ବାରିପଦା, ୧୨ ଅଗଷ୍ଟ (ହି.ସ.)- ଓଡିଶା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାର ଐତିହାସିକ ପରିବର୍ତନ ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଚଳିତ ମାସ ୨ ତାରିଖ ଦିନ ଏକ ନିଷ୍ପତି ଗ୍ରହଣ କରିଥିଲେ। କିନ୍ତୁ, ଗତ ୮ତାରିଖ ଦିନ କୌଣସି କାରଣରୁ ଏହି ନିଷ୍ପତିକୁ ଗଣଶିକ୍ଷା ବିଭାଗ ପ୍ରତ୍ୟାହାର କରିନେଇଥିଲା। ୨ ତାରିଖ ନିଷ୍ପତି ଅନୁଯାଇ ଓଡ଼ିଶାରେ ଧ୍ବଂସ ପାଇବାକୁ ବସିଥିବା ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ନୂତନ ଦିଗଦର୍ଶନ ମିଳିପାରିଥାନ୍ତା। ସେଥିପାଇଁ ୨ତାରିଖ ନିଷ୍ପତିକୁ କାର୍ଯ୍ୟକାରି କରିବା ଦାବି ନେଇ ଓଡିଶା କନିଷ୍ଠ ଶିକ୍ଷକ ସଂଘ ଆହ୍ୱାନରେ ମୟୁରଭଞ୍ଜ ଜ଼ିଲ୍ଲା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ଏକ ପ୍ରତିବାଦ ସଭା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଜିଲ୍ଲାର ବିଭିନ୍ନ କୋଣରୁ କନିଷ୍ଠ ଶିକ୍ଷକ ମାନେ ଏକ ପ୍ରତିବାଦ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହା ସହିତ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି। ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ଆରମ୍ଭରୁ ନିୟମିତ ଭାବେ ଶିକ୍ଷକ ନିଯୁକ୍ତି କରିବା, ନୂତନ ଶିକ୍ଷକ ପଦବୀ ସୃଷ୍ଟି କରିବା, କନିଷ୍ଠ ଶିକ୍ଷକ (ଯୋଜନା ଭିତ୍ତିକ)ମାନଙ୍କୁ ନିୟମିତ କରିବା ଆଦି ଦାବି ନେଇ ଜ଼ିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଥିଲେ। ପୁନଃ ରାଜ୍ୟ ସରକାର ପକ୍ଷରୁ ନିଆ ଯାଇଥିବା ୨ ତାରିଖର ନିଷ୍ପତିକୁ କାର୍ଯ୍ୟକାରୀ କଲେ ଓଡ଼ିଶାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଏକ ନୂତନ ମୋଡ଼ ଦେଇ ପାରିବ ବୋଲି କନିଷ୍ଠ ଶିକ୍ଷକ ମାନେ ପ୍ରକାଶ କରିଥିଲେ। ଯଦି ସରକାର କନିଷ୍ଠ ଶିକ୍ଷକ ମାନଙ୍କ ଦାବି ପୂରଣ ନକରନ୍ତି ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି କନିଷ୍ଠ ଶିକ୍ଷକ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ