ଗଞ୍ଜାମ, ୧୫ ସେପ୍ଟେମ୍ବର (ହି.ସ.)- ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ପ୍ରତି ସମର୍ପିତ ପୁରାତନ ସାହିତ୍ୟ ଅନୁଷ୍ଠାନ ଫଲ୍ଗୁ ସାହିତ୍ୟ ସଂସଦର ଶାରଦୀୟ ସାହିତ୍ୟ ସନ୍ଧ୍ୟା ଗତ ସନ୍ଧ୍ୟାରେ ଵ୍ରହ୍ମପୁର ଉତ୍କଳ ଆଶ୍ରମ ସଭାଗୃହରେ ଏକ ଭବ୍ୟ ବାତାବରଣ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ଆମନ୍ତ୍ରିତ ଅତିଥିମାନେ ଶ୍ରୀଜଗନ୍ନାଥଙ୍କ ପ୍ରତିକୃତି ସମ୍ମୁଖରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ସଂସଦର ସଭାପତି ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିଲେ ଏବଂ ବିଶିଷ୍ଟ ନାଟ୍ୟକାର ମେଜର୍ ରମାରମଣ ପାଢ଼ୀ ଉଦ୍ଘାଟକ ରୂପେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସାହିତ୍ୟ ସଂଧ୍ୟାର ଶୁଭାରମ୍ଭ କରିଥିଲେ l
ଶାରଦୀୟ ସନ୍ଧ୍ୟା ଉତ୍ସବରେ ବ୍ରହ୍ମପୁର ପୌର ମହାନଗର ନିଗମ ଉପ-ଆଯୁକ୍ତ କଲ୍ୟାଣୀ ସଂଘମିତ୍ରା ମୁଖ୍ୟଅତିଥି ରୂପେ ଯୋଗଦେଇ ଶରତ, ସାହିତ୍ୟ ଓ ଜୀବନ ବିଷୟରେ ତାତ୍ତ୍ୱିକ ଆଲୋଚନା କରିବା ସଂଗେ ସଂଗେ ପ୍ରଦୂଷିତ ପୃଥିବୀରେ ୠତୁମାନଙ୍କ ମୃତ୍ୟୁ ହୋଇସାରିଛି ବୋଲି କହିଥିଲେ l ସବୁ ପ୍ରତିକୂଳତା ଭିତରେ ତଥାପି ଶରତ ଆଗମନରେ କାଶତଣ୍ଡୀର ସମ୍ଭାର ଆଜି ବି କବି ଭାବୁକମାନଙ୍କୁ ସମ୍ମୋହିତ କରି ଆସିଛି ବୋଲି ମୁଖ୍ୟଅତିଥି କଲ୍ୟାଣୀ ସଂଘମିତ୍ରା ଉଲ୍ଲେଖ କରିଥିଲେ l ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ଅତିଥି ସହଯୋଗୀ ପ୍ରଫେସର୍ ଡ. ବିଦ୍ୟୁତ୍-ପ୍ରଭା ସାହୁ ମୁଖ୍ୟବକ୍ତା ରୂପେ ବକ୍ତବ୍ୟ ପ୍ରଦାନ ପୂର୍ବକ ଓଡ଼ିଆ କାବ୍ୟ-କବିତାରେ ପ୍ରକୃତି ଓ ଶାରଦୀୟ ଶୋଭା ସଂଭାରର ବର୍ଣ୍ଣନା ବିଷୟରେ ଆଲୋଚନା କରିଥିଲେ l
ସାହିତ୍ୟ ସଂସଦର ସଂପାଦକ ଡା. ସାଗର ରଞ୍ଜନ ତ୍ରିପାଠୀ ପ୍ରାରମ୍ଭରେ ବୈଦିକ ମନ୍ତ୍ରୋଚ୍ଚାରଣ କରିବା ସଂଗେ ସଂଗେ ଅତିଥି ପରିଚୟ ଓ ସଂପାଦକୀୟ ବିବରଣୀ ପାଠ କରିଥିଲେ l ଏହି ଅବସରରେ ବିଶିଷ୍ଟ ରାଜନୀତି ବିଜ୍ଞାନ ଚିନ୍ତକ ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ, ଖ୍ୟାତିପ୍ରାପ୍ତ ଅନୁବାଦିକା ଡ. ସୂଚନା ପାଢ଼ୀ, ସାହିତ୍ୟିକା କଲ୍ୟାଣୀ ସଂଘମିତ୍ରା ଓ ଡ. ବିଦ୍ୟୁତ୍-ପ୍ରଭା ସାହୁଙ୍କୁ ପୁଷ୍ପସ୍ତବକ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା l ସଂସଦର ଉପଦେଷ୍ଟା ଡ. ବ୍ରଜମୋହନ ଶାସମଲ୍ ପାରମ୍ପରିକ ଓଡ଼ିଆ ସଂଗୀତ ପରିବେଷଣ କରିଥିଲେ l
କବୟିତ୍ରୀ ଅମିତା ମିଶ୍ର (ଦାଶ)ଙ୍କ ସଂଯୋଜନାରେ ସଂଚାଳିତ କବିତା ପାଠୋତ୍ସବରେ ଭିକାରି ଚରଣ ମହାପାତ୍ର, ହୃଷୀକେଶ ଦାଶ, ଶରତ କୁମାର ଦାସ, ଇଂ. ଗଙ୍ଗାଧର ମହାରଣା, ଗୋବିନ୍ଦ ବେହେରା, ଡ. ସନ୍ତୋଷ କୁମାର ଦାଶ, ପଦ୍ମିନୀ ମିଶ୍ର, ଦିଲୀପ କୁମାର ରଥଶର୍ମା, ସୁଦାମ ପାଣିଗ୍ରାହୀ,ଶଙ୍କର୍ଷଣ ତ୍ରିପାଠୀ, ଗଗନ କୁମାର ଦାଶ, ଶରତ କୁମାର ଦାସ, ସୁଚେତା ପାଣିଗ୍ରାହୀ, ଡ. କୁଳମଣି ଓଝା, ଡ. ବନମାଳୀ ପାଣିଗ୍ରାହୀ, ବଂଶୀଧର ସେଠୀ, ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହାରିତସ୍), ଶ୍ୟାମସୁନ୍ଦର ଖାଡ଼ଙ୍ଗା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଶେଷରେ ସାହିତ୍ୟ ସଂସଦର ଯୁଗ୍ମ ସଂପାଦକ ଦିନବନ୍ଧୁ ଶ୍ରୀପଲ୍ଲଵ ଧନ୍ୟବାଦ ଅର୍ପଣ କରିଥିଲେ l
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ