ଭୁବନେଶ୍ୱର,୧୪ ଅଗଷ୍ଟ(ହି.ସ)- ବିରୋଧୀଙ୍କୁ ଟାର୍ଗେଟ କରି ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ ଯେଉଁମାନେ ଯେଉଁ ପ୍ରକାର ଚଷମା ପିନ୍ଧନ୍ତି, ଦୁନିଆ ତାଙ୍କୁ ସେମିତି ଦେଖାଯାଏ । ଦୀର୍ଘ ଦିନ ଧରି ଶାସନରେ ଥିବା ବିଜେଡ଼ି ଚାଷୀ ମାନଙ୍କ ପାଇଁ କଣ କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି । ମଣ୍ଡିରେ ଗୋଦାମ ଘର ବ୍ୟବସ୍ଥା ନଥିବାରୁ ଅଦିନିଆ ବର୍ଷାରେ ଚାଷୀଙ୍କ ଧାନ ଓଦା ହୋଇ ନଷ୍ଟ ହେଉଥିଲା। ଚାଷୀଙ୍କ ପାଇଁ କୌଣସି ଆନୁଷଙ୍ଗିକ ବ୍ୟବସ୍ଥା ନଥିଲା । ୨୪ ବର୍ଷ ସରକାରରେ ରହି ସେମାନେ ଯାହା କରିପାରିଲେନି, ତାହା ବିଜେପି ସରକାର ବର୍ଷେ ଭିତରେ କରି ଦେଖାଇଥିବାରୁ ବିଜେଡ଼ି ବିଶ୍ୱାସ କରିପାରୁନି। ପୂର୍ବତନ ମୁଖ୍ୟମନ୍ତ୍ରୀ ସୋହେଲାରେ ଚାଷୀଙ୍କୁ ୧୦୦ ଟଙ୍କା ବୋନସ ଦେବେ ବୋଲି ଘୋଷଣା କଲେ କିନ୍ତୁ ଦେଲେ ନାହିଁ।
ସେ ଆହୁରି କହିଛନ୍ତି କୃଷକ ମାନଙ୍କ ପାଇଁ ବିଜେପି ସରକାର ସମର୍ପିତ। ଚାଷୀଙ୍କ ଆୟ ବୃଦ୍ଧି ଠାରୁ ଆରମ୍ଭ କରି ସୁବିଧାରେ ଫସଲ ବିକ୍ରି କରିବାର ବ୍ୟବସ୍ଥା କରୁଛନ୍ତି ସରକାର। ଧାନ ମଣ୍ଡି ଭିତିଭୂମି ସୁଦୃଢ କରୁଛନ୍ତି। ଗୋଦାମ ଘର, ଚାଷୀଙ୍କ ପାଇଁ ଆନୁସଙ୍ଗିକ ବ୍ୟବସ୍ଥା କରୁଛନ୍ତି । ସେ ଆହୁରି କହିଛନ୍ତି ସରକାର ପାଇଲଟ ପ୍ରଜେକ୍ଟ ଭଳି ୩୮ଟି ମଡେଲ ମଣ୍ଡି ତିଆରି କରିବେ। ସେଠାରେ ଚାଷୀ ଧାନ ଠାରୁ ଆରମ୍ଭ କରି ପନିପରିବା ବିକ୍ରି କରିପାରିବେ। ମଡେଲ ମଣ୍ଡିରେ ଛୋଟ ବଡ଼ ମିଶାଇ ୩ଟି କାଟେଗୋରୀର ଗୋଦାମ ଘର ମଧ୍ୟ ରହିବ। ଚାଷୀ ମାନଙ୍କ ପାଇଁ ରେଷ୍ଟ ସେଡ, ଟଏଲେଟ୍, ପିଇବା ପାଣି ଭଳି ବ୍ୟବସ୍ଥା ମଧ୍ୟ କରାଯିବ। ଚାଷୀ ମାନଙ୍କ ଦୀର୍ଘ ବର୍ଷର ଅପେକ୍ଷାକୁ ପ୍ରାଥମିକତା ଭିତିରେ କରୁଛନ୍ତି ରାଜ୍ୟ ସରକାର।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା