ମାଲକାନଗିରି, ୧୮ ଅଗଷ୍ଟ (ହି.ସ.)- ଆଜି ରାଷ୍ଟ୍ରୀୟ ଧର୍ମ ସୁରକ୍ଷା ମଞ୍ଚ, ମାଲକାନଗିରି ଶାଖାର ସଭ୍ୟ ମାନେ ଉପଜିଲ୍ଲାପାଳଙ୍କ ମାଧ୍ୟମରେ ସମସ୍ତ ସନାତନି ହିନ୍ଦୁ ପୂଜା ଉତ୍ସବରେ ନିମ୍ନ ଲିଖିତ କିଛି ବିଷୟ ପ୍ରତି ଧ୍ୟାନ ଦେବାକୁ ପୋଲିସ୍, ପ୍ରଶାସନ ଓ ପୂଜା କମିଟିକୁ ବିନମ୍ର ନିବେଦନ କରିଛନ୍ତି l
ଏଥିରେ ଥିବା ୧୦ ଦଫା ଦାବି ଗୁଡ଼ିକ ବିଷୟରେ କମିଟିର ସଦସ୍ୟଙ୍କ ସହ ବର୍ତ୍ତମାନ ଦାୟିତ୍ୱରେ ଥିବା ଆଇଟି ଡିଏ ପ୍ରକଳ୍ପ ପ୍ରଶାସକ ହଳଧର ଶବର ଆଲୋଚନା କରିଥିଲେ l କୌଣସି ଠାକୁରଙ୍କୁ ପାରମ୍ପରିକ ବେଶ (ପ୍ରକୃତ) ବ୍ୟତୀତ ଅନ୍ୟ କୌଣସି ବିକୃତ ରୂପ ପାଇଁ ବାରଣ କରାଯାଉ, ଯାହା ଆଇନ ଦୃଷ୍ଟିରୁ ଅପରାଧ ଅଟେ l ପୂଜା ମୁଣ୍ଡପ ନିକଟରେ ବା କମିଟି ତରଫରୁ କୌଣସି ଅଶ୍ଳିଳ ଓ ରୋମାଣ୍ଟିକ୍ ନୃତ୍ୟ ଉତ୍ସବର କାର୍ଯ୍ୟକ୍ରମ ଆୟୋଜନ ପାଇଁ ବାରଣ କରାଯାଉ l ପୂଜା କମିଟି ତରଫରୁ ଯେଉଁ ସଂଗୀତ ଡ଼ାକବାଜି (ସ୍ପିକର୍) ରେ ପ୍ରଚାରିତ ହେବ, ତାହା ଭକ୍ତି ଓ ଆଧ୍ୟାତ୍ମିକ ସଙ୍ଗୀତ ହେବା ଉଚିତ୍ ହେବ l ଏଥିରେ ଅନ୍ୟ କୌଣସି ଆଧୁନିକ ସଙ୍ଗୀତ ଓ ଦ୍ୱିଅର୍ଥ ବୋଧକ ଗୀତ ପରିବେଷଣକୁ ଅନୁମତି ଦିଆନଯାଉ l ପୂଜା ଶେଷରେ ହେଉଥିବା ବିସର୍ଜନ (ଭସାଣି) କାର୍ଯ୍ୟକ୍ରମରେ ମଧ୍ୟ କୌଣସି ଅଶ୍ଳିଳ ଓ ରୋମାଣ୍ଟିକ୍ ନୃତ୍ୟ ଉତ୍ସବର କାର୍ଯ୍ୟକ୍ରମ କୁ ସମ୍ପୁର୍ଣ୍ଣରୁପେ ବାରଣ କରାଯାଉ l ଏହାସହ ଟ୍ରାଫିକ୍ ସମସ୍ୟା ନହେବା ପରି ବିଶେଷ ଦୃଷ୍ଟି ଦିଆଯାଉ l ବାଣ ଫୁଟାଇବା ସମୟରେ ବିଶେଷ ସତର୍କତା ଅବଲମ୍ବନ କରିବାକୁ ପୂଜା କମିଟିକୁ ନିର୍ଦ୍ଦେଶ ଦିଆଯାଉ l ଡାକବାଜି ଯନ୍ତ୍ର (ମାଇକ୍) ଚାଲୁ କରିବାର ସମୟ ସକାଳ ୫ ରୁ ରାତ୍ର ୧୦ ପର୍ଯ୍ୟନ୍ତ ଅନୁମତି ଦିଆଯାଉ l ଏହି ସମୟ ସୀମାକୁ ସମସ୍ତଙ୍କୁ ପାଳନ କରିବାକୁ ବାଧ୍ୟ କରାଯାଉ l ମେଲୋଡ଼ିରେ ମଧ୍ୟ ଭକ୍ତି ସଙ୍ଗୀତ ଓ ପିଲାମାନଙ୍କ ନୃତ୍ୟରେ ପୋଷାକ ଶାଳୀନତା ପ୍ରତି ବିଶେଷ ଧ୍ୟାନ ଦିଆଯାଉ l ମାଲକାନଗିରି ଜିଲ୍ଲାର ସମସ୍ତ ପୁରୋହିତ ଓ ବ୍ରାହ୍ମଣ ସମାଜକୁ ଅନୁରୋଧ କୌଣସି ଠାକୁରଙ୍କ ବିକୃତ ମୂର୍ତ୍ତି ଦେଖିଲେ, ସେଠାରେ ପୂଜା କରିବା ପାଇଁ ମନା କରନ୍ତୁ ଓ ସେମାନଙ୍କୁ କାରଣ ବୁଝାଇ ଦିଅନ୍ତୁ । ଆଗାମି ସମୟରେ ସମ୍ପୁର୍ଣ୍ଣ ମୁର୍ତ୍ତି (ଆଗ ଓ ପଛ ସମ୍ପୁର୍ଣ୍ଣ ରହିବ) ପ୍ରସ୍ତୁତ କରିବା ପାଇଁ ଜିଲ୍ଲାର ସମସ୍ତ ମୃତ୍ତିକା କଳାକାର ମାନଙ୍କୁ ସ୍ଥାନୀୟ ପ୍ରଶାସନ ତରଫରୁ ଆଗ୍ରହ କରାଯାଉ l ଏଥିପାଇଁ ଜିଲ୍ଲାପ୍ରଶାସନ ତରଫରୁ ନିର୍ଦ୍ଦେଶ ଜାରି କରାଯାଉ l ପୁଜା ମଣ୍ଡପ ପରିବେଶରେ ସହଭୋଜ (ଅନ୍ନ୍ ପ୍ରସାଦ) ବ୍ୟବସ୍ଥା ଅନେକ ସ୍ଥାନରେ ପୁଜା କମିଟି ବା ଶ୍ରଦ୍ଧାଳୁମାନେ ଆୟୋଜନ କରୁଛନ୍ତି l ଏହା ଏକ ସୁନ୍ଦର ବ୍ୟବସ୍ଥା ଅଟେ, କିନ୍ତୁ ଭୋଜିପରେ ସେହି ପରିସରରେ ଅଇଁଠା, ବ୍ୟବହୃତ ଖଲି, ପୋଲିଥିନ୍ ପାଣି ପାଉଚ୍ ଓ ଖାଲି ପାଣି ବୋତଲ୍ ଅନେକ ଦିନ ପର୍ଯ୍ୟନ୍ତ ଏଣେତେଣେ ପଡିରହୁଛି l ପୁଜା ପରିଚଳନା କମିଟି ଓ ଆଞ୍ଚଳିକ ପ୍ରଶାସନ ଏଥିପ୍ରତି ଦୃଷ୍ଟିରଖି ଏହି ଆବର୍ଜନାର ସୁପରିଚାଳନା କରିବାକୁ ଅନୁରୋଧ l କାରଣ ପ୍ରାଣୀମାନେ ଏହି ଆବର୍ଜନା ଖାଇ ଅସୁସ୍ଥତା ହେବା ସହ ମୃତ୍ୟୁବରଣ କରୁଥିବା ତଥା ପରିବେଶରେ ପୋଚା ଦୁର୍ଗନ୍ଧ ଦ୍ୱାରା ପରିବେଶ ପ୍ରଦୂଷଣ ହେବ l ମୁର୍ତ୍ତି ବିସର୍ଜନ ପାଇଁ ସ୍ୱତନ୍ତ୍ର କୃତ୍ରିମ ବନ୍ଧ ବା ପୋଖରୀ ସୃଷ୍ଟିକରି ସେଥିରେ ଛୋଟ ବଡ ସମସ୍ତ ମୁର୍ତ୍ତି ବିସର୍ଜନ ପାଇଁ ନିର୍ଦ୍ଦେଶ ଦିଆଯାଉ l ଜିଲ୍ଲାରେ ଥିବା ନଦୀ, ପୁଷ୍କରଣୀ ମାନଙ୍କୁ ଦୂଷିତ ନକରିବାକୁ ସମସ୍ତ ପୁଜାକମିଟି ଠାରୁ ଲିଖିତ ଘୋଷଣାନାମା ରଖାଯାଉ l ଯଦି କେହି ନିଜର ଜ୍ଞାତସାରରେ ଅବମାନନା କରେ, ତେବେ ସେମାନଙ୍କପ୍ରତି ଆଇନ ଦୃଷ୍ଟିରୁ ଦୃଢ଼ ପଦକ୍ଷେପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରାଯାଇଛି l
ଏହି ଦାବି ପ୍ରଦାନ ସମୟରେ ରାଷ୍ଟ୍ରୀୟ ଧର୍ମ ସୁରକ୍ଷା ମଞ୍ଚ ର ଜିଲ୍ଲା ଆବାହକ ବାଲାରାଜୁ ପଢାଲ, ଭାଗିରଥି ଦଳାଇ, ଚୈତନ୍ୟ କର୍ମକାର, ଜଗନ୍ନାଥ ବୋଷ, ଅଭିଜିତ ମଣ୍ଡଳ, ଦିଲ୍ଲୀପ କୁମାର ଦଣ୍ଡପାଟ, ସୁବୋଧ ଚିନ୍ତାପାତ୍ର ଓ ରାମ କୃଷ୍ଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ରହିଥିଲେ l
ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ