ଧର୍ମଶାଳା,୧୨ଅଗଷ୍ଟ(ହି.ସ.) - ରସୁଲପୁର ବ୍ଲକ ଅନ୍ତର୍ଗତ ମହେଶ୍ୱରପୁର ପଂଚାୟତ ନୋଡାଲ ବିଦ୍ୟାଳୟରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହୋଇଥିଲା । ଯାହାକୁ ନେଇ ଜିଲା ପ୍ରଶାସନର ୂମଉଣ୍ଡ ବିନ୍ଧାର କାରଣ ପାଲଟିଥିଲା । ତେବେ ଏହି ଘଟଣାର ସତ୍ୟତା ଜାଣିବା ପାଇଁ ମଙ୍ଗଳବାର ଦିନ ଅତିରିକ୍ତ ଜିଲା ଶିକ୍ଷା ଅଧିକାରିଣୀ ସବିତା ସାହୁ,ରସୁଲପୁର ମଣ୍ଡଳ ଶିକ୍ଷାଅଧିକାରୀ ସୁଦର୍ଶନ ମଲ୍ଲିକ ଓ ଶିଶୁ ସୁରକ୍ଷା ଅଧିକାର କର୍ମୀ ମଂଟୁ ଦାସ ପ୍ରମୁଖ ତିନି ଜଣିଆ କମିଟି ମଧ୍ୟାହ୍ନ ଭୋଜନ ସମୟରେ ବିଦ୍ୟାଳୟରେ ପଂହଚି ମଧ୍ୟାହ୍ନ ଭୋଜନର ମାନ ଯାଂଚ କରିବା ସହିତ ଛାତ୍ରଛାତ୍ରୀମାନଙ୍କଠାରୁ ଖାଦ୍ୟର ମାନ ସମ୍ପର୍କରେ ପଚାରି ବୁଝିଥିଲେ । ପରେ ବିଦ୍ୟାଳୟ କାର୍ଯ୍ୟାଳୟରେ ପ୍ରଧାନଶିକ୍ଷକ ସାହାବୁଦ୍ଧିନ ଖାଁଙ୍କୁ ଘଟଣା ସମ୍ପର୍କରେ ପଚାରିବା ସହିତ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ଖାତା ଓ ଶିକ୍ଷକଙ୍କ ଉପସ୍ଥାନ ଖାତା ସହିତ ବିଦ୍ୟାଳୟର ସମସ୍ତ କାଗଜପତ୍ର ଯାଂଚ କରିଥିଲେ । ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଶିକ୍ଷକଙ୍କଠାରୁ ମଧ୍ୟାହ୍ନ ଭୋଜନର ସମସ୍ତ ହିସାବ ତନଖି କରିଥିଲେ । ତଦନ୍ତରେ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଜାଣିବାକୁ ପାଇଲା ପରେ ଭୋଜନରେ ସ୍ୱଚ୍ଛତା ଆଣିବା ଓ ଭେଦଭାବ ଦୂର କରିବା ପାଇଁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଜଣକ ପରେ ଜଣେ ପାଳି କରି ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେବା ପାଇଁ ଅଧିକାରୀମାନେ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ଓ ସହକାରୀ ଶିକ୍ଷକ ଉପରିସ୍ଥ ଅଧିକାରୀଙ୍କୁ ନ ଜଣାଇ ଛୁଟିରେ ରହି ପରେ ଚଂଚକତା କରି ଶିକ୍ଷକ ଉପସ୍ଥାନ ଖାତାରେ ହାଜିରା ପକାଇ ଦେଇଥିବା ୨ଶିକ୍ଷକଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ତାହା ସହିତ ଏହି ବିଦ୍ୟାଳୟର ଶିକ୍ଷକମାନେ ଟିୟୁସନ ଓ ଘରୋଇ ବିଦ୍ୟାଳୟରେ ପାଠ ନ ପଢାଉ ଥିବାର ଅଭିଯୋଗ ସମ୍ପର୍କରେ ଉକ୍ତ ଶିକ୍ଷକମାନଙ୍କୁ ସେଥିରୁ ନିବୃତ ରହିବା ପାଇଁ ନିର୍ଦ୍ଦେଣ ଦେବା ସହିତ ଯଦି ଆଗକୁ ପୁନଃର୍ବାର ଏ ସମ୍ବନ୍ଧରେ ଅଭିଯୋଗ ଆସେ ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତବାନୀ ଦେଇଥିଲ । ଆଜି ତଦନ୍ତର ସମସ୍ତ ଘଟଣା ସମ୍ପର୍କରେ ଜିଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ପ୍ରଦାନ କରିଲା ପରେ ଜିଲା ଶିକ୍ଷାଧିକାରୀ ପରବର୍ତି ବାକି ପଦକ୍ଷେପ ନେବେ ବୋଲି ତଦନ୍ତକାରୀ ଅଧିକାରିଣୀ ଶ୍ରୀମତି ସାହୁ ପ୍ରକାଶ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ