ଭୁବନେଶ୍ୱର,୧୨ ଅଗଷ୍ଟ (ହି.ସ)- ବାଲେଶ୍ୱର ଏଫଏମ୍ ପୀଡିତା ସୌମ୍ୟାଶ୍ରୀଙ୍କ ସମେତ ନାରୀ ନିର୍ଯାତନାର ଶିକାର ହୋଇଥିବା ମହିଳାମାନଙ୍କ ପାଇଁ ଆସନ୍ତା ୧୪ ତାରିଖରେ ବାଲେଶ୍ୱରରେ ପିସିସି ପକ୍ଷରୁ ନାରୀ ନ୍ୟାୟ ପଦଯାତ୍ରା ହେବାର ଥିଲା। ଉକ୍ତ କାର୍ଯ୍ୟକ୍ରମକୁ ଆସନ୍ତା ୨୨ ତାରିଖ ଶୁକ୍ରବାରକୁ ଘୁଂଚାଇ ଦିଆଯାଇଛି। ସେଦିନ ପୂର୍ବାହ୍ନ ୧୦ଟାରୁ ବାଲେଶ୍ୱର ସିନେମାହଲ୍ ଛକସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତି ପାଖରୁ ପିସିସି ସଭାପତି ଭକ୍ତ ଚରଣ ଦାସ, ଅନ୍ୟାନ୍ୟ କଂଗ୍ରେସ ନେତୃବୃନ୍ଦ ଓ ସହସ୍ର ସଂଖ୍ୟାରେ ଦଳୀୟ ତଥା ସାମାଜିକ କର୍ମୀ ଓ ମାନବବାଦୀ ସଂଗଠନର ସଭ୍ୟସଭ୍ୟା ଏକ ପଦଯାତ୍ରାରେ ବାହାରିବେ। ଉକ୍ତ ଶୋଭାଯାତ୍ରା ଫକୀରମୋହନ କଲେଜ, ଆଜିମାବାଦ, ସଦର ଥାନା ଛକ ଦେଇ ଗାନ୍ଧୀ ସ୍ମୃତି ଭବନ ପ୍ରାଙ୍ଗଣରେ ପହଞ୍ଚିବ। ସେଠାରେ ଏକ ସାଧାରଣ ସଭାରେ ସଭାପତି ଶ୍ରୀ ଦାସ ଓ ଦଳର ନେତୃବୃନ୍ଦ ଉଦ୍ବୋଧନ ଦେବେ।
ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ଚଳିତ ସପ୍ତାହରେ ନାରୀ ନ୍ୟାୟ ପାଇଁ ତିନୋଟି କାର୍ଯ୍ୟକ୍ରମ ଘୋଷଣା କରାଯାଇଥିଲା। ବଳଙ୍ଗାର ଦିବଂଗତା ନାବାଳିକାଙ୍କୁ ନ୍ୟାୟପ୍ରଦାନ ଦାବିରେ ଗତ ୮ ଅଗଷ୍ଟ କଟକସ୍ଥିତ ପୁଲିସ ଡିଜି କାର୍ଯ୍ୟାଳୟ ସମ୍ମୁଖରେ ପିସିସି ପକ୍ଷରୁ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଥିଲା। ସେହିପରି ଗତ ୧୦ ତାରିଖ ଉକ୍ତ ଦିବଂଗତା ନାବାଳିକାଙ୍କ ଗ୍ରାମ ବାୟାବରରୁ ବଳଙ୍ଗା ବାଟ ଦେଇ ପିସିସିର ନାରୀ ନ୍ୟାୟ ପଦଯାତ୍ରା ନିମାପଡ଼ାରେ ଏକ ସାଧାରଣ ସଭାରେ ଶେଷ ହୋଇଥିଲା। ମହିଳାଙ୍କ ସୁରକ୍ଷା ଦାବିରେ ସପ୍ତାହର ଶେଷ କାର୍ଯ୍ୟକ୍ରମ ବାଲେଶ୍ୱରଠାରେ ନାରୀ ନ୍ୟାୟ ପଦଯାତ୍ରା ରୂପରେ ଆସନ୍ତା ୨୨ ଅଗଷ୍ଟ ଶୁକ୍ରବାର ଅନୁଷ୍ଠିତ ହେବ ବୋଲି ବାଲେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ସଂଯୋଜକ ସଂଜୀବ ଗିରି ପ୍ରେସ ବାର୍ତ୍ତାରେ ଜଣାଇଛନ୍ତି। ଆହୁରି ମଧ୍ୟ, ବାଲେଶ୍ୱର ଓ ବଳଙ୍ଗା ପରି ଦୁଃଖଦାୟକ ଘଟଣାଗୁଡ଼ିକର ଦୋଷୀମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନ କଲେ ଆଗକୁ ରାଜ୍ୟରେ ସପ୍ତାହବ୍ୟାପୀ ଥାନା ଘେରାଉ କାର୍ଯ୍ୟକ୍ରମ କରାଯିବ ବୋଲି ପିସିସି ସଭାପତି ସରକାରଙ୍କୁ ଚେତାବନୀ ଦେଇଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା