ବଲାଙ୍ଗିର, 13 ଅଗଷ୍ଟ (ହି.ସ.)
ବଲାଙ୍ଗିର ସ୍ଥାନୀୟ ଏକ ହୋଟେଲରେ ବଲାଙ୍ଗିର ଜିଲ୍ଲା ପେଟ୍ରୋଲିୟମ ଡିଲର ଏସୋସିଏସନର ଜିଲ୍ଲା ସଭାପତି ଆକାଶ ମିଶ୍ରଙ୍କ ସଭାପତିତ୍ୱରେ ଆଜି ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସରକାରଙ୍କ ନୂତନ ନିୟମ ଅନୁଯାୟୀ କୌଣସି ବ୍ୟକ୍ତିଙ୍କୁ ପ୍ଲାଷ୍ଟିକ ବୋତଲ କିମ୍ବା ପ୍ଲାଷ୍ଟିକ ଯାରରେ ପେଟ୍ରୋଲ କିମ୍ବା ଡିଜେଲ ଦେବାକୁ ମନା କରାଯାଇଛି । ତେଣୁ ଚାଷୀ ଚାଷ କାମ ପାଇଁ ଟ୍ରାକ୍ଟରେ ବ୍ୟବହୃତ କରୁଥିବା ଡିଜେଲ ନେବାରେ ଅସୁବିଧା ହେଉଥିବା ବେଳେ ଲୋକେ ରାସ୍ତାରେ ଗାଡିରେ ପେଟ୍ରୋଲ ସରିଗଲେ ନାହିଁ ନଥିବା ଅସୁବିଧା ସମୁଖୀନ ହେଉଛନ୍ତି । ଯଦି ପେଟ୍ରୋଲ ଦେଲେ ପୋଲିସ ଧରୁଛି, ନଦେଲେ ପେଟ୍ରୋଲ ପମ୍ପ ସହିତ ଲୋକେ ଝଗଡା କରୁଛନ୍ତି ତାକୁ ନେଇ ବିସ୍ତୃତ ଅଲୋଚନା ହୋଇଥିଲା । ସେପଟେ ଜିଲ୍ଲା ଯୋଗାଣ ବିଭାଗ ପେଟ୍ରୋଲ ଟାଙ୍କି ଗୁଡିକର ନବୀକରଣ ପାଇଁ ଟଙ୍କା ମାଗୁଥିବା ଏବଂ ଟଙ୍କା ନଦେଲେ ନବୀକରଣ କରୁନଥିବା ସଭାପତି ଶ୍ରୀ ମିଶ୍ର ଅଭିଯୋଗ କରିଛନ୍ତି । ସେଥିପାଇଁ ଟଙ୍କା ଦେଇଥିବା କିଛି ପେଟ୍ରୋଲ ଟାଙ୍କିର ନବୀକରଣ ହୋଇଥିବା ବେଳେ ଅନ୍ୟମାନେ ଟଙ୍କା ଦେଇ ପରୁନଥିବାରୁ ଉକ୍ତ ଟାଙ୍କି ଗୁଡକର ନବୀକରଣ ହୋଇ ପାରୁନାହିଁ ବୋଲି ସେ ଅଭିଯୋଗ କରିଛନ୍ତି । ବିଭିନ୍ନ ସମୟରେ ଫାଏର ସେପ୍ଟି, ଯୋଗାଣ ବିଭାଗ ଓ ୱେଟ ଏଣ୍ଡ ମେଜରମେଣ୍ଟ ବିଭାଗର ଅଧିକାରୀମାନେ ଆସି ପେଟ୍ରୋଲ ପମ୍ପମାନଙ୍କୁ ବିଭିନ୍ନ ଆଳ ଦେଖାଇ ହଇରାଣ କରୁଛନ୍ତି ଉପସ୍ଥିତ ପମ୍ପ ମାଲିକମାନେ ଆଲୋଚନା କରିଥିଲେ । ଗାଡିରେ ଡିପୋରୁ ଲୋଡ ହୋଇ ଆସୁଥିବା ପେଟ୍ରୋଲ ଓ ଡିଜେଲକୁ ରାସ୍ତାରେ ବେଆଇନ ଭାବରେ କାଢି ବିକ୍ରି କରୁଥିବା ଲୋକଙ୍କ ଉପରେ କିପରି ଲଗାମା ଲଗାଯାଇ ପାରିବ ସେନେଇ ଜିଲ୍ଲା ଏସପିଙ୍କ ସହ ଆଲୋଚନା କରିବାକୁ ପ୍ରସ୍ତାବ ହୋଇଥିଲା । କିଛି ଡିଲର ଡିସକାଉଣ୍ଟ କରି ବିକ୍ରି କରୁଛନ୍ତି ତାକୁ ମଧ୍ୟ ସମସ୍ତ ଡିଲର ଧ୍ୟାନ ଦେବାକୁ ସଭାପତି ଅନୁରୋଧ କରିଥିଲେ । ଜିଲ୍ଲା ସଭାପତି ଶ୍ରୀ ମିଶ୍ରଙ୍କ ନେତୃତ୍ୱରେ ସଂପାଦକ ଅଭିଶେକ ଅଗ୍ରୱାଲ, କୋଷାଧ୍ୟକ୍ଷ ଦର୍ଶନ ଭମର, ସୁଦ୍ଧାର୍ଥୀ ପଟେଲ, ରାକେଶ ମିଶ୍ର, ଯୁଧ୍ôଷ୍ଠିର ପଧାନ ଓ ଇପସିତ ନନ୍ଦଙ୍କୁ ନେଇ ଏକ ୭ଜଣିଆ କମିଟି ଗଠନ କରାଯାଇଥିଲା ଏହି କମିଟି ପମ୍ପ ମାଲିକଙ୍କ ବିଭିନ୍ନ ସମସ୍ୟା ନେଇ ବଲାଙ୍ଗିର ଜିଲ୍ଲାପାଳ, ଏସପି, ଯୋଗାଣ ଅଧ୍ôକାରୀ ଏବଂ ଫାଏର ଅଫିସରଙ୍କ ସହ ଅଲୋଚନା କରିବା ସହ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିବ । ଜିଲ୍ଲା ପ୍ରଶାସନ ସହ ଆଲୋଚନା ପରେ ବି ଯଦି କୌଣସି ସମାଧାନ ନ ହୁଏ ତେବେ ହାଇକୋର୍ଟରେ ଏକ ପିଆଇଏଲ ଫାଇଲ କରିବାକୁ ପ୍ରସ୍ତାବ ହୋଇଥିଲା ଏବଂ ପ୍ରତ୍ୟେକ ବର୍ଷ ଜାନୁୟାରୀ ପ୍ରଥମ ରବିବାର ଓ ଜୁଲାଇ ମାସର ପ୍ରଥମ ରବିବାର ବୈଠକ ହେବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା । ଆଜିର ବୈଠକରେ ଜିଲ୍ଲାର ସମସ୍ତ ପମ୍ଫ ମାଲିକ ଉପସ୍ଥିତ ରହି ନିଜର ମତ ରଖିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ