ମାଲକାନଗିରି, ୧୮ ଅଗଷ୍ଟ (ହି.ସ.)- ଆଜି ମାଥିଲି ବ୍ଲକ୍ ମହୁପଦର୍ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଓ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ।
ଆଜି ମୋଟ ୧୩୩ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ ୮୬ ଗୋଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୪୭ ଗୋଟି ସାମୁହିକ ଅଭିଯୋଗ ରହିଥିଲା। ଏଥି ମଧ୍ୟରୁ ୩୭ ଗୋଟି ପ୍ରଧାନମନ୍ତ୍ରୀ ଆବାସ ଯୋଜନା,୧୬ ଗୋଟି ପେନସନ, ୬ ଗୋଟି ଜଙ୍ଗଲ ଜମି ଏବଂ ୨୭ ଗୋଟି ଅନ୍ୟାନ୍ୟ ଅଭିଯୋଗ ରହିଥିଲା । ୧୩୩ ଅଭିଯୋଗ ମଧ୍ୟରୁ ୫ ଗୋଟି ଅଭିଯୋଗର ତତ୍ କ୍ଷଣାତ ସମାଧାନ କରାଯାଇଥିଲା।
ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବ୍ରଜବନ୍ଧୁ ଦାସ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମାଥିଲି ବିଡିଓ ପ୍ରମୋଦ କୁମାର ବେହେରା, ସହାୟକ ଜିଲ୍ଲାପାଳ ନିର୍ବାଚନ ଅଶୋକ ଚକ୍ରବର୍ତ୍ତୀଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ। ଏହି ଶୁଣାଣୀରେ ରାସନ୍ କାର୍ଡ, ପେନସନ୍ ଓ ଆବାସ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କ୍ୟାମ୍ପ କରାଯାଇ ଅନଲାଇନ୍ ସେବା ଯୋଗାଇ ଦିଆଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ