ଭଦ୍ରକ, ୧୨ ଅଗଷ୍ଟ (ହି.ସ.) - ନିକଟରେ ଅନୁଷ୍ଠିତ ହୋଇଯାଇଥିବା ମଣ୍ଡଳସ୍ତରୀୟ ସିବିଏସ୍ଇ କ୍ରିକେଟ୍ ପ୍ରତିଯୋଗିତାରେ ଭଦ୍ରକ ଜିଲ୍ଲାର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ତଥା ଏସ.ବି.ଡ଼ି. ଇଂଟରନ୍ୟାସନାଲ୍ ସ୍କୁଲର +୨ ପ୍ରଥମ ବର୍ଷ ବାଣିଜ୍ୟ ଛାତ୍ର ଶ୍ରେୟାଂଶୁ ଶେଖର ପାତ୍ର ଜାତୀୟ ସ୍ତରୀୟ ସ୍କୁଲ କ୍ରିକେଟ୍ ପାଇଁ ମନୋନୀତ ହୋଇଛନ୍ତି। ସେ ଆସନ୍ତା ସେପ୍ଟେମ୍ବର ମାସରେ ଦିଲ୍ଲୀଠାରେ ହେବାକୁ ଥିବା ପ୍ରତିଯୋଗିତରେ ଭାଗ ନେବେ। ପୂର୍ବରୁ ସେ ଗତ ୬ ଅଗଷ୍ଟରୁ ଆରମ୍ଭ ହୋଇ ୧୦ ଅଗଷ୍ଟରେ କେ. ଟି. ଗ୍ଲୋବାଲ ସ୍କୁଲ, ଖୋର୍ଦ୍ଧାରେ ଅନୁଷ୍ଠିତ ପ୍ରତିଯୋଗିତାରେ ଶାରିରୀକ କ୍ରିଡ଼ା ଶିକ୍ଷକ ମନୋଜ କୁମାର ସାହୁଙ୍କ ତତ୍ୱାବଧାନରେ ୧୭ବର୍ଷରୁ କମ୍ ବିଭାଗରେ ଅଂଶ ଗ୍ରହଣ କରିଥିଲେ। ଏହି ମଣ୍ଡଳ ସ୍ତରୀୟ ପ୍ରତିଯୋଗିତାରେ ୪ଟି ରାଜ୍ୟର ବିଭିନ୍ନ ସିବିଏସ୍ଇ ସ୍କୁଲରୁ ମୋଟ ୫୬ଗୋଟି ସ୍କୁଲ ଅଂଶ ଗ୍ରହଣ କରିଥିଲେ। ପଶ୍ଚିମବଙ୍ଗ, ଆସାମ, ଛତିଶଗଡ଼ ଏବଂ ଓଡ଼ିଶାର ୮୦୦ରୁ ଉର୍ଦ୍ଧ୍ୱ ଖେଳାଳୀ ଅଂଶ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାଟି ସିବିଏସ୍ଇ ପ୍ରଥମଥର ଏସ୍.ଜି.ଏଫ.ଆଇ ସହିତ ଅନୁବନ୍ଧିତ କରି ଆରମ୍ଭ କରିଅଛି। ଏହି ପ୍ରତିଯୋଗିତାରେ ଉନ୍ନତ ଖେଳ ପ୍ରର୍ଦଶନ କରିଥିବା ୧୮ଜଣ ଖେଳାଳୀଙ୍କୁ ଗୋଲ୍ଡ ମେଡ଼ାଲ ପ୍ରଦାନ କରାଯିବା ସହିତ ଜାତୀୟ ସ୍ତରକୁ ଚୟନ କରାଯାଇଛି। ଏହି ଜାତୀୟ ସ୍ତରର ପ୍ରତିଯୋଗିତା ସେପ୍ଟେମ୍ବର ମାସ ଦିଲ୍ଳୀସ୍ଥିତ ନୋଏଡ଼ାରେ ଅନୁଷ୍ଠିତ ହେବ। ଶ୍ରେୟାଂଶୁଙ୍କ ଘର ଜଗନ୍ନାଥପୁର, ଭଦ୍ରକ। ତାଙ୍କ ମାତାଙ୍କ ନାମ ସୁମିତ୍ରା ନାଥ ଏବଂ ପିତାଙ୍କ ନାମ ହିମାଂଶୁ ଶେଖର ପାତ୍ର। ସେ ବର୍ତମାନ ଭଦ୍ରକ ଇଲେକ୍ଟ୍ରି ବିଭାଗରେ (ଟି.ପି.ଏନ.ଓ.ଡ଼ି.ଏଲ୍) ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟରତ। ଏହି ସଫଳତା ହାସଲ କଲାପରେ ବିଦ୍ୟାଳୟର ଅଧ୍ୟକ୍ଷ ଯୁଧିଷ୍ଠିର ଦେବତା, ଚେୟାରମ୍ୟାନ୍ ଦେବାଶିଷ ଦୀକ୍ଷିତ୍, ପ୍ରତିଷ୍ଠାତା ଆନନ୍ଦାନନ୍ଦ ଦୀକ୍ଷିତ୍, ଟ୍ରଷ୍ଟିର ସମସ୍ତ ସଦସ୍ୟ, ବିଦ୍ୟାଳୟର ସମସ୍ତ ଶିକ୍ଷକଗଣ ଏବଂ ସମସ୍ତ ସଦସ୍ୟ ଶୁଭେଚ୍ଛା ଜଣାଇବା ସହିତ ଶୁଭକାମନା କରିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ