ବାରିପଦା, ୧୨ ଅଗଷ୍ଟ (ହି.ସ.)- ବିଶ୍ୱ ହସ୍ତୀ ଦିବସ ଅବସରରେ ବନ ବିଭାଗ ପକ୍ଷରୁ ଶହୀଦ ସ୍ମୃତି ଭବନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ମୟୁରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ସମେତ ଅନ୍ୟ ଅତିଥି ଭାବେ ପୂର୍ବତନ ପିସିସିଏଫ୍ ଦେବବ୍ରତ ସ୍ବାଇଁ, ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ତଥା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନି ପ୍ରମୁଖ ଯୋଗ ଦେଇଥିଲେ। ବିଭାଗିୟ ଅଧିକାରୀ ଠାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ହାତୀ ସୁରକ୍ଷା ନେଇ ପ୍ରୟାସ ଜାରି ରଖିଛନ୍ତି। ଏହା ମଧ୍ୟରେ ହାତୀ ମଣିଷ ଲଢେଇ ମଧ୍ୟରେ ଲଢେଇ ହେଉଥିବା ବେଳେ କେତେବେଳେ ମଣିଷ ତ କେତେବେଳେ ହାତୀ ବଳି ପଡୁଛନ୍ତି। ଜଙ୍ଗଲ ଓ ଜୈବ ବିବିଧତା ନଷ୍ଟ ଯୋଗୁଁ ହାତୀ ଜନବସତି ମୁଁହା ହେଉଛନ୍ତି। ମୟୂରଭଞ୍ଜ ଜିଲ୍ଲାରେ ଏଭଳି ଦୃଶ୍ୟ ନିତି ଦିନିଆ ହେଇଗଲାଣି। କେବେ ଶିମିଳିପାଳ ହାତୀ ତ କେବେ ଝାଡଖଣ୍ଡି ହାତୀ ଏବେ ଜନ ବସତି ମୁହାଁ। ଲଗାତାର ଭାବେ ଜଙ୍ଗଲ ନଷ୍ଟ ହେବା ଫଳରେ ହାତୀ-ମଣିଷ ଲଢେଇ ଏବେ ଜିଲ୍ଲାରେ ପ୍ରାୟ ଦେଖିବାକୁ ମିଳୁଛି। ଜୈବ ବିବିଧତା ଅସନ୍ତୁଳନ ନେଇ କାର୍ଯ୍ୟକ୍ରମରେ ଚିନ୍ତା ପ୍ରକାଶ କରାଯାଇଛି। ଗତ ୨୦୨୨ମସିହାରେ ଜେନାବିଲ ରେଞ୍ଜରେ ହାତୀକୁ ମାରି ନଷ୍ଟ କରିବା ଅପରାଧରେ ବନ ବିଭାଗ କର୍ମଚାରୀ ସାମିଲ ଥିବାର ପ୍ରମାଣ ମିଳିଥିଲା। ପରେ ସେ ପ୍ରମାଣ ନଷ୍ଟ କରିବା ପାଇଁ ହାତୀକୁ ପୋଡ଼ି ଦିଆଯାଇଥିଲା।
ବନ ବିଭାଗର ସୂଚନା ଅନୁସାରେ ଜିଲ୍ଲାରେ ବିଗତ ୫ବର୍ଷ ଭିତରେ ୫୭ରୁ ଉର୍ଦ୍ଧ୍ବ ମଣିଷ ଜୀବନ ଯାଇଥିବା ବେଳେ ୨୯ ହାତୀର ମୃତ୍ୟୁ ଘଟିଛି। ଶିମିଳିପାଳ ଭିତରେ ବେଆଇନ ପଥର ଖାଦାନ, ବନାଗ୍ନି ଯୋଗୁଁ ଜୈବ ବିବିଧତା ନଷ୍ଟ ହେଉଛି। ଏନେଇ ଆଲୋଚନା ହୋଇଥିବା ବେଳେ ଆଗାମୀ ପଦକ୍ଷେପ ବାବଦରେ ଦୃଷ୍ଟି ଆକର୍ଷଣ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ