଙ୍ଗିକ ଭିତ୍ତିଭୂମି ସ୍ଥାପନ ପାଇଁ ଏକ ସ୍ୱତନ୍ତ୍ର ପଲିସି ପ୍ରଣୟନ କରାଯାଇଥିଲା । ଲଗାତାର ଭାବେ ଆନ୍ତର୍ଜାତୀୟ ସ୍ତରରେ ବହୁ ନିବେଶକଙ୍କ ସହିତ ଏ ସଂପର୍କରେ ଆଲୋଚନା କରି ଓଡିଶାକୁ ଏକ ଅତ୍ୟାଧୁନିକ ଇଲୋକ୍ଟ୍ରୋନିକ ଉତ୍ପାଦ କେନ୍ଦ୍ର ରୂପେ ଗଢି ତୋଳିବା ପାଇଁ ଆବଶ୍ୟକ ଇକୋସିଷ୍ଟମ ପ୍ରତିଷ୍ଠା ନିମନ୍ତେ ସମସ୍ତ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା ।
୨୦୨୪ରେ ଅନ୍ୟ ରାଜ୍ୟରେ ସେମିକଣ୍ଡକ୍ଟର ସ୍ଥାପନ ପାଇଁ ଘୋଷଣା କରାଯାଇଥିଲା ବେଳେ ଆଜି ଓଡିଶାରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ପାଇଁ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ନିର୍ଦ୍ଧାରିତ ସମୟ ମଧ୍ୟରେ ସେମିକଣ୍ଡକ୍ଟର ୟୁନିଟ ସ୍ଥାପନ ପାଇଁ ରାଜ୍ୟ ସରକାର ଆବଶ୍ୟକୀୟ ଆନୁଷଙ୍ଗିକ ଇକୋ ସିଷ୍ଟମ ଗଢିତୋଳିବା ନିମନ୍ତେ ତପ୍ତରତାର ସହ ପଦକ୍ଷେପ ଗ୍ରହଣ କରିବେ ବୋଲି ଶ୍ରୀ ମିଶ୍ର ଆଶା ପ୍ରକାଶ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା