ବାରିପଦା, ୧୪ ଅଗଷ୍ଟ (ହି.ସ.) - ଆଜି ବାରିପଦାଠାରେ ହର ଘର ତ୍ରିରଙ୍ଗା ଉପଲକ୍ଷେ ଏକ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ସହିତ ତ୍ରିରଙ୍ଗା ୱାକାଥନ ଅନୁଷ୍ଠିତ ହୋଇଯାଇଛି । ତ୍ରିରଙ୍ଗା ବାଇକ ଯାତ୍ରାକୁ ଜିଲ୍ଲାପାଳ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଂଟୁପାଲ୍ଲୀ, ଆଇଏଏସ ପ୍ରୋବେଶନର କାଶିଷ ବକ୍ସି ପ୍ରମୁଖ ପତାକା ଦେଖାଇ ଶୁଭାରମ୍ଭ କରି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାଲିରେ ସାମିଲ ହୋଇଥିଲେ । ସେହିପରି ୱାକାଥନ ରାଲିରେ ଏକ ୧୦୦ ମିଟର ଲମ୍ବ ପତାକା ଧରି ବିଭିନ୍ନ ସ୍ଲୋଗାନ ଦେଇ ସହର ପରିକ୍ରମା କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକ, ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ଡ଼. ଦୟାସିନ୍ଧୁ ପରିଡା, ନିଜାରତ ଅଧିକାରୀ ଶ୍ରୀକାନ୍ତ ନାୟକ ଙ୍କ ସମେତ ସହରର ବିଭିନ୍ନ କ୍ଷେତ୍ରର ଶତାଧିକ ଜନତା ଏହି ତ୍ରିରଙ୍ଗା ପତାକା ଧରି ରାଲି ରେ ସାମିଲ ହୋଇଥିଲେ । ବାଇକ ଶୋଭାଯାତ୍ରାରେ ୧୦୦୦ରୁ ଉର୍ଦ୍ଧ ବିଭିନ୍ନ ବର୍ଗର ଜନତା ସାମିଲ ହୋଇ ସହର ପରିକ୍ରମା କରିଥିଲେ । ଜିଲ୍ଲା ପ୍ରଶାସନ ତରଫରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୌରପାଳିକା ଉପାଧ୍ୟକ୍ଷା ସୀମା ଦାସ, ମୁଖ୍ୟ ଉନ୍ନୟନ ଅଧିକାରୀ ଧର୍ମାନନ୍ଦ ବେହେରା, ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସପନ କୁମାର ସାହୁ ରାଉତ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିନୋଦ କିଷାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମମତାମୟୀ ବିଶ୍ୱାଳ, ଜିଲ୍ଲା କ୍ରୀଡା ଅଧିକାରୀ ସୁଭାଶିଷ ନାୟକ ସେଠୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ, ବିଭିନ୍ନ ୱାର୍ଡର କାଉନସିଲର ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ । ରାଲି ସମ୍ପୂର୍ଣ୍ଣ ହେବାପରେ ଅଂଶ ଗ୍ରହଣକାରି ମାନଙ୍କୁ ଫାଇଲେରିଆ ନିରାକରଣ ପାଇଁ ସାମୁହିକ ଔଷଧ ସେବନ କରିବାପାଇଁ ପରାମର୍ଶ ଦେଇଥିଲେ ଏବଂ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଖୋଲାଯାଇଥିବା କ୍ୟାମ୍ପ ସମସ୍ତେ ଏହି ଔଷଧ ସେବନ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ