ଭୁବନେଶ୍ୱର,୧୯ ସେପ୍ଟେମ୍ବର(ହି.ସ)- ଅନୁସୂଚିତ ଜାତି ଏବଂ ଜନଜାତି କଲ୍ୟାଣ ଓ ପଛୁଆବର୍ଗ ବିକାଶ ବିଭାଗ ଅଧିନରେ ଥିବା ବିଦ୍ୟାଳୟରେ ୪ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ବିଭାଗ ଅଧିନରେ ଥିବା ୧୭୬୫ଟି ବିଭିନ୍ନ କିସମର ବିଦ୍ୟାଳୟରେ ଏହି ଛାତ୍ରଛାତ୍ରୀମାନେ ପଢୁଥିବା ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
ଏସସି ଏସଟି ବିଭାଗ ଅଧିନରେ ଥିବା ବିଦ୍ୟାଳୟରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ନିଯୁକ୍ତି ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତରରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ବିଭାଗ ଅଧିନରେ ବର୍ତମାନ ବିଭିନ୍ନ କିସମର ମୋଟ ୧୭୬୫ ଶିକ୍ଷାନୁଷ୍ଠାନ ରହିଛି । ଏଥି ମଧ୍ୟରେ ୪୩୬ଟି ଆଶ୍ରମ ବିଦ୍ୟାଳୟ, ୭୬୯ଟି ସେବାଶ୍ରମ ବିଦ୍ୟାଳୟ, ୧୮୯ଟି ବାଳିକା ହାଇସ୍କୁଲ ଓ ୨୪୩ଟି ହାଇସ୍କୁଲ ରହିଛି ।
ଏହିସବୁ ବିଦ୍ୟାଳୟରେ ୪,୩୮,୨୩୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ଏହିସବୁ ବିଦ୍ୟାଳୟ ପାଇଁ ମୋଟ ୧୧,୫୧୪ ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଥିବାବେଳେ ଏଥିରେ ମାତ୍ର ୩୪୧୩ ଜଣ କାର୍ଯ୍ୟରତ ଅଛନ୍ତି । ବିଦ୍ୟାଳୟଗୁଡିକ ପାଇଁ ୨୧୦୮ଟି ମଞ୍ଜୁରୀପ୍ରାପ୍ତ ତାଲିମପ୍ରାପ୍ତ ସ୍ନତକ ଶିକ୍ଷକ ପଦବୀ ଥିବାବେଳେ ଏଥିରେ ୧୪୮ଜଣ ଶିକ୍ଷକ ଅଛନ୍ତି । ସେହିଭଳି ୬୧୭ଟି ସ୍ନତକୋତର ଶିକ୍ଷକ ପଦବୀରେ ୧୪୦ଜଣ କାର୍ଯ୍ୟରତ ଅଛନ୍ତି । ୬୪୮୭ଟି ସେବକ/ସେବିକା ପଦବୀରେ ୨୦୪୩ ଜଣ କାର୍ଯ୍ୟରତ ଥିବା ମନ୍ତ୍ରୀ ତାଙ୍କ ଉତରରେ ଉଲ୍ଲେଖ କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା