ଭୁବନେଶ୍ୱର,୧୯ ସେପ୍ଟେମ୍ବର(ହି.ସ)- ଦୟା ଓ ସହାନୁଭୂତିଶୀଳତା ସମାଜ ପରିବର୍ତନର ଚାବିକାଠି ବୋଲି ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି କହିଛନ୍ତି।ଶୁକ୍ରବାର ରମା ଦେବୀ ବିଶ୍ୱବିଦ୍ୟାଳୟଠାରେ “ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ”ର ଦ୍ୱାଦଶ ଆଂଚଳିକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ଏହା କହିଛନ୍ତି। ଥିଓସୋଫିକାଲ ଅର୍ଡର ଅଫ୍ ସର୍ଭିସ, ଓଡ଼ିଶା ରିଜିଅନ ଏବଂ ରମା ଦେବୀ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି ସମାରୋହରେ ଉଦ୍ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ, ପରିବାର, ସମାଜ ଏବଂ ରାଷ୍ଟ୍ରକୁ ପୁନଃନିର୍ମାଣ କରିବାରେ ଦୟା ଓ ସହାନୁଭୂତି ହେଉଛି ଜୀବନ୍ତ ଶକ୍ତି। ସମସ୍ତେ ପ୍ରେମ ଓ ସେବାର ସେତୁ ନିର୍ମାଣ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇ ସେବା, ଜ୍ଞାନ ଏବଂ କରୁଣାକୁ ପୋଷଣ କରି ସଂକୀର୍ଣ୍ଣ ସ୍ୱାର୍ଥର ଉର୍ଦ୍ଧରେ ରହି ସତ୍ୟ, ସମନ୍ୱୟ ଓ ସାର୍ବଜନୀନ ଭ୍ରାତୃତ୍ୱକୁ ଭିତିକରି ଆଗାମୀ ପିଢ଼ି ଗଠନ ପାଇଁ ଆୟୋଜକମାନଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ। ସମ୍ମିଳନୀର ଶୀର୍ଷକ “କାନ୍ଥ ନୁହେଁ, ସେତୁ ନିର୍ମାଣରେ ଦୟା ଓ ସହନୁଭୂତି” ସଂପର୍କରେ ରାଜ୍ୟପାଳ ଆଲୋକପାତ କରି କହିଥିଲେ ଯେ, ଦ୍ରୁତ ପ୍ରଯୁକ୍ତିବିଦ୍ୟାର ପରିବର୍ତନ ଏବଂ ଭୌତିକ ପ୍ରଗତି ପ୍ରାୟତଃ ନୈତିକ ଏବଂ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଛାଇ ହୋଇ ରହିଥାଏ। ନିଃସ୍ୱାର୍ଥପର ସେବା ଜାରି ରଖି ଗରିବ, ରୋଗୀ ଏବଂ ଅବହେଳିତ ଲୋକଙ୍କ ନିକଟରେ ପହଂଚିବା ସହିତ ପରିବେଶ ଓ ଜୀବଜଗତଙ୍କ ପ୍ରତି ଦୟା ପ୍ରଦର୍ଶନ ପୂର୍ବକ ମାନବ ଜୀବନର ଉଚ୍ଚ ଆଦର୍ଶକୁ ବଜାୟ ରଖିବା ପାଇଁ କହିଥିଲେ। ପୁଣି ରାଜ୍ୟପାଳ କହିଥିଲେ ଯେ, ପ୍ରଖ୍ୟାତ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଡକ୍ଟର ଆନି ବେସାନ୍ତ ଉଚ୍ଚ ଆଦର୍ଶକୁ ସହାନୁଭୂତିଶୀଳ କାର୍ଯ୍ୟରେ ପରିଣତ କରିବା ପାଇଁ “ସମସ୍ତ ପୀଡିତଙ୍କ ସେବାକୁ ଭଲ ପାଉଥିବା ଲୋକଙ୍କ ସଂଘ” ମୂଳନୀତି ସହିତ ‘ଥିଓସୋଫିକାଲ ଅର୍ଡର ଅଫ ସର୍ଭିସ’ ପ୍ରତିଷ୍ଠା କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ ଭୂମି ସାର୍ବଜନୀନ ପ୍ରେମ ଓ ସମାନତାକୁ ମୂର୍ତିମନ୍ତ କରିଥିବାରୁ ଓଡ଼ିଶା ଏହି ଦୃଷ୍ଟିକୋଣ ସହିତ ଗଭୀରଭାବେ ପ୍ରତିଧ୍ୱନିତ ହୋଇଛି ବୋଲି ରାଜ୍ୟପାଳ କହିଥିଲେ। ଛାତ୍ରଛାତ୍ରୀମାନେ ନିଃସ୍ୱାର୍ଥପର ସେବା ଓ ସାର୍ବଜନୀନ ମୂଲ୍ୟବୋଧକୁ ଗ୍ରହଣ କରିବାକୁ ରାଜ୍ୟପାଳ ଆହ୍ୱାନ ଜଣାଇବା ସହିତ ମହିଳା ସଶକ୍ତିକରଣ, ଲିଙ୍ଗ ସମାନତା, ଶିକ୍ଷା ଏବଂ ଗୋଷ୍ଠୀ ସେବା କ୍ଷେତ୍ରରେ ଥିଓସୋଫିକାଲ ଅର୍ଡର ଅଫ ସର୍ଭିସ, ଓଡ଼ିଶା ରିଜିଅନର ଉଦ୍ୟମକୁ ପ୍ରଶଂସା କରିଥିଲେ। ଥିଓସୋଫିକାଲ ଅର୍ଡର ଅଫ ସର୍ଭିସର ଜାତୀୟ ନିର୍ଦ୍ଦେଶକ କେ. ଶିବ ପ୍ରସାଦ ମୁଖ୍ୟ ବକ୍ତା ଭାବେ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିବାବେଳେ ପ୍ରାରମ୍ଭରେ ଓଡ଼ିଶା ରିଜିଅନ ଅଧ୍ୟକ୍ଷା ଡ. ଦୀପା ପାଢୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।
ଏହି ଅବସରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା। ଏତଦ୍ବ୍ୟତୀତ ବିଭିନ୍ନ ପ୍ରତିଯୋଗୀତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିବା ବେଳେ ନିଃସ୍ୱାର୍ଥପର ସେବା କ୍ଷେତ୍ରରେ ପୁରସ୍କାର ପ୍ରଦାନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା