ବାରିପଦା, 16 ଅଗଷ୍ଟ (ହି.ସ.) - ବାରିପଦା ସଦର ଥାନା ଅନ୍ତର୍ଗତ ଶଙ୍ଖାଭଙ୍ଗା ଗ୍ରାମରେ ଗୋ ମାଂସ ବିକ୍ରି ନେଇ ଅଭିଯୋଗ ହୋଇଛି। ଯାହାକୁ ନେଇ ଗ୍ରାମବାସୀ ଓ ଲୋକଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଶଙ୍ଖାଭଙ୍ଗା ଗ୍ରାମର ପଣ୍ଡିତ ରଘୁନାଥ ମୁର୍ମୁ ମେମୋରିଆଲ କ୍ଲବ ଆନୁକୂଲ୍ୟରେ ବାର୍ଷିକ ଫୂଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ହୋଇଥିଲା। ସେଠାରେ ଗ୍ରାମବାସୀ ମାନେ ମାଂସ ରୋଷେଇ କରୁଥିବା ବେଳେ ତାହା ଗୋ ମାଂସ ବୋଲି କିଛି ଲୋକେ ଅଭିଯୋଗ କରିଥିଲେ । ଯାହାକୁ ନେଇ ଗ୍ରାମବାସୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ଉଭୟ ପକ୍ଷ ମଧ୍ୟରେ ହାତାହାତି ଆରମ୍ଭ ହେବାରୁ ଘଟଣାସ୍ଥଳରେ ବାରିପଦା ସଦର ଥାନା ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ। ଅଭିଯୋଗକ୍ରମେ ୬ଜଣ ଗ୍ରାମବାସୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛନ୍ତି। ସେମାନେ ହେଲେ ଚାନ୍ଦୁଆ ଥାନା ଅନ୍ତର୍ଗତ କୁଆବୁଡା ଗ୍ରାମର ଲକ୍ଷ୍ମଣ ମାର୍ଣ୍ଡି(୧୯), କେଉଟଣମାରି ଗ୍ରାମର ଦୁଲାରୀ ମୁର୍ମୁ(୪୦), ବଡ଼ସାହି ଥାନା ଅନ୍ତର୍ଗତ ଡୁକୁରା ଗ୍ରାମର ମକରା ମୁର୍ମୁ(୩୦), ଶଙ୍ଖାଭଙ୍ଗା ଗ୍ରାମର ଗୋପୀନାଥ ମାର୍ଣ୍ଡି(୨୫), ମୋରଡା ଥାନା ଅନ୍ତର୍ଗତ ଇଟାପୋଖରୀର ଗ୍ରାମର ଚମ୍ପା କିସ୍କୁ(୧୯) ଓ ପୁଣ୍ଟୁ ମାର୍ଣ୍ଡି(୪୫)। ପୁଲିସ ପକ୍ଷରୁ ଘଟଣା ସ୍ଥଳରୁ ୮୦ କି ଗ୍ରା ରୋଷେଇ ମାଂସ ଓ ୧କିଲୋ ମାଂସ ଜବତ କରାଯାଇଛି। ଗଣ୍ଡଗୋଳରେ ଆହତମାନଙ୍କ ପକ୍ଷରୁ ଥାନାରେ ଅଭିଯୋଗ ହୋଇଅଛି । ଅନ୍ୟପଟେ ପଶ୍ଚିମବଙ୍ଗ ଅଞ୍ଚଳରୁ ଜଣେ ବ୍ୟକ୍ତି ଗୋ ମାଂସ ଆଣି ଶଙ୍ଖାଭଙ୍ଗା ପଡ଼ିଆ ନିକଟରେ ବିକ୍ରି କରୁଥିବାର ସ୍ୱୀକାର କରିଛନ୍ତି। ତେବେ ତାଙ୍କ ଠାରୁ ମାଂସ କିଣି ରୋଷେଇ କରୁଥିବା ନେଇ ଲୋକେ ଅଭିଯୋଗ କରିଛନ୍ତି। ଏହିପରି ସର୍ବସାଧାରଣ ସ୍ଥାନରେ ଅମାନୁଷିକ ଭାବରେ ଗୋ ମାଂସ ରୋଷେଇ କରି ଭକ୍ଷଣ କରିବାକୁ ଅଭିଯୋଗକୁ ନେଇ ସମସ୍ତେ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ ତଦନ୍ତ କରି ଦୋଷୀ ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଥାଶୀଘ୍ର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ଏନେଇ ତଦନ୍ତ ଜାରି ଥିବା ନେଇ ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ