ବାରିପଦା, ୧୨ ଅଗଷ୍ଟ (ହି.ସ.) - ବାରିପଦା ସହରର ତକତପୁରସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନା ବ୍ୟୁରୋ ପକ୍ଷରୁ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ମହାବିଦ୍ୟାଳୟମାନଙ୍କର ଅଧ୍ୟକ୍ଷ ଓ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀମାନଙ୍କର ଏକ ସମ୍ମିଳନୀ ଆୟୋଜିତ ହୋଇଯାଇଛି । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଆଭାସୀ ମାଧ୍ୟମରେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହିତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ସେବା ଯୋଜନାର ସଫଳ ରୂପାୟନ ପାଇଁ ଅଧିକାରୀ ମାନଙ୍କୁ ସମର୍ପିତ ମନ ନେଇ କାର୍ଯ୍ୟ କରିବା ଲାଗି ଆହ୍ୱାନ ଜଣାଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜାତୀୟ ସେବା ଯୋଜନାର ରାଜ୍ୟ ନୋଡାଲ ଅଧିକାରୀ ତଥା ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ଉପ ନିର୍ଦ୍ଦେଶକ ଡକ୍ଟର ରମେଶ ଚନ୍ଦ୍ର ବେହେରା, ଅନ୍ୟତମ ଅତିଥି ଭାବରେ ବିଶ୍ୱବିଦ୍ୟାଳୟର କୁଳସଚିବ ସୁଶ୍ରୀ ସୁମିତ୍ରା ସିଂ, ସ୍ନାତକୋତର ପରିଷଦ ଅଧ୍ୟକ୍ଷ ପ୍ରଫେସର କମଳଲୋଚନ ବାରିକ, ସେବା ଯୋଜନାର ପୂର୍ବତନ ସଂଯୋଜକ ପ୍ରଫେସର ପ୍ରମୋଦ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ଜାତୀୟ ସେବା ଯୋଜନାରେ ଛାତ୍ରଛାତ୍ରୀ ମାନଙ୍କୁ ଉପଯୁକ୍ତ ତାଲିମ ଦେଇ ସେମାନଙ୍କ ବ୍ୟକ୍ତିତ୍ୱ ବିକାଶରେ ସହାୟକ ହେବାପାଇଁ ପରାମର୍ଶ ଦେଇଥିଲେ ।
ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଅନାମ ଚରଣ ରାଉଳ ବିବରଣୀ ପାଠ କରିଥିବା ବେଳେ, ବିଶ୍ୱବିଦ୍ୟାଳୟର ସେବା ଯୋଜନାର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ବସନ୍ତ କୁମାର ମହାନ୍ତ ବକ୍ତବ୍ୟ ରଖିଥିଲେ। ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ବିଷ୍ଣୁପ୍ରିୟା ହାଁସଦା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶିଶିର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ ସେବା ଯୋଜନାର ଅଧିକାରୀ ଓ ଅଧ୍ୟକ୍ଷ ମାନେ ଯୋଗଦେଇଥିବା ବେଳେ, ସେବା ଯୋଜନା ବ୍ୟୁରୋର ବରିଷ୍ଠ ସହାୟକ ଅଜୟ କୁମାର ବଳ, ସୁସ୍ମିତା ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ