ଜୟପୁର, ୧୮ ଅଗଷ୍ଟ (ହି.ସ.)- ଲଗାଣ ବର୍ଷା ଜାରି ରହିଥିବା ବେଳେ କୋରାପୁଟ ଜିଲ୍ଲା କାକିରିଗୁମ୍ମାରେ ମାଟି ଅତଡ଼ା ଧସି ତଳମେଟିଂ ରାସ୍ତା ବନ୍ଦ ହୋଇଯାଇଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହେଉଛି । ବୋରିପୁଟ୍ ରାସ୍ତାରେ ପାହାଡ଼ରୁ ପଥର ଖସି ରାସ୍ତା ଅବରୋଧ ହେବା ଫଳରେ ନାରାୟଣପାଟଣା ଓ ତଳଗୁମାଣ୍ଡିକୁ ଯୋଗାଯୋଗ ବିଛିନ୍ନ ହୋଇଯାଇଛି । ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବାରୁ ଏପରି ଘଟଣା ଘଟିଛି । ରାସ୍ତା ବନ୍ଦ ଫଳରେ ଲୋକମାନେ ଗମନାଗମନ ପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଆଜି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁରର ବିକ୍ଷିପ୍ତ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସୂଚନା ମିଳିଛି । ଏହି ତିନି ଜିଲ୍ଲାକୁ ବର୍ଷା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି । ଆଜି ବର୍ଷା, ପବନ ନେଇ ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ଜାରି ରହିଥିବା ବେଳେ କୋରାପୁଟ ଜିଲ୍ଲା ରେ ବିଦ୍ୟାଳୟ ଛୁଟି ଘୋଷଣା କରାଯାଇ ନାହିଁ I ବର୍ଷା ଜାରି ରହିଥିବା ବେଳେ ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଭିଜି ଭିଜି ବିଦ୍ୟାଳୟ ଯାଇଥିଲେ ବି ବିଦ୍ୟାଳୟରେ ମଧ୍ୟ ବର୍ଷା ପାଣି ଗଳୁ ଥିବାରୁ ଭିଜି ଭିଜି ପାଠ ପଢିଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି