କେନ୍ଦ୍ରାପଡ଼ା, ୧୭ ଅଗଷ୍ଟ(ହି.ସ.) – କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଚତୁର୍ପାର୍ଶ୍ୱ ରୁ ନଦୀଘେରା ପଂଚାୟତ ଏକମାଣିଆରେ ଆଜି ସକାଳୁ ଏକ ଦୁଃଖଦ ତଥା ଲୋମହର୍ଷଣକାରୀ ଘଟଣା ଘଟିଯାଇଛି। ସୂଚନା ସୂତ୍ରରୁ ପ୍ରକାଶ ଆଳି ବ୍ଲକ ଏକମାଣିଆ ପଂଚାୟତର ଦକ୍ଷିଣଡିହା ଗ୍ରାମ ନାଳରୁ ଆଜି କୁମ୍ଭୀର ପଲ ଆକ୍ରମଣର ଶିକାର ହୋଇ ୩୦ରୁ ଉର୍ଦ୍ଧ୍ୱ ମଇଁଷି ଙ୍କ ମୃତ ଦେହ ଉଦ୍ଧାର ହୋଇଥିବାବେଳେ ଏଯାବତ ଆଉ ୪୦ରୁ ଉର୍ଦ୍ଧ୍ୱ ମଇଁଷି ନିଖୋଜ ଥିବା ଜଣାପଡିଛି। ପ୍ରତିଦିନ ଭଳି ଏକମାଣିଆ ଗ୍ରାମର ଗଣେଶ ଦାସଙ୍କର ୩୦ଟି, ଜଗନ୍ନାଥ ଦାସଙ୍କ ର ୩୦ଟି ଓ ନଳପାହି ଗ୍ରାମର ପରମାନନ୍ଦ ବିଶ୍ୱାଳଙ୍କ ୧୨ଟି ମଇଁଷି ଚରିବାକୁ ଯାଇଥାନ୍ତି। ନଦୀଘେରା ଅଂଚଳ ହୋଇଥିବାରୁ ମନୁଷ୍ୟ ଠାରୁ ନେଇ ଗୋରୁ ଗାଈ ବାରମ୍ବାର କୁମ୍ଭୀର ଆକ୍ରମଣର ଶିକାର ହୋଇଥାନ୍ତି। ଆଜି ମଇଁଷି ମାନେ ନଦୀ ସଲଗ୍ନ ନାଳ ପାର୍ଶ୍ୱ ରେ ଚରୁଥିବା ସମୟରେ ହଠାତ ନଦୀରୁ ଏକ କୁମ୍ଭୀର ପଲ ମଇଁଷି ମାନଙ୍କୁ ଆକ୍ରମଣ କରିବା ସହ ସମସ୍ତ ମଇଁଷି ଭୟଭୀତ ହୋଇ ଦକ୍ଷିଣଡିହା ଗ୍ରାମର ଏକ ନାଳ ମଧ୍ୟକୁ ପଶିଯାଇଥିଲେ। କୁମ୍ଭୀର ଆକ୍ରମଣ ଯୋଗୁଁ ସେମାନେ କ୍ଷତାକ୍ତ ହୋଇ ନାଳ ରେ ଅଥଳ ପାଣି ଓ ଘାସରେ ପଶି ଯାଇଥିଲେ। ତୁରନ୍ତ ଗ୍ରାମବାସୀମାନେ ରାଜନଗର ଦମକଳ କେନ୍ଦ୍ର କୁ ସୂଚନା ଦେବା ସହ ପଂଚାୟତର ସରପଂଚ ପ୍ରମୋଦ କୁମାର ବିଶ୍ୱାଳ ଦୁଇ ବୋଟ ଏବଂ ଗୋଟେ ଡ଼ଙ୍ଗା ସାହାଯ୍ୟରେ ମଇଁଷିଗୁଡିକୁ ଖୋଜିବାରେ ଲାଗିଛନ୍ତି। ଏଯାବତ ୩୦ରୁ ଉର୍ଦ୍ଧ୍ୱ ମଇଁଷିଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏଯାବତ ଆହୁରି ୪୦ରୁ ଉର୍ଦ୍ଧ୍ୱ ମଇଁଷି ନିଖୋଜ ଥିବା ଶ୍ରୀ ବିଶ୍ୱାଳ ସୂଚନା ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି