ଶିମିଳିପାଳ ଶିକାରୀ ମୁକ୍ତ ମିଶନକୁ ସଫଳତା : ସ୍ୱେଚ୍ଛାକୃତ ଭାବେ ବନ୍ଧୁକ ସହ ଆତ୍ମ ସମର୍ପଣ କଲେ ଶିକାରୀ, ଶିକାର ଛାଡି ଶିମିଳିପାଳ ସୁରକ୍ଷାରେ ହେବେ ନିୟୋଜିତ
ବାରିପଦା, ୧୨ ଅଗଷ୍ଟ (ହି.ସ.)- ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବା ପାଇଁ ବନ ବିଭାଗର ପ୍ରୟାସ ସଫଳ ହେବାରେ ଲାଗିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗ୍ରାମ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜଣେ ଶିକାର
Shikari Atmasamarpana


ବାରିପଦା, ୧୨ ଅଗଷ୍ଟ (ହି.ସ.)- ଏସିଆ ମହାଦେଶର ଦ୍ୱିତୀୟ ବୃହତ ଜୈବମଣ୍ଡଳ ଶିମିଳିପାଳ ଅଭୟାରଣ୍ୟକୁ ଶିକାରୀ ମୁକ୍ତ କରିବା ପାଇଁ ବନ ବିଭାଗର ପ୍ରୟାସ ସଫଳ ହେବାରେ ଲାଗିଛି। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗ୍ରାମ ମାନଙ୍କରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଜଣେ ଶିକାରୀ ନିଜକୁ ଆତ୍ମ ସମର୍ପଣ କରିଛନ୍ତି। ଶିକାର ବାଟ ଛାଡି ଶିମିଳିପାଳରେ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ କାର୍ଯ୍ୟ କରିବାକୁ ବନ୍ଧୁକ ସହ ନିଜକୁ ଆତ୍ମ ସମର୍ପଣ କରିଛନ୍ତି। ସେ ହେଲେ ଉଦଳା ଥାନା ଅନ୍ତର୍ଗତ କୁଣ୍ଡାବାଇ ଅଞ୍ଚଳର ଫୁଲବାଡିଆ ଗ୍ରାମର ଚାରୁଚନ୍ଦ୍ର ସିଂ(୨୫)। ବନ ବିଭାଗ ପକ୍ଷରୁ ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଗ୍ରାମରେ ସ୍ଥାନୀୟ ଜନ ପ୍ରତିନିଧି ମାନଙ୍କ ସହଯୋଗରେ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ବନ୍ୟଜନ୍ତୁ ଶିକାର ନକରି ବନ୍ଧୁକ ବନ ବିଭାଗକୁ ହସ୍ତାନ୍ତର କରି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସଚେତନ କରାଯାଉଛି। ଯାହାକୁ ନେଇ ଚାରୁଚନ୍ଦ୍ର ସିଂ ତାଙ୍କ ଗ୍ରାମର ୱାର୍ଡମେମ୍ଵର ସୁକୁରା ସିଂଙ୍କ ଉପସ୍ଥିତିରେ ଡୁକୁରା ରେଞ୍ଜ କାର୍ଯ୍ୟାଳୟରେ ବନ୍ଧୁକ ସହ ନିଜକୁ ଆତ୍ମ ସମର୍ପଣ କରିଛନ୍ତି। ଶିମିଳିପାଳକୁ ଶିକାରୀ ଶୂନ୍ୟ କରିବା ମିଶନ ପ୍ରଭାବରେ ମାର୍ଚ୍ଚ ୨୦୨୪ରୁ ବର୍ତ୍ତମାନ ସୁଦ୍ଧା ୫୦ ବନ୍ଧୁକ ଶିକାରୀ ମାନେ ଆତ୍ମ ସମର୍ପଣ କରିବା ସହ ୧୦୦ରୁ ଉର୍ଦ୍ଧ୍ବ ବନ୍ଧୁକ ଜବତ କରାଯାଇଛି। ସ୍ଥାନୀୟ ସରପଞ୍ଚ ଓ ଅନ୍ୟାନ୍ୟ ଜନ ପ୍ରତିନିଧି ମାନଙ୍କ ସହାୟତା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଉକ୍ତ ଆତ୍ମ ସମର୍ପଣରେ ମଧ୍ୟ ସପନଚୁଆ ସରପଞ୍ଚ ଲୁଧିଆ ମାଝୀ, ଚମ୍ପାଝର ସରପଞ୍ଚ ବିକ୍ରମ ପିଙ୍ଗୁଆ ଏବଂ କେନ୍ଦୁଆ ସରପଞ୍ଚଙ୍କ ମୁଖ୍ୟ ଭୂମିକା ରହିଛି। ଏନେଇ ବନ ବିଭାଗ ପକ୍ଷରୁ କୌଣସି ମାମଲା ରୁଜୁ କରାଯାଇନାହିଁ। ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରୟାସ କରାଯାଇଛି। ବନ ବିଭାଗ ପକ୍ଷରୁ ମାଗଣାରେ ୨ମାସ ପାଇଁ ସ୍ୱେଚ୍ଛାସେବୀ ତାଲିମରେ ପଠାଯାଇଛି। ତାଲିମ ପରେ ସେ ଶିମିଳିପାଳର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ହେବେ। ତେବେ ଏହା ଅନ୍ୟ ମାନଙ୍କୁ ଶିକାର ଛାଡି ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପଥ ପ୍ରଦର୍ଶିତ କରିବ ବୋଲି ଆଶା ପ୍ରକଟ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande