ଜୟପୁର, ୧୮ ଅଗଷ୍ଟ (ହି.ସ.)-ଓଡିଶାରେ ୩୦ଟି ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ୪ଗୋଟି ବ୍ଳକ ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠା ପ୍ରାଥମିକ ଶିକ୍ଷକ ମାନଙ୍କତାଲିମ୍ ପାଇଁ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ସହଭାଗୀତାରେ ପ୍ରତିଷ୍ଠା କରାଯାଇଛି I ଗଣଶିକ୍ଷା ବିଭାଗର ରିଜୋଲୁସନ ନମ୍ବର ୫୨୪୫୪ ଏବଂ ୩୦.୧୧.୧୯୯୦ ନିୟମ ଅନୁଯାୟୀ ଶିକ୍ଷକ ପ୍ରଶିକ୍ଷକ ମାନଙ୍କ ଚାକିରୀ ସର୍ତାବଳୀ କାର୍ଯ୍ୟକାରୀ ହେଉଅଛି । ସରକାର ଦୀର୍ଘ ୩୫ ବର୍ଷ ହେଲାଣି ଉକ୍ତ କର୍ମଚାରୀ ମାନଙ୍କର କ୍ୟାଡ଼ର ରୁଲ ପ୍ରସ୍ତୁତ ନ କରିବା ଦୁର୍ଭାଗ୍ୟଜନକ କଥା । ପ୍ରତ୍ୟେକ ବିଭାଗରେ ୧୦ ବର୍ଷ ପରେ କର୍ମଚାରୀ ମାନଙ୍କର କ୍ୟାଡର ରୁଲ ଆବଶ୍ୟକତା ଅନୁଯାୟୀ ପରିବର୍ତନ ଏବଂ ଉନ୍ନତୀ କରାଯାଉଛି । କ୍ୟାଡର ରୁଲ ନ ଥାଇ ମଧ୍ୟ ୧୯୯୦ ନିୟମ ଅନୁଯାୟୀ ଶିକ୍ଷକ ପ୍ରଶିକ୍ଷକମାନେ ନିୟମିତ ଚାକିରୀ କରିବାର ୮ ବର୍ଷ ପରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଭାବେ ପଦୋନ୍ନତି ପାଇବା ପାଇଁ ଯୋଗ୍ୟ ଏବଂ ସରକାରଙ୍କ ଦ୍ବାରା ବିଚାର କରାଯିବା ଆବଶ୍ୟକ । କିନ୍ତୁ ବର୍ତମାନ ରାଜ୍ୟରେ ୧୦ ବର୍ଷରୁ ଅଧିକ ନିୟମିତ ଶିକ୍ଷକ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିଥିବା ସତ୍ତ୍ବେ ସେମାନଙ୍କୁ ସରକାର ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଭାବେ ପଦୋନ୍ନତି ଦେଇନଥିବାରୁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଇତିମଧ୍ୟରେ ଅନେକ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ପଦବୀ ବିଭିନ୍ନ ପ୍ରତିଷ୍ଠାନରେ ଖାଲି ପଡିଛି ଏବଂ ଶିକ୍ଷକ ତାଲିମ ବାଧାପ୍ରାପ୍ତ ହୋଇଥିବା ଅଭିଯୋଗ କରିଛନ୍ତି । ଅନେକ ଶିକ୍ଷକ ପ୍ରଶିକ୍ଷକ ତାଙ୍କର ପଦୋନ୍ନତୀ ପାଇଁ ଗଣଶିକ୍ଷା ବିଭାଗର ସଚିବ ଏବଂ ଟି.ଇ.ଏଣ୍ଡ.ଏସ.ସି.ଇ.ଆର.ଟି ନିର୍ଦ୍ଦେଶକଙ୍କୁ ନିବେଦନ କରିସାରିଛନ୍ତି । ସରକାର ଶିକ୍ଷକ ପ୍ରଶିକ୍ଷକ ମାନଙ୍କ ପଦୋନ୍ନତି ପ୍ରତି ଶୀଘ୍ର ପଦକ୍ଷେପ ଗ୍ରହଣ କଲେ ସେମାନଙ୍କର ଶିକ୍ଷାଦାନ ପ୍ରତି ଅଧିକ ସୁସ୍ଥ ମାନସିକତା ରହିବ ବୋଲି ମତବ୍ୟକ୍ତ କରିଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି