ଜୟପୁର, ୧୮ ଅଗଷ୍ଟ (ହି.ସ.)- ବୋରିଗୁମ୍ମା ଜାତୀୟ ରାଜପଥ ୨୬ ନମ୍ବର ଖୁଡ଼ିଗୁଡା ନିକଟରେ ଗୁପ୍ତା ନାମକ ଏକ ଘରୋଇ ବସ ଧକ୍କାରେ କାମତା ଗ୍ରାମର ପୂର୍ବତନ ସରପଞ୍ଚ ନାରାୟଣ ଜାନିଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଏକ ବାଇକ ଯୋଗେ ନାରାୟଣ ଜାନି ଏବଂ ତାଙ୍କ ସାଥୀ ବୋରିଗୁମ୍ମା ଅଭିମୁଖେ ଆସୁଥିବା ବେଳେ ଗୁପ୍ତା ନାମକ ବସ ପଛ ପଟୁ ବାଇକ କୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଛିଟିକି ପଡ଼ିଥିଲେ, କିନ୍ତୁ ନାରାୟଣ ଜାନିଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ନାରାୟଣ ଜାନି ପୂର୍ବତନ ସରପଞ୍ଚ ଥିଲେ। ବର୍ତ୍ତମାନ ସେ ରାଜମିସ୍ତ୍ରୀ ସଂଘର ସମ୍ପାଦକ ଥିଲେ। କ୍ଷତିପୁରଣ ଦାବିରେ ସ୍ଥାନୀୟ ଲୋକ ଏବଂ ମିସ୍ତ୍ରୀ ସଂଘ ଥାନା ସମ୍ମୁଖରେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।୨୬ ନମ୍ବର ରାଜପଥ ଅବରୋଧ କାରଣରୁ ଜୟପୁର - ବରଗଡ଼, ଜୟପୁର-ଜଗଦଲପୁର, ବୋରିଗୁମ୍ମା-ବିଶାଖାପାଟଣାକୁ ବସ ଚଳାଚଳ ବନ୍ଦ ରହିଛି। ଆନ୍ଦୋଳନକାରୀଙ୍କୁ ବୁଝାସୁଝା ପାଇଁ ବୋରିଗୁମ୍ମା ଅତିରିକ୍ତ ତହସିଲଦାର ବୈନି ଶତିଶ କୁମାର ଏବଂ ବୋରିଗୁମ୍ମା ପୋଲିସ ପହଞ୍ଚିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପିକେପି