କନ୍ଧମାଳ, ୧୮ ଅଗଷ୍ଟ(ହି.ସ.) – କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ପୋଲିସକୁ ମିଳିଛି ବଡ଼ ସଫଳତା। ଗତ ୧୫ ତାରିଖ ରାତ୍ରିରେ ତୁମୁଡ଼ିବନ୍ଧ ପୋଲିସ, ସୁରକ୍ଷା ଯାଂଚ କରୁଥିବାବେଳେ ଯାନବାହାନ ତଲାସି କରୁଥିବାବେଳେ ଏକ ପିକଅପ୍ ଭ୍ୟାନ୍ରୁ ୨.୫ ଟନ୍ ବିସ୍ପୋରକ ଜବତ କରିଛି। ଏହାର ଅଧିକ ତଦନ୍ତ ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମାମଲାର ବିସ୍ତୃତ ବିବରଣୀ ଖୋଲାସା କରିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଆଇପିଏସ୍ ରାମେନ୍ଦ୍ର ପ୍ରସାଦ। ସୂଚନା ଅନୁଯାୟୀ ମୋଟ ପାଖାପାଖି ୧୦ ଟନ୍ ବିସ୍ପୋରକ ମଧ୍ୟରେ ଜେଲାଟନ ରଡ଼, ଡିଟୋନେଟର, ବିଦ୍ୟୁତ ତାର, କୋଡେକ୍ସ, ବେଟେରି, ନଗଦ ଟଙ୍କା ୨ ଲକ୍ଷ ୮୦ ହଜାର ଅନ୍ଲାଇନ ୧ ଲକ୍ଷ, ୬ଟି ଆଇ ଫୋନ୍ ମୋବାଇଲ, ଗୋଟିଏ ମାକ୍ସ ମହିନ୍ଦ୍ରା ପିକ୍ଅପ୍ ଏବଂ ଗୋଟିଏ ବ୍ୟକ୍ତିଗତ କାର୍ ସମସ୍ତ ଜବତ ହୋଇଛି। ଏଥିସହ ତିନି ଜଣଙ୍କୁ ଗିରଫ କରିଛି ପୋଲିସ ସେମାନେ ଆଲୋକ ଏଲିଆସ ଆଲବର୍ଟ କୁମାର ପାତ୍ର(୧୮), ତଳ ଦାନ୍ତଲିଙ୍ଗ, ସୋରଡ଼ା, ହେମନ୍ତ ସେଠୀ(୩୧), ଆମ୍ବପୁଆ, ଥାନା ଗୋପାଳପୁର, ଗଞ୍ଜାମ ଓ ଶକ୍ତିରଞ୍ଜନ ଦାସ(୫୦), ଜଳେଶ୍ୱର ମନ୍ଦିର ପଡ଼ା, ଭବାନୀପାଟଣା, କଳାହାଣ୍ଡି ବୋଲି ପୋଲିସ ସୂଚନା ଦେଇଛି ପୋଲିସ। ତେବେ ଜବତ ପରେ ଗାଡ଼ି ଚାଳକକୁ ଜେରାକରି ସେ ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅଧିନ ଜଗନ୍ନାଥପୁରରୁ ଏହି ସାମଗ୍ରୀ ଆଣିଥିବା କହିଥିଲା। ପରେ ତୁମୁଡିବନ୍ଧ ପୋଲିସ ଚମାଖଣ୍ଡି ପୁଲିସ ସହାୟତାରେ ଗତକାଲି ରାତିରେ ଜଗନ୍ନାଥପୁର ଗ୍ରାମର ବି. ମୋହନ ରେଡିଙ୍କ ଆଦର୍ଶ ଗାଈ ଗୁହାଳରେ ଚଢ଼ାଉ କରି ୮ଟନ୍ ବିପୁଳ ପରିମାଣ ର ପଥର ବ୍ଲାଷ୍ଟ ଡିଟୋନେଟର ଜବତ କରାଯାଇଥିଲା। ପରେ ଏକ ଟ୍ରକ ଯୋଗେ ଜଗନ୍ନାଥପୁର ଠାରୁ ତୁମୁଡିବନ୍ଧ ଥାନାକୁ ତୁମୁଡିବନ୍ଧ ପୋଲିସ ନିଜ ଅଧିନରେ ଏହାକୁ ଆଣିଥିଲେ। ଜଗନ୍ନାଥପୁର ଜିଲ୍ଲା ଗଞ୍ଜାମ ରବିମୋହନ ରେଡ୍ଡୀ ଏହାକୁ ଭଡ଼ା ଦେଇଥିଲେ। ବ୍ରହ୍ମପୁର ଆମ୍ବପୁଆ ଅଂଚଳର ହେମନ୍ତ ସେଠୀ ଏହି ଗୁହାଳକୁ ଭଡ଼ାରେ ନେଇଥିଲେ। କୁକୁଡ଼ାଦାନା ରଖିବି କହି ପାଇଁ ଦେଢ଼ ବର୍ଷ ହେଲା ଭଡ଼ା ନେଇଥିଲେ। ତାଙ୍କୁ ମଧ୍ୟ ତୁମୁଡ଼ିବନ୍ଧ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ଜଣାପଡ଼ିଛି। ଗାଡ଼ି ଯାଂଚ ସହ ଗାଡ଼ି ଚାଳକକୁ ଜେରା କରିବା ପରେ ସେ ଘଟଣା ସମ୍ପର୍କରେ କହିଥିଲେ। ଜେରାପରେ ଉକ୍ତ ସାମଗ୍ରୀ ଆନ୍ଦ୍ର ପ୍ରଦେଶର କାକିନାଡ଼ା ଅଂଚଳରୁ ବହୁତ ସତର୍କତା ଏବଂ ଚତୁରତାର ସହ ଆଣୁଥିଲେ ଏବଂ ବିନା ଲାଇସେନ୍ସରେ ଦୀର୍ଘ ଦୁଇ ବର୍ଷ ଧରି ଏହି ବ୍ୟବସାୟ କରିଆସୁଥିବା ସ୍ପଷ୍ଟ ହୋଇଛି। ଯେଉଁ ଗାଈ ଗୁହାଳରୁ ଏହି ବିପୁଳ ପରିମାଣର ଡିଟୋନେଟର ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି, ଉକ୍ତ ସ୍ଥାନରୁ ୧ କି.ମି. ଦୂରରେ ପୋଲିସ ଜଗନ୍ନାଥପୁର ବିଟ ହାଉସ ଓ ୪ କିଲୋମିଟର ଦୂରରେ ଚମାଖଣ୍ଡି ଥାନା ରହିଛି ସେମାନେ କିପରି ଜାଣି ପାରିଲେ ନାହିଁ। ଏହି ସଫଳତା ପାଇଁ ତୁମୁଡ଼ିବନ୍ଧ ଥାନା ଅଧିକାରୀ ଆଶୁତୋଷ ଜେନା ଏବଂ ତାଙ୍କ ପୋଲିସ ଦଳକୁ ଶ୍ରେୟ ଦେଇଛନ୍ତି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ। ଆଗାମୀ ଦିନରେ ଏ ଦିଗରେ ଅତ୍ୟଧିକ ତଦନ୍ତ କରାଯାଇ କେଉଁ କେଉଁମାନେ ଏହି ସାମଗ୍ରୀ ଅନୈତିକ ଭାବେ କ୍ରୟ କରିଆସୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ସୂଚନା ଦେଇଛି। ତେବେ ଏହି ବିଷ୍ଫୋରକ ସାମଗ୍ରୀ ଚାଲାଣ ମାଓ ଲିଙ୍କ୍ ଅଛିକି ନାହିଁ ସେ ଦିଗରେ ମଧ୍ୟ ପୋଲିସ୍ ତଦନ୍ତ ଜାରି ରଖିଛି ବୋଲି ଜଣାପଡ଼ିଛି।
ହିନ୍ଦୁସ୍ଥାନ ସମାଚାର/ପ୍ରଶାନ୍ତ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ