ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା
ଚମ୍ପୁଆ, 14 ଅଗଷ୍ଟ (ହି.ସ.) ଗତକାଲି ସ୍ବାମୀ ଗାଁ ରେ କରିଥିଲେ ଆତ୍ମହତ୍ୟା। ଆଜି ସ୍ତ୍ରୀ ର ମୃତଦେହ ଚମ୍ପୁଆ ଏନଏସି ଅନ୍ତର୍ଗତ ରାମଲାରେ ନିର୍ମାଣ ଚାଲିଥିବା ନୂତନ ଘର ଭିତରୁ ଉଦ୍ଧାର କରିଛି ପୁଲିସ। ସ୍ବାମୀ ସ୍ତ୍ରୀ କୁ ହତ୍ୟା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣା ସ୍
ସ୍ତ୍ରୀକୁ ମାରି ସ୍ବାମୀର ଆତ୍ମହତ୍ୟା


ଚମ୍ପୁଆ, 14 ଅଗଷ୍ଟ (ହି.ସ.) ଗତକାଲି ସ୍ବାମୀ ଗାଁ ରେ କରିଥିଲେ ଆତ୍ମହତ୍ୟା। ଆଜି ସ୍ତ୍ରୀ ର ମୃତଦେହ ଚମ୍ପୁଆ ଏନଏସି ଅନ୍ତର୍ଗତ ରାମଲାରେ ନିର୍ମାଣ ଚାଲିଥିବା ନୂତନ ଘର ଭିତରୁ ଉଦ୍ଧାର କରିଛି ପୁଲିସ। ସ୍ବାମୀ ସ୍ତ୍ରୀ କୁ ହତ୍ୟା ପରେ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଅନୁସାରେ ପଡୁଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ବୃନ୍ଦାବନ ମହାନ୍ତ ଗତକାଲି ପ୍ରାୟ ସନ୍ଧ୍ୟା ସମୟରେ ନିଜ ଗାଁ ବାରିଆ ଥାନା ଅନ୍ତର୍ଗତ ବିରିକୁଆଁ ରେ ନିଜ ଘର ଭିତରେ ଫାସି ଦେଇ ଆତ୍ମହତ୍ୟା କରିଥିଲେ । ତାଙ୍କ ମୃତଦେହକୁ ଆଜି ବାରିଆ ପୁଲିସ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ବ୍ୟବଛେଦ ପାଇଁ ପଠାଇଥିବା ବେଳେ ଗତ ମଙ୍ଗଳବାର ଠାରୁ ବୃନ୍ଦାବନଙ୍କ ସ୍ତ୍ରୀ ମଞ୍ଜୁଳାଙ୍କ ମୋବାଇଲ ସୁଇଚ ଅପ ରହିଥିଲା। ମଞୁଳା ଚମ୍ପୁଆ ବ୍ଲକ ବାଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦି ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ। ସେ ମଙ୍ଗଳବାର ସ୍କୁଲ ଯାଇଥିବା ବେଳେ ସନ୍ଧ୍ୟାରୁ ତାଙ୍କ ମୋବାଇଲ ସୁଇଚ ଅପ ରହିଥିଲା। ଆଜି ତାଙ୍କ ମୃତ ଦେହ ଚମ୍ପୁଆ ଏନଏସି ଅନ୍ତର୍ଗତ ରାମଲା ଠାରେ ନୂତନ ଘର ଭିତରୁ ଉଦ୍ଧାର କରାଯାଇଛି। ୨୨ ବର୍ଷ ତଳେ ପ୍ରେମ ବିବାହ କରିଥିବା ଏହି ଶିକ୍ଷକ ଦମ୍ପତିଙ୍କ ଦୁଇଟି ପୁଅ ଅଛନ୍ତି। ଗତ କିଛି ମାସ ହେବ ଦୁହିଁଙ୍କ ମଧ୍ୟରେ ସଂପର୍କରେ ତିକ୍ତତା ଆରମ୍ଭ ହୋଇ ଥିଲା, ଫଳରେ ବୃନ୍ଦାବନ ଗାଁ ରେ ଦୁଇପୁଅଙ୍କ ସହ ରହୁଥିବା ବେଳେ ମଞୁଳା ଚମ୍ପୁଆ ଠାରେ ଘର ଭଡା ନେଇ ରହୁଥିଲେ। ଗତରାତି ବୃନ୍ଦାବନ ଗାଁ ରେ ଆତ୍ମହତ୍ୟା କରିଥିବା ବେଳେ ମଞ୍ଜୁଳାଙ୍କୁ ଯୋଗାଯୋଗ କରି ନ ପାରି ଆଜି ତାଙ୍କ ଦୁଇ ପୁଅ ଓ ଭାଇ ପ୍ରଥମେ ଭଡା ଘରକୁ ଯାଇ ଖୋଜି ଥିଲେ। ସେଠାରେ ତାଙ୍କୁ ନ ପାଇ ରାମଲାସ୍ଥିତ ନୂଆ ଘରକୁ ଆସି ଝରକା ପଟୁ ମଞୁଳାଙ୍କ ଗଳିତ ମୃତ ଦେହ ଘର ଭିତରେ ଏକ ଖଟ ଉପରେ ପଡିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଚମ୍ପୁଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତରେ ବନ୍ଦ ପଡିଥିବା ଘରର ତାଲା ଭାଙ୍ଗି ଶବକୁ ଜବତ କରିବା ସହିତ ସାଇଣ୍ଟିଫିକ ଟିମ ସହାୟତା ରେ ତଦନ୍ତ ଆରମ୍ଭ କରିଛି। ତେବେ ପୋଲିସ ର ପ୍ରାଥମିକ ତଦନ୍ତରୁ ବୃନ୍ଦାବନ ମଞ୍ଜୁଳାଙ୍କୁ ମଙ୍ଗଳବାର ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / Trinath Mahanta


 rajesh pande