ଭଦ୍ରକ, ୧୬ ଅଗଷ୍ଟ (ହି.ସ.) - ଆମେ ଯେଉଁ ସ୍ୱାଧିନତା ହାସଲ କରିଛୁ ତାହା ଆମ ପୂର୍ବ ପୁରୁଷ ଓ ସମ୍ମାନନୀୟ ସ୍ୱାଧିନତା ସଂଗ୍ରୀମୀମାନଙ୍କ ବର୍ଷ ବର୍ଷ ର ତ୍ୟାଗ ଏବଂ ବୀରତ୍ୱର ନିଦର୍ଶନ । ଏହି ଐତିହାସିକ ଜାତୀୟ ଆନ୍ଦୋଳନରେ ସଂଗ୍ରାମ, ଶହୀଦ ର ମାଟି ଭଦ୍ରକ ଜିଲ୍ଲାର ଗାରିମାମୟ ବଳିଦାନ ର ମୂକସାକ୍ଷୀ ରୂପେ ଆଜିବି ଲୁଣିଆ, ଇରମ ସ୍ମୃତିପୀଠ ଦଣ୍ଡାୟମାନ । ବହୁ ଉପଲବ୍ଧି ଆମ ଦେଶ ମାତୃକା ସ୍ୱାଧୀନ ଭାରତର ଅଖଣ୍ଡତାର ସୁରକ୍ଷା ଓ ବିକଶିତ ଭାରତ ଗଠନ ପାଇଁ ତାର ସମୃଦ୍ଧି ସାଧନ କରିବା ଦିଗରେ ଆମ ସମସ୍ତଙ୍କର ନୈତିକ କର୍ତବ୍ୟ ରହିଛି ବୋଲି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ର ଖେଳପଡିଆରେ ଆୟୋଜିତ ଭଦ୍ରକ ଜିଲ୍ଲାସ୍ତରୀୟ ୭୯ ତମ ସ୍ୱାଧିନତା ଦିବସ ପାଳନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଶା ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ବିଭାଗ ର ମନ୍ତ୍ରୀ ଡା. କୃଷ୍ଣଚନ୍ଦ୍ର ମହାପାତ୍ର ଉଦବୋଧନରେ ପ୍ରକାଶ କରିଥିଲେ । ଜାତୀୟ ପତାକା ଉତୋଳନ କରିବା ସହିତ ମାର୍ଚ୍ଚ ଫାଷ୍ଟ ରେ ଅଂଶଗ୍ରହଣ କରିଥିବା ୪୦ ଗୋଟି ପ୍ୟାରେଡ ଦଳ ଠାରୁ ଅଭିବାଦନ ଗ୍ରହଣ କରିଥିଲେ । ଜିଲ୍ଲାପାଳ ଦିଲିପ ରାଉତରାଏ ଓ ଏସ୍.ପି ମନୋଜ ରାଉତ ମନ୍ତ୍ରୀଙ୍କ ସହ ପତାକା ମଂଚରେ ଉପସ୍ଥିତ ଥିଲେ । ଆର.ଆଇ ପୋଲିସ ଦେବାଶିଷ ଭୂୟାଁ ଓ ସହଯୋଗୀ ଅଭିରାମ ଖଟୁଆ ପ୍ୟରେଡ ପରିଚାଳନା କରିଥିଲେ । ପରେ ପରେ କାରମେଲ, ଜ୍ୟୋତି କନଭେଂଟ୍ ଓ ସେଂଟ ଜାଭିୟର ସ୍କୁଲ ଦ୍ୱାରା ରଙ୍ଗାରଙ୍ଗ ଦେଶାତ୍ମକବୋଧ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏନ.ସି.ସି, ସ୍କାଉଟ, ଗାଇଡ, ରେଡକ୍ରସ, ସିଭିଲିଆନ ଆଦି ପ୍ରତିବର୍ଗର ବିଜେତା ଦଳକୁ ଆକର୍ଷଣୀୟ ଟ୍ରଫି ପ୍ରଦାନ କରାଯାଇଥିଲା । ଶ୍ରେଷ୍ଠ କମାଣ୍ଡର, ଶ୍ରେଷ୍ଠ ଫ୍ଲାଗ କମାଣ୍ଡରଙ୍କୁ ଟ୍ରଫି ରୋଟାରି ମିଡଟାଉନ କ୍ଲବ ଦ୍ୱାରା ପ୍ରାୟୋଜିତ ହୋଇଥିଲା । ପ୍ୟାରେଡ୍ କାର୍ଯ୍ୟକ୍ରମ ପରେ ମୁଖ୍ୟ ଅତିଥି ଅନ୍ୟ ସମସ୍ତଙ୍କ ଗହଣରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରିବା ସହିତ ବୃକ୍ଷ ରୋପଣ ଓ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ଯୋଗଦେଇ ନିଜେ ଗଛ ଲଗାଇଥିଲେ, ସଫେଇ ମଧ୍ୟ କରିଥିଲେ । କାର୍ଯ୍ୟସୂଚୀ ଅନୁଯାଇ ଜିଲ୍ଲା ସଂସ୍କୃତି ଭବନରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟନ କରି ସ୍ୱାଧିନତା ସଂଗ୍ରାମୀ ଓ ଯାତ୍ରା ସମ୍ରାଟ ଶ୍ୟାମସୁନ୍ଦର ମହାପାତ୍ର ସ୍ମୃତି ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଯୋଗଦେଇ ପରିବେଶ ସୁରକ୍ଷା, ନିଶା ନିବାରଣ, ସ୍ୱଚ୍ଛତା ଉପରେ ଆଲୋକପାତ କରିବାକୁ ଯାଇ ବୃକ୍ଷ ରୋପଣ ଓ ସମସ୍ତ ପ୍ରକାର ପ୍ରଦୂଷଣ ରୋକି ପ୍ରକୃତିକୁ ଆମେ ବଂଚାଇଲେ ସେ ଆମକୁ ବଂଚାଇବବୋଲି କହିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଗୁଟୁଖା ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ନିଜ ଦେହ ପୋଷାକ, ପେଟ ସଫା ରଖିଲାଭଳି ଆମେ ସମସ୍ତେ ଆମ ଘର, ଗାଁ, ସହର ସଂପୂର୍ଣ୍ଣ ପରିବେଶ କୁ ସଫା ରଖିବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭଦ୍ରକ ବିଧାୟକ ସୀତାଂଶୁ ସେଖର ମହାପାତ୍ର, ଦୁଇ ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଓ ରବିନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତି, ସମ୍ବର୍ଦ୍ଧିତ ପ୍ରତିଭା ସ୍ୱାଧିନତା ସଂଗ୍ରାମୀ ବ୍ରଜକିଶୋର ରାଉତ ଯୋଗ ଦେଇଥିଲେ । ଦିବସଭିତିକ ସମସ୍ତ କାର୍ଯ୍ୟକ୍ରମ ର ଆୟୋଜକ ସଂଯୋଜକ ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାର୍ତିକନାଥ ମଣ୍ଡଳ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବଂଶୀଧର ଜେନାଙ୍କୁ ଶିଳ୍ପୀକାର ସମ୍ବର୍ଦ୍ଧନା ଓ ସନାତନ ସାମଲଙ୍କୁ ଶ୍ୟାମସୁନ୍ଦର ସ୍ମୃତି ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଧ୍ୟା କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ତ୍ରିରଙ୍ଗା ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାର୍ତିକନାଥ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଂଚଳିକ ଓ ସାଂସ୍କୃତିକ କଳା ପ୍ରତିଭାମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା । ଚିତାକର୍ଷକ ସଂଗୀତ, ନୃତ୍ୟ କାର୍ଯ୍ୟକ୍ରମ ଏହି ଦିବସ ପାଳନ ଉପଲକ୍ଷେ ରୋଟାରୀ କ୍ଲବ, ଭଦ୍ରକ ପୃଷ୍ଟପୋଷକତାରେ ଆୟୋଜିତ ଓଡିଆ ଓ ଇଂରାଜୀ ବକ୍ତୃତା, ସାଳନ୍ଦୀ ହସପିଟାଲ୍ ଦ୍ୱାରା ଦେଶାତ୍ମବୋଧକ ସଂଗୀତ, ସାଳନ୍ଦୀ ନର୍ସିଂ ସ୍କୁଲଦ୍ୱାରା ଲିଖିତ ସାଧାରଣ ଜ୍ଞାନ ଓ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗୀତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଭଦ୍ରକ ସରକାରୀ ଉଚ୍ଚ ବିଦ୍ୟାଳୟ, ଏନ.ସି.ସି କ୍ୟାଡେଟ୍, ଉତ୍ସବ, ମନ୍ଦିରା, ସାଇ, ଆର.ଡି.ଏସ୍, ମନମୋହନ ସଂଗୀତ ପରିଷଦ, ଭଦ୍ରକ ମ୍ୟୁଜିକ କଲେଜ, ଜଗନ୍ନାଥ ସାଂସ୍କୃତିକ କଳା ସଂଘ, ପଦ୍ମାଳୟା, ଶାନ୍ତିଲତା, ମୟୁରୀ ଆଦି ଡ୍ୟାନ୍ସ ଏକାଡେମୀ ଦ୍ୱାରା ଦେଶାତ୍ମବୋଧ ଭିତିକ ନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଯୁବ ସଂଗୀତଶିଳ୍ପୀ ଭାବେ ଦୀପକ ରାୟମହାପାତ୍ର, ଆଦିତ୍ୟ ମହାନ୍ତି, ସମୀକ୍ଷା ମହାନ୍ତି, ଶୁଭ୍ରସ୍ମିତା ରାଉତ, ସ୍ମୃତିଶ୍ରେୟା ମହାନ୍ତି, ହିମାଦ୍ରୀତନୟା ପଣ୍ଡା, ପ୍ରଧାନ ଶିକ୍ଷୟତ୍ରୀ ଜାନକୀ ପାଢୀ, କୁନି କଳାକାର ଅଶ୍ୱିନୀ ମହାନ୍ତି ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଚିତ୍ରକଳା ପ୍ରଦର୍ଶନୀରେ ଭଦ୍ରକ ଆର୍ଟ କଲେଜ ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟ ଓ ଫଳ ପ୍ରଦାନରେ ଭଦ୍ରକ ଜିଲ୍ଲା ସ୍କୁଲ ଓ ଭଦ୍ରକ ବସ ମାଲିକ ସଂଘ, ସମ୍ୱର୍ଦ୍ଧନା ଓ ସାଂସ୍କୃତିକ ଆୟୋଜନରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ତନୁଜା ସିର୍କା, ପ୍ୟାରେଡ ପ୍ରତିଯୋଗିତା ମୂଲ୍ୟାଙ୍କନ ରେ ବିଚାରକଭାବେ ଏ.ଏସ୍.ପି. ଅରୁପ ଅଭିଷେକ ବେହେରା, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତି, ଅବସରପ୍ରାପ୍ତ ସାମରିକ ଅଧିକାରୀ ଗଣେଶ୍ୱର ସେଠୀ, ପ୍ୟାରେଡ ଦଳମାନଙ୍କୁ ଜଳଯୋଗ ବିତରଣ, ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା ଆଦି ବିଭିନ୍ନ କାର୍ଯ୍ୟରେ ଆନୁସଂଗୀକ ସହଯୋଗ ପ୍ରଦାନରେ ରୋଟାରି ମିଡଟାଉନ କ୍ଲବ ର ସଂପାଦକ ଅତିଶ କୁମାର ବେହେରା ପ୍ରମୁଖ ସଂପୃକ୍ତ ଦାୟିତ୍ୱ ନିର୍ବାହ କରିଥିଲେ । ଏନ.ସି.ସି. ଅଧିକାରୀ ଲେଫ୍ଟନାଂଟ କର୍ଣ୍ଣେଲ ସୁଦିପ କୁମାର ସାହୁ ମଧ୍ୟ ସମସ୍ତ କାର୍ଯ୍ୟକ୍ରମରେ ଯୋଗଦେଇ ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ପ୍ରତ୍ୟୁଷରୁ ରାମଧୁନ କାର୍ଯ୍ୟକ୍ରମଠାରୁ ଆରମ୍ଭକରି ତ୍ରିରଙ୍ଗା ମହୋତ୍ସବ ପର୍ଯ୍ୟନ୍ତ ଦିବସ ଭିତିକ କାର୍ଯ୍ୟକ୍ରମର ସଂଯୋଜକଭାବେ ଡେପୁଟି କଲେକ୍ଟର ତଥା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାର୍ତିକନାଥ ମଣ୍ଡଳ ସମସ୍ତ ପରିଚାଳନାଗତ ଦାୟିତ୍ୱ ନିର୍ବାହ କରିଥିଲାବେଳେ ସଂପୃକ୍ତ ବିଭାଗ କର୍ମଚାରୀ ମିନାକ୍ଷୀ ଗରାବଡୁ, ପ୍ରଫୁଲ୍ଲ ଦାସ, ରଙ୍ଗାଧର ଜେନା, ଲିଜାରାଣୀ ସାହୁ, ଜ୍ୟୋତିରଞ୍ଜନ ସାହୁ ପ୍ରମୁଖ ଆନୁସଂଗୀକ ସହଯୋଗ କରିଥିଲେ । ଏଥିରେ ପ୍ରାକ୍ତନ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ ମଧ୍ୟ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ