ମାଲକାନଗିରି, ୧୨ ଅଗଷ୍ଟ (ହି.ସ.) - ଶିକ୍ଷାଦାନ ପାଇଁ ଶିକ୍ଷାନୁଷ୍ଠାନ ଅଛି, କିନ୍ତୁ ଶିକ୍ଷାନୁଷ୍ଠାନକୁ ନାହି ଯିବା ପାଇଁ ଯାତାୟତର ସୁବିଧା। ପକ୍କା ରାସ୍ତା ରହିଛି ସତ କିନ୍ତୁ ବସ କିମ୍ବା ଅନ୍ୟ କୌଣସି ଯାତ୍ରୀ ବାହୀ ଯାନ ଯାତାୟତ କରୁନଥିବାରୁ ଯାତାୟାତରେ ସମସ୍ୟା ଭୋଗୁଛନ୍ତି ଛାତ୍ର ଛାତ୍ରୀ। କିଛି ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ଉରୁବେଲି ସରକାରୀ ଉନ୍ନତ ଉଚ୍ଚ ବିଦ୍ୟାଳୟରୁ। ୩୨୬ ନଂ ଜାତୀୟ ରାଜପଥ ଠାରୁ ପ୍ରାୟ ତିନି ରୁ ଚାରି କିମି ଦୂରରେ ଏହି ଉଚ୍ଚ ବିଦ୍ୟାଳୟ ରହିଥିବାରୁ ଯାତାୟତ ଲାଗି ଛାତ୍ରଛାତ୍ରୀ ମାନଙ୍କୁ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଥିବା ଅଭିଯୋଗ ହୋଇଛି। ଯାହାଫଳରେ ଏହି ସ୍କୁଲରେ ପାଠପଢୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଦୈନିକ ତିନି ରୁ ଚାରି କିମି ରାସ୍ତା ଚାଲି ଚାଲି ସ୍କୁଲରେ ପହଂଚିବା କାଠିକର ବିଷୟ ହୋଇ ପଡିଛି। ପାଠପଢା ଅପେକ୍ଷା ଏହି ଅନୁଷ୍ଠାନର ଯାତାୟତ କରିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଧିକ ଜଟିଳ ବୋଲି କୁହାଯାଉଥିବା ବେଳେ ଏହି ଛାତ୍ରଛାତ୍ରୀଙ୍କ ଯିବା ଆସିବା ଲାଗି ବସ କିମ୍ବା ଅନ୍ୟ କୌଣସି ବ୍ୟବସ୍ଥା କରିବାକୁ ଦାବୀ ହୋଇଛି। ସୁଚନା ଅନୁଯାୟୀ ଏହି ବିଦ୍ୟାଳୟକୁ ଯିବା ଲାଗି ମାଲକାନଗିରି ଜିଲ୍ଲା ଠାରୁ ପଡୋଶୀ ଆନ୍ଧ୍ର ପ୍ରଦେଶକୁ ସଂଯୋଗ କରୁଥିବା ୩୨୬ନଂ ଜାତୀୟ ରାଜପଥ ନିକଟସ୍ଥ ପୁଷୁଗୁଡା ଗ୍ରାମଛକ ଠାରୁ ସ୍କୁଲ ପର୍ଯ୍ୟନ୍ତ ପ୍ରାୟ ଚାରି କିମି ଦୂର ରାସ୍ତା ଚାଲି ଚାଲି ଯିବାକୁ ପଡେ। ଏହି ରାସ୍ତା ଦେଇ କୌଣଷି ଚାରି ଚକିଆ ଯାନବାହନ ଯାତାୟତ କରୁନଥିବାରୁ ମୋଟର ସାଇକେଲ କିମ୍ବା ପାଦରେ ଚାଲି ଚାଲି ଲୋକେ ଯାତାୟତ କରନ୍ତି। ସେଥିପାଇଁ ଏହି ସ୍କୁଲରେ ପଢୁଥିବା ପ୍ରାୟ ୨ ୮୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ଦେଢ଼ଶହ ଛାତ୍ରଛାତ୍ରୀ ଦୈନିକ ଆଖପାଖ ଗ୍ରାମରୁ ଚାଲି ଚାଲି ଆସୁଥିବା ବେଳେ ବଳକା ଶହେରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ବସ୍ କିମ୍ବା ଅଟୋ ଯୋଗେ ପୁଷୁଗୁଡା ଗ୍ରାମ ଛକକୁ ବସ୍ ଯୋଗେ ଆସି ସେଠାରୁ ବିଦ୍ୟାଳୟକୁ ପାଦରେ ଚାଲି ଚାଲି ଯାଉଥିବା ଦେଖିବାକୁ ମିଳିଛି। ଯାହାଫଳରେ ପାଠ ପଡ଼ିବାକୁ ଆସୁଥିବା ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଦୈନିକ ପ୍ରାୟ ଚାରି କିମି ଚାଲିଚାଲି ଯିବା ଅନେକ ସମସ୍ୟା ସୃଷ୍ଠୀ କରୁଥିବା ଅଭିଯୋଗ ହୋଇଛି। ଅନ୍ୟପଟେ ସରକାରଙ୍କ ପକ୍ଷ୍ୟରୁ ମୁଖ୍ୟ ମନ୍ତ୍ରୀଙ୍କ ବସସେବା ଯୋଗେ ଗୋଟିଏ ବସ୍ କାଲିମେଳା ରୁ ପୁଷୁଗୁଡା ହୋଇ ମୋଟୁ ଯାଉଥିବା ବେଳେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ଏହି ବସ୍ ଯୋଗେ ଯାତାୟତ କରନ୍ତି। କିନ୍ତୁ ପୁଷୁଗୁଡା ଠାରୁ ବିଦ୍ୟାଳୟର ଦୂରତା ୪ କିମି ଥିବାରୁ ଏହି ବସଟି ମୁଖ୍ୟ ରାସ୍ତାରୁ ସ୍କୁଲ ପର୍ଯ୍ୟନ୍ତ ଅତିରିକ୍ତ ଯାତାୟତ କଲେ ସ୍କୁଲର ଛାତ୍ରଛାତ୍ରୀ ସମେତ ସ୍ଥାନୀୟ ଲୋକ ବି ଉପକୃତ ହୋଇପାରିବେ ବୋଲି ଅଂଚଳବାସୀ ଦାବି କରିଛନ୍ତି। ଏନେଇ ଜନ ପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି ଦୃଷ୍ଟି ଦେଉନଥିବା କହିଛନ୍ତି ଲୋକେକ୍ଷ ଏହି ବାବଦରେ କାଲିମେଳା ବିଡିଓ ପ୍ରଦୀପ କୁମାର କରଙ୍କ ସହ ଆଲୋଚନା କରିବାରୁ ସେ ମୁଖ୍ୟମନ୍ତ୍ରୀ ବସ ସେବାର ରୁଟ ସେହି ରାସ୍ତା ଦେଇ ନଥିବାରୁ ଯାତାୟତ କରୁନଥିବା କହିବା ସହ ଛାତ୍ରଛାତ୍ରୀମାନଙ୍କ ସୁବିଧା ନିମନ୍ତେ ଉକ୍ତ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରି ବସ୍ ଚଳାଚଳ ବ୍ୟବସ୍ଥା କରିବେ ବୋଲି କହିଛନ୍ତି। ଅନ୍ୟପଟେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ଯାତାୟତ ସହ ଉରୁବେଲି ଓ ଆଖପାଖ ଗ୍ରାମ ଗୁଡିକୁ ରାଜପଥ ସହ ଯୋଡ଼ିବା ପାଇଁ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କ ବସ୍ ସେବା ବ୍ୟବସ୍ଥା କରିବାକୁ ସ୍ଥାନୀୟ ଗ୍ରାମବାସୀ, ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଦାବୀ କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ