ଭୁବନେଶ୍ୱର , 18 ଅଗଷ୍ଟ (ହି.ସ.)ଚିଙ୍ଗୁଡ଼ି ମାଫିଆ ନଈପାଣିରେ ବିଷ ମିଶେଇ ମାଛ ମାରୁଥିବା ଯୋଗୁଁ ଗତକାଲି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ଏକମାଣିଆ ଗ୍ରାମର ତିନୋଟି ମଇଁଷି ରଖୁଆଳ ପରିବାରର ୭୩ଟି ମଇଁଷିଙ୍କର ମର୍ମନ୍ତୁଦ ମୃତୁ୍ୟ ଘଟିଛି । ଏକକାଳୀନ ୭୩ଟି ମଇଁଷିର ମୃତୁ୍ୟ କେବଳ ଦୁଃଖଦାୟକ ନୁହେଁ, ବେଦନା ଦାୟକ ମଧ୍ୟ ଏବଂ ଓଡ଼ିଶା ଇତିହାସରେ ପ୍ରଥମ । ଏହି ମଇଁଷି ମୃତ୍ୟ ଯୋଗୁଁ ତିନୋଟି ପରିବାର ନିଜର ଜୀବନ ଜୀବିକା ହରେଇ ସର୍ବସ୍ୱାନ୍ତ ହୋଇଯାଇଛନ୍ତି ବୋଲି ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଅଭିଯୋଗ କରିବା ସହିତ ମଇଁଷି ପିଚା ୧ ଲକ୍ଷ ଟଙ୍କା କରି ମୋଟ୍ ୭୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାପାଇଁ ବିଭାଗୀୟ ମନ୍ତ୍ରୀ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ମହାସଂଘର ସଭାପତି ରବି ବେହେରା ଏକ ଚିଠି ଲେଖି କ୍ଷତିପୂରଣ ଦାବି କରିଛନ୍ତି । ଏହି ଚିଠିରେ ଶ୍ରୀ ବେହେରା ଦର୍ଶାଇଛନ୍ତି ଯେ, ନଈ, ନାଳ ଓ ଗାଁ ପୋଖରୀ ଓ ଜୋର ପ୍ରଭୃତିରେ ବିଷ ମିଶାଇ ମାଛ ମାରିବା ମାଫିଆମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଛି । ରାଜ୍ୟରେ ଏହିଭଳି ମନ୍ଦକାମ ପାଇଁ ସଶକ୍ତ ଆଇନ୍ ନଥିବାରୁ ମାଛ ମାଫିଆମାନେ ନଈ, ନାଳ ପ୍ରଭୃତିରେ ବିଷ ପ୍ରୟୋଗ କରି ମାଛ ମାରୁଛନ୍ତି, ଯାହା ଯୋଗୁଁ ଜୀବଜନ୍ତୁ ବିପଦରେ ପଡ଼ିବା ସଂଗେସଂଗେ ମୃତୁ୍ୟବରଣ ମଧ୍ୟ କରୁଛନ୍ତି । ଏହି ୭୩ଟି ମଇଁଷିର ମୃତୁ୍ୟ ତାର ଜ୍ୱଳନ୍ତ ଉଦାହରଣ । ଏହି ବେଦନାଦାୟକ ଘଟଣାରେ ସମ୍ପୃକ୍ତି ଚିଙ୍ଗୁଡ଼ି ମାଫିଆଙ୍କ ବିରୁଦ୍ଧରେ ତୁରନ୍ତ ତଦନ୍ତ କରାଯାଇ ସେମାନଙ୍କୁ ଗିରଫ କରିବାକୁ ଶ୍ରୀ ବେହେରା ଦାବି କରିଛନ୍ତି । ଆଗାମୀ ବିଧାନସଭା ଅଧିବେଶନ ସମୟରେ ନଈ, ନାଳରେ ବିଷ ମିଶେଇ ପରିବେଶ ପ୍ରଦୂଷଣ କରୁଥିବା ଓ ଜୀବଜନ୍ତୁଙ୍କ ମୃତୁ୍ୟର କାରଣ ହେଉଥିବା ମାଫିଆଙ୍କ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ଆଇନ୍ ଆଣିବାକୁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରିଛି ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା