ଆଜି ମିଜୋରାମ, ମଣିପୁର, ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,13 ସେପ୍ଟମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ। ଆସନ୍ତା ୧୩ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମିଜୋରାମ ଗସ୍ତ କରି, ସକାଳ ପ୍ରାୟ ୧୦ଟାରେ ଆଇଜଲରେ ୯,୦୦୦ କୋଟି ଟଙ୍କାରୁ
ଆଜି ମିଜୋରାମ, ମଣିପୁର, ଆସାମ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ


ନୂଆଦିଲ୍ଲୀ,13 ସେପ୍ଟମ୍ବର (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୩ ରୁ ୧୫ ସେପ୍ଟେମ୍ବର ପର୍ଯ୍ୟନ୍ତ ମିଜୋରାମ, ମଣିପୁର, ଆସାମ, ପଶ୍ଚିମବଙ୍ଗ ଏବଂ ବିହାର ଗସ୍ତ କରିବେ।

ଆସନ୍ତା ୧୩ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ମିଜୋରାମ ଗସ୍ତ କରି, ସକାଳ ପ୍ରାୟ ୧୦ଟାରେ ଆଇଜଲରେ ୯,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବହୁଳ ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ। ଏହାସହିତ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧନ କରିବେ।

ମିଜୋରାମ ଗସ୍ତ ପରେ ପ୍ରଧାନମନ୍ତ୍ରୀ ମଣିପୁର ଯିବେ ଏବଂ ପ୍ରାୟ ୧୨:୩୦ରେ ଚୁରାଚାନ୍ଦପୁରରେ ୭,୩୦୦ କୋଟି ଟଙ୍କାରୁ ଅଧିକ ବ୍ୟୟବହୁଳ ବିକାଶ ପ୍ରକଳ୍ପର ଶିଳାନ୍ୟାସ କରିବେ। ସେଠାରେ ସେ ଏକ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ। ଏହାସହିତ, ପ୍ରଧାନମନ୍ତ୍ରୀ ଅପରାହ୍ନ ପ୍ରାୟ ୨:୩୦ରେ ଇମ୍ଫାଲରେ ୧,୨୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦଘାଟନ କରି ଏକ ସାଧାରଣ ସମାବେଶକୁ ସମ୍ବୋଧନ କରିବେ।

ପରେ ପ୍ରଧାନମନ୍ତ୍ରୀ ଆସାମ ଗସ୍ତ କରି ସନ୍ଧ୍ୟା ପ୍ରାୟ ୫ ଟାରେ ଗୌହାଟୀରେ, ଭାରତ ରତ୍ନ ଡକ୍ଟର ଭୂପେନ ହଜାରିକାଙ୍କ ୧୦୦ତମ ଜନ୍ମବାର୍ଷିକୀ ସମାରୋହରେ ଯୋଗଦେବେ। ଏହି ଅବସରରେ ସେ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ସେପ୍ଟେମ୍ବର ୧୪ ତାରିଖରେ ପ୍ରଧାନମନ୍ତ୍ରୀ ଆସାମରେ ୧୮,୫୩୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରମୁଖ ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ସେ ପ୍ରାୟ ୧୧ଟାରେ ଦାରଙ୍ଗରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ଏବଂ ଏକ ସାଧାରଣ ସମାବେଶକୁ ସମ୍ବୋଧିତ କରିବେ। ଏହା ପରେ ସେ ଅପରାହ୍ନ ୧: ୪୫ରେ ଗୋଲାଘାଟରେ ଆସାମ ବାୟୋ-ଇଥାନଲ୍ ପ୍ରାଇଭେଟ୍ ଲିମିଟେଡ୍, ନୁମାଲିଗଡ଼ ରିଫାଇନାରୀ ପ୍ଲାଣ୍ଟର ଉଦଘାଟନ କରିବେ। ସେ ଗୋଲାଘାଟରେ ପଲିପ୍ରୋପିଲିନ୍ ପ୍ଲାଣ୍ଟର ମଧ୍ୟ ଶିଳାନ୍ୟାସ କରିବେ।

ସେହିପରି ସେପ୍ଟେମ୍ବର ୧୫ ତାରିଖରେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି, ସକାଳ ପ୍ରାୟ ୯:୩୦ ଟାରେ କୋଲକାତାରେ ୧୬ତମ ମିଳିତ କମାଣ୍ଡର୍ସ ସମ୍ମିଳନୀ-୨୦୨୫ର ଉଦଘାଟନ କରିବେ।

ଏହା ପରେ, ପ୍ରଧାନମନ୍ତ୍ରୀ ବିହାର ଗସ୍ତ କରିବେ ଏବଂ ଅପରାହ୍ନ ପ୍ରାୟ ୨:୪୫ରେ ପୂର୍ଣ୍ଣିଆ ବିମାନବନ୍ଦରର ନୂତନ ଟର୍ମିନାଲ କୋଠା ଉଦଘାଟନ କରିବେ। ଏହା ବ୍ୟତୀତ, ସେ ପୂର୍ଣ୍ଣିଆରେ ପ୍ରାୟ ୩୬,୦୦୦ କୋଟି ଟଙ୍କା ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ଏହି ଅବସରରେ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ। ସେ ବିହାରରେ ଜାତୀୟ ମାଖାନା ବୋର୍ଡର ମଧ୍ୟ ଶୁଭାରମ୍ଭ କରିବେ।

ମିଜୋରାମରେ ପ୍ରଧାନମନ୍ତ୍ରୀ

ଆଇଜଲରେ ପ୍ରଧାନମନ୍ତ୍ରୀ ୯୦୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଅନେକ ବିକାଶ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ଏହି ପ୍ରକଳ୍ପଗୁଡ଼ିକ ରେଳ, ସଡ଼କ, ଶକ୍ତି, କ୍ରୀଡା ସମେତ ଅନେକ କ୍ଷେତ୍ରକୁ ଲାଭ ପହଞ୍ଚାଇବ।

ବିଶ୍ୱସ୍ତରୀୟ ଭିତ୍ତିଭୂମି ଏବଂ ଶେଷ ମାଇଲ ସଂଯୋଗ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୮୦୭୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୈରାବୀ-ସାଇରଙ୍ଗ ନୂତନ ରେଳ ଲାଇନର ଉଦଘାଟନ କରିବେ। ଯାହା ପ୍ରଥମ ଥର ପାଇଁ ମିଜୋରାମର ରାଜଧାନୀକୁ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରିବ। ଏକ ଆହ୍ବାନଭରା ପାହାଡ଼ିଆ ଅଞ୍ଚଳରେ ନିର୍ମିତ, ଏହି ରେଳ ଲାଇନ ପ୍ରକଳ୍ପରେ, ଜଟିଳ ଭୌଗୋଳିକ ପରିସ୍ଥିତିରେ ୪୫ଟି ସୁଡ଼ଙ୍ଗ ନିର୍ମାଣ କରାଯାଇଛି। ଏଥିରେ ୫୫ଟି ପ୍ରମୁଖ ସେତୁ ଏବଂ ୮୮ ଟି କ୍ଷୁଦ୍ର ସେତୁ ମଧ୍ୟ ଅନ୍ତର୍ଭୁକ୍ତ। ମିଜୋରାମ ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସିଧାସଳଖ ରେଳ ସଂଯୋଗ, ଏହି ଅଞ୍ଚଳର ଲୋକମାନଙ୍କୁ ନିରାପଦ, ଦକ୍ଷ ଏବଂ କମ ଖର୍ଚ୍ଚରେ ଯାତ୍ରା ବିକଳ୍ପ ପ୍ରଦାନ କରିବ। ଏହା ଖାଦ୍ୟଶସ୍ୟ, ସାର ଏବଂ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ସମୟୋଚିତ ଏବଂ ନିର୍ଭରଯୋଗ୍ୟ ଯୋଗାଣ ସୁନିଶ୍ଚିତ କରିବ, ଯାହା ଦ୍ଵାରା ସାମଗ୍ରିକ ଲଜିଷ୍ଟିକ୍ସ ଦକ୍ଷତା ଏବଂ ଆଞ୍ଚଳିକ ପ୍ରବେଶ ବୃଦ୍ଧି ପାଇବ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ତିନୋଟି ନୂତନ ଏକ୍ସପ୍ରେସ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିବେ, ସାଇରଙ୍ଗ (ଆଇଜଲ)-ଦିଲ୍ଲୀ (ଆନନ୍ଦ ବିହାର ଟର୍ମିନାଲ) ରାଜଧାନୀ ଏକ୍ସପ୍ରେସ, ସାଇରଙ୍ଗ-ଗୌହାଟି ଏକ୍ସପ୍ରେସ ଏବଂ ସାଇରଙ୍ଗ-କୋଲକାତା ଏକ୍ସପ୍ରେସ। ଆଇଜଲ ଏବେ ରାଜଧାନୀ ଏକ୍ସପ୍ରେସ ମାଧ୍ୟମରେ ସିଧାସଳଖ ଦିଲ୍ଲୀ ସହିତ ସଂଯୋଗ ହେବ। ସାଇରଙ୍ଗ-ଗୌହାଟି ଏକ୍ସପ୍ରେସ ମିଜୋରାମ ଏବଂ ଆସାମ ମଧ୍ୟରେ ଯାତାୟାତକୁ ସହଜ କରିବ। ସାଇରଙ୍ଗ-କୋଲକାତା ଏକ୍ସପ୍ରେସ ମିଜୋରାମକୁ ସିଧାସଳଖ କୋଲକାତା ସହିତ ସଂଯୋଗ କରିବ। ଏହି ଉନ୍ନତ ସଂଯୋଗୀକରଣ ହସ୍ପିଟାଲ, ବିଶ୍ୱବିଦ୍ୟାଳୟ ଏବଂ ବଜାରକୁ ପହଞ୍ଚିବା ପାଇଁ ଉନ୍ନତି ଆଣିବ, ଯାହା ସମଗ୍ର ଅଞ୍ଚଳରେ ଶିକ୍ଷାଗତ, ସାଂସ୍କୃତିକ ଏବଂ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ଼ କରିବ। ଏହା ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ଏବଂ ଅଞ୍ଚଳରେ ପର୍ଯ୍ୟଟନକୁ ଏକ ପ୍ରମୁଖ ପ୍ରୋତ୍ସାହନ ଦେବ।

ସଡ଼କ ଭିତ୍ତିଭୂମିକୁ ବୃଦ୍ଧି କରିବା ପାଇଁ, ପ୍ରଧାନମନ୍ତ୍ରୀ ଅନେକ ସଡ଼କ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏଥିରେ ଆଇଜଲ ବାଇପାସ୍ ରୋଡ୍, ଥେନଜାଲ-ସିଆଲସୁକ୍ ରୋଡ୍ ଏବଂ ଖାନକୌନ୍-ରୋଙ୍ଗୁରା ରୋଡ୍ ଅନ୍ତର୍ଭୁକ୍ତ।

ପ୍ରଧାନମନ୍ତ୍ରୀଙ୍କ ଉତ୍ତର ପୂର୍ବ କ୍ଷେତ୍ର ବିକାଶ ପଦକ୍ଷେପ (ପିଏମ-ଡିଭାଇନ) ଯୋଜନା ଅଧୀନରେ ୫୦୦ କୋଟି ଟଙ୍କା ବ୍ୟୟରେ ଆଇଜଲ ସହର ପାଇଁ ୪୫ କିଲୋମିଟର ଲମ୍ବ ବାଇପାସ୍ ରାସ୍ତାର ନିର୍ମାଣ ପ୍ରସ୍ତାବିତ। ଏହା ଆଇଜଲରେ ଭିଡ଼କୁ କମାଇବା ସହିତ ଲୁଙ୍ଗଲେଇ, ସିଆହା, ଲଙ୍ଗଟଲାଇ, ଲେଙ୍ଗପୁଇ ବିମାନବନ୍ଦର ଏବଂ ସାଇରାଙ୍ଗ ରେଳ ଷ୍ଟେସନ ସହିତ ଯୋଗାଯୋଗକୁ ଉନ୍ନତ କରିବ। ଏହି ବାଇପାସ୍‌ର ଫଳରେ ଦକ୍ଷିଣ ଜିଲ୍ଲାରୁ ଆଇଜଲ ପର୍ଯ୍ୟନ୍ତ ଯାତ୍ରା ସମୟ ପ୍ରାୟ ୧.୫ ଘଣ୍ଟା କମିବ, ଯାହା ସ୍ଥାନୀୟ ଲୋକଙ୍କୁ ଅପାର ଲାଭ ଦେବ। ଉତ୍ତର ପୂର୍ବ ସ୍ୱତନ୍ତ୍ର ଭିତ୍ତିଭୂମି ବିକାଶ ଯୋଜନା NESIDS(ରାସ୍ତା) ଅଧୀନରେ ଥେନଜାଲ–ସିଆଲସୁକ୍ ରାସ୍ତା ଅନେକ ଉଦ୍ୟାନ ଚାଷୀ, ଡ୍ରାଗନ ଫଳ ଚାଷୀ, ଧାନ ଚାଷୀ ଏବଂ ଅଦା ପ୍ରକ୍ରିୟାକରଣକାରୀଙ୍କୁ ସିଧାସଳଖ ଲାଭ ପହଞ୍ଚାଇବା ସହିତ ଆଇଜଲ–ଥେନଜାଲ–ଲୁଙ୍ଗଲେଇ ରାଜପଥ ସହିତ ସଂଯୋଗକୁ ସୁଦୃଢ଼ କରିବ। ସେହିପରି, ସେରଛିପ ଜିଲ୍ଲାରେ NESIDS (ରାସ୍ତା) ଅଧୀନରେ ଖାନକୋନ୍–ରୋଙ୍ଗୁରା ରାସ୍ତା ନିର୍ମାଣ, ବଜାରକୁ ଉତ୍ତମ ପ୍ରବେଶ ପ୍ରଦାନ କରିବା ସହିତ ସ୍ଥାନୀୟ ଉଦ୍ୟାନ ଚାଷୀମାନଙ୍କୁ ଲାଭଦାୟକ କରିବ। ଏହି ପ୍ରକଳ୍ପ ଯୋଜିତ ଅଦା ପ୍ରକ୍ରିୟାକରଣ ପ୍ଲାଣ୍ଟକୁ ମଧ୍ୟ ସମର୍ଥନ ଦେବ।

ପ୍ରଧାନମନ୍ତ୍ରୀ ଲଙ୍ଗଟଲାଇ-ସିଆହା ରାସ୍ତାରେ ଛିମଟୁଇପୁଇ ନଦୀ ସେତୁର ମଧ୍ୟ ଶିଳାନ୍ୟାସ କରିବେ। ଏହା ସବୁଦିନିଆ ସଂଯୋଗ ପ୍ରଦାନ କରିବ ଏବଂ ଯାତ୍ରା ସମୟକୁ ଦୁଇ ଘଣ୍ଟା ହ୍ରାସ କରିବ। ଏହି ସେତୁ କଳାଦାନ ମଲ୍ଟିମୋଡାଲ ଟ୍ରାନଜିଟ୍ ଫ୍ରେମୱାର୍କ ଅଧୀନରେ ସୀମାପାର ବାଣିଜ୍ୟକୁ ମଧ୍ୟ ପ୍ରୋତ୍ସାହିତ କରିବ।

ପ୍ରଧାନମନ୍ତ୍ରୀ କ୍ରୀଡା ବିକାଶ ପାଇଁ ‘ଖେଲୋ ଇଣ୍ଡିଆ ମଲ୍ଟିପର୍ପଜ୍ ଇଣ୍ଡୋର ହଲ’ର ଶିଳାନ୍ୟାସ କରିବେ। ଟୁଇକୁଆଲରେ ଅବସ୍ଥିତ, ଏହି ହଲ୍ ଏକ ବହୁମୁଖୀ ଇଣ୍ଡୋର ଆରେନା ସମେତ ଆଧୁନିକ କ୍ରୀଡା ସୁବିଧା ପ୍ରଦାନ କରିବ, ଯାହା ମିଜୋରାମର ଯୁବକମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରତିଯୋଗିତା କରିବା ପାଇଁ ଲାଭଦାୟକ ଏବଂ ଉତ୍ସାହିତ କରିବ।

ଏହି କ୍ଷେତ୍ରରେ ଶକ୍ତି ଭିତ୍ତିଭୂମିକୁ ସୁଦୃଢ଼ କରି, ପ୍ରଧାନମନ୍ତ୍ରୀ ଆଇଜଲର ମୁଆଲଖାଙ୍ଗରେ ୩୦ ଟିଏମଟିପିଏ (ବାର୍ଷିକ ହଜାର ମେଟ୍ରିକ୍ ଟନ୍) ଏଲପିଜି ବଟଲିଂ ପ୍ଲାଣ୍ଟର ଶିଳାନ୍ୟାସ କରିବେ। ଏହା ମିଜୋରାମ ଏବଂ ପଡ଼ୋଶୀ ରାଜ୍ୟଗୁଡ଼ିକରେ ଏଲପିଜିର ନିରନ୍ତର ଏବଂ ନିର୍ଭରଯୋଗ୍ୟ ଯୋଗାଣ ସୁନିଶ୍ଚିତ କରିବା ଲକ୍ଷ୍ୟ ରଖିଛି, ଯାହା ଦ୍ୱାରା ନିର୍ମଳ ରୋଷେଇ ଇନ୍ଧନର ସହଜ ପ୍ରବେଶ ଯୋଗାଇବ। ଏହା ସ୍ଥାନୀୟ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ।

ପ୍ରଧାନମନ୍ତ୍ରୀ “ପ୍ରଧାନମନ୍ତ୍ରୀ ଜନ ବିକାଶ କାର୍ଯ୍ୟକ୍ରମ” (ପିଏମଜେଭିକେ) ଯୋଜନା ଅଧୀନରେ କୱାର୍ଥାରେ ଏକ ଆବାସିକ ବିଦ୍ୟାଳୟ ମଧ୍ୟ ଉଦଘାଟନ କରିବେ। ମାମିଟ୍ ଆକାଂକ୍ଷା ଜିଲ୍ଲାରେ ଅବସ୍ଥିତ ଏହି ସ୍କୁଲରେ ଆଧୁନିକ ଶ୍ରେଣୀଗୃହ, ଛାତ୍ରାବାସ ଏବଂ କୃତ୍ରିମ ଫୁଟବଲ୍ ପଡ଼ିଆ ସମେତ କ୍ରୀଡା ସୁବିଧା ରହିବ। ଏହା ୧୦,୦୦୦ ରୁ ଅଧିକ ପିଲା ଏବଂ ଯୁବକଙ୍କୁ ଲାଭ ଦେବ ଏବଂ ଦୀର୍ଘକାଳୀନ ସାମାଜିକ ଏବଂ ଶିକ୍ଷାଗତ ପ୍ରଗତି ପାଇଁ ମୂଳଦୁଆ ସ୍ଥାପନ କରିବ।

ସମସ୍ତଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ତାଙ୍କର ଦୃଷ୍ଟିକୋଣକୁ ଆଗକୁ ନେଇ, ପ୍ରଧାନମନ୍ତ୍ରୀ ତଲଙ୍ଗନୁଆମରେ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ମଧ୍ୟ ଉଦଘାଟନ କରିବେ। ଏହି ସ୍କୁଲ ନାମଲେଖାରେ ଉନ୍ନତି ଆଣିବ, ସ୍କୁଲ ଛାଡିବା ହାର ହ୍ରାସ କରିବ ଏବଂ ଆଦିବାସୀ ଯୁବକ ଯୁବତୀଙ୍କ ପାଇଁ ସାମଗ୍ରିକ ଶିକ୍ଷା ସୁଯୋଗ ପ୍ରଦାନ କରିବ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande