ମୁମ୍ବାଇ, 18 ଅଗଷ୍ଟ (ହି.ସ.)
- ମହାରାଷ୍ଟ୍ରର
ନାନ୍ଦେଡ଼ ଜିଲ୍ଲାର ମୁଖେଡ଼ ତହସିଲରେ ସୋମବାର ମୂଷଳଧାରରେ ବର୍ଷା ଯୋଗୁ ଲେଣ୍ଡି ବନ୍ଧର ଜଳସ୍ତର
ବୃଦ୍ଧିପାଇଛି ଏବଂ ଲାତୁର, ଉଦଗିର ଓ କର୍ଣ୍ଣାଟକରୁ ଅତ୍ୟଧିକ
ପାଣି ଆସିଥିବାରୁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଏହାର ପରିଣାମ ସ୍ୱରୂପ ରାବଣଗାଁରେ 225 ଜଣ
ନାଗରିକ ବନ୍ୟା ପାଣି ମଧ୍ୟରେ ଫସିଯାଇଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ
ଭାରତୀୟ ନୌସେନା,
ଏନଡିଆରଏଫ୍ ଓ ଜିଲ୍ଲା ପ୍ରଶାସନ ମିଳିତ ଟିମ୍ ରେସକ୍ୟୁ କାର୍ଯ୍ୟରେ
ଲାଗିଛନ୍ତି।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର
ଫଡଣଭିସ ସୋମବାର ଦିନ ମନ୍ତ୍ରାଳୟରେ ସ୍ଥିତ ଜରୁରୀକାଳୀନ ବିଭାଗରେ ରାଜ୍ୟର ବର୍ଷା ଓ ବନ୍ୟା
ସ୍ଥିତିର ସମୀକ୍ଷା କରିଛନ୍ତି। ଏହାପରେ ସାମ୍ବାଦିକଙ୍କୁ କହିଛନ୍ତି ଯେ, ଗତ 24 ଘଣ୍ଟାରେ ନାନ୍ଦେଡ଼ରେ ପ୍ରାୟ 206 ମି.ମି. ବୃଷ୍ଟି ହୋଇଛି। ଏହାସହିତ
ଅନ୍ୟାନ୍ୟ ଜିଲ୍ଲା ଓ କର୍ଣ୍ଣାଟକରୁ ମଧ୍ୟ ପାଣି ଆସିଥିବାରୁ ରାବଣଗାଁ, ଭସବାଡ଼ି, ଭିଙ୍ଗେଲୀ, ହସନାଲ ଆଦି ସ୍ଥାନରେ ବନ୍ୟା ହୋଇଛି ଓ ସାଧାରଣ ଜନଜୀବନ ପ୍ରଭାବିତ
ହୋଇଛି।
ମୁଖ୍ୟମନ୍ତ୍ରୀ କହିଛନ୍ତି
ଯେ ରାବଣଗାଁରେ 225 ଜଣ ନାଗରିକ ବନ୍ୟା ପାଣିରେ ଫସିରହିଛନ୍ତି, ସବୁଠାରୁ ଅଧିକ ପ୍ରଭାବିତ ସ୍ଥାନରୁ ନାଗରିକମାନଙ୍କୁ ଉଦ୍ଧାର
କରାଯାଇଛି । ଅନ୍ୟ ସ୍ଥାନରେ ଫସିରହିଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଇବା ପାଇଁ
ଚେଷ୍ଟା ଜାରି ରହିଛି। ହସନାଲ ଅଞ୍ଚଳରୁ 8 ଜଣ ନାଗରିକଙ୍କୁ ଉଦ୍ଧାର କରାଯାଇଛି । ଭସବାଡ଼ିରେ 20
ଜଣ ନାଗରିକ ଫସିରହିଛନ୍ତି, କିନ୍ତୁ ସେମାନେ ସୁରକ୍ଷିତ
ଅଛନ୍ତି। ଭିଙ୍ଗେଲୀରେ 40 ଜଣ ନାଗରିକ ଫସିରହିଛନ୍ତି , ସେମାନେ
ମଧ୍ୟ ସୁରକ୍ଷିତ ଅଛନ୍ତି। 5 ଜଣ ଲୋକ ନିଖୋଜ ଅଛନ୍ତି ଏବଂ ସେମାନଙ୍କୁ ଖୋଜିବା କାମ ଚାଲିଛି। ମୁଖ୍ୟମନ୍ତ୍ରୀ
କହିଛନ୍ତି ଯେ ସେ ନିଜେ ନାନ୍ଦେଡ଼ ଜିଲ୍ଲା ପ୍ରଶାସକଙ୍କ ସହ ନିରନ୍ତର ଯୋଗାଯୋଗରେ ଅଛନ୍ତି, ଓ ନାନ୍ଦେଡ଼, ଲାତୁର
ଓ ବିଦର ଜିଲ୍ଲାପାଳ ମାନେ ମଧ୍ୟ ପରସ୍ପର ସମ୍ପର୍କରେ ଥିବା ସହ ରେସକ୍ୟୁ କାର୍ଯ୍ୟରେ
ଲାଗିଛନ୍ତି।
ଏନଡିଆରଏଫ, ସେନା ଓ ପୋଲିସ ଟିମ୍ ମିଶି ସମନ୍ୱୟରେ ରେସକ୍ୟୁ ଅଭିଯାନ ଚଳାଇଛନ୍ତି।
ଛତ୍ରପତି ସମ୍ଭାଜୀନଗରରୁ ସେନାର ଏକ ଟିମ୍ ମଧ୍ୟ ପଠାଯାଇଛି। ସ୍ଥାନୀୟ ପ୍ରଶାସନକୁ ପ୍ରଭାବିତ
ଅଞ୍ଚଳରେ ରହି ଅଭିଯାନର ସମନ୍ୱୟ କରିବାକୁ କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା