ଜୟପୁର, ୧୯ ସେପ୍ଟେମ୍ବର (ହି.ସ.)- ବିକ୍ରମଦେବ ବିଶ୍ବବିଦ୍ୟାଳୟ ଠାରେ ଶୁକ୍ରବାର ସ୍ମାତକ ଏବଂ ସ୍ମାତକତ୍ତୋର ପାଠ୍ୟକ୍ରମର ଅସ୍ଥାୟୀ ଅଧ୍ୟାପକ ଓ ଅଧ୍ୟାପିକା ମାନେ ପ୍ରତ୍ୟେକ ପାଠକ୍ରମ ପ୍ରଦାନ ଶ୍ରେଣୀ ପିଛା ୫ ଶହ ଟଙ୍କା ବଦଳରେ ସରକାରୀ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶନାମା ଅନୁଯାୟୀ ୭ଶହ ଟଙ୍କା ପ୍ରଦାନ କରିବା ଦାବି ନେଇ ପୂର୍ବାହ୍ନ ସାଢେ ୧୦ ଟା ଠାରୁ ପାଠ ପଢାଇବା ବହିଷ୍କାର କରିବା ସହ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଏହିପରି ଗତ ୭ ମାସର ଦରମା ମିଳିନଥିବା ବେଳେ ବର୍ତ୍ତମାନ ବେଳେ ପୁଣି ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ପ୍ରତ୍ୟେକ ଶ୍ରେଣୀ ପିଛା ୭ଶହ ଟଙ୍କା ଏବଂ ମାସିକ ସର୍ବାଧିକ ୩୫ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ସୁଦ୍ଧା ଶ୍ରେଣୀ ପିଛା ୫ ଶହ ଟଙ୍କା ସର୍ବାଧିକ ୨୫ ହଜାର ଟଙ୍କା ପ୍ରଦାନ କରିବା ନେଇ ବିଲ ପ୍ରସ୍ତୁତ କରିବାକୁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଶ୍ରେଣୀ ପିଛା ୭ ଶହ ଟଙ୍କା ଏବଂ ସର୍ବାଧିକ ୩୫ ହଜାର ଟଙ୍କା ପ୍ରଦାନ କରିବାକୁ ଦାବିରେ ଅସ୍ଥାୟୀ ଅଧ୍ୟାପକ ଓ ଅଧ୍ୟାପିକା ଜିଦ୍ କରିଥିଲେ । ଏହିପିର କୁଳପତି ପ୍ରଫେସର ଦେବୀ ପ୍ରସାଦ ମିଶ୍ର ଏବଂ କୁଳସଚିବ ମହେଶ୍ବର ନାୟକ ଆନ୍ଦୋଳନରତ ଅଧ୍ୟାପକଙ୍କ ନେତୃତ୍ବ ନେଉଥିବା ଅଧ୍ୟାପକ ଦୁର୍ଗା ପ୍ରସାଦ ପଣ୍ଡାଙ୍କ ସହିତ ଆଲୋଚନା କରିଥିଲେ । ଏହିପରି ଆସନ୍ତା ଦୁଇଦିନ ରାଜ୍ୟ ସ୍ତରୀୟ ହରେକୃଷ୍ଣ ମହତାବ ଜୟନ୍ତୀ ଆୟୋଜନ ହେବାକୁ ରହିଥିବା ବେଳେ ଏଥିରେ ସହଯୋଗ କରିବା ସହ ଆସନ୍ତା ସେମମବାର କିମ୍ବା ମଙ୍ଗଳବାର ସୁଦ୍ଧା ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ସହ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଅବସରରେ ପୂର୍ବତନ ରାଜ୍ୟ ମନ୍ତ୍ରୀ ରବିନାରାୟଣ ନନ୍ଦ, ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ମିଶ୍ର, ବିଜେପି ରାଜ୍ୟକାର୍ଯ୍ୟକାରିଣୀ ସଦସ୍ୟ ଗୌତମ ସାମନ୍ତରାୟ, ଜଗନ୍ନାଥ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ ।
ଅନ୍ୟପକ୍ଷରେ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ମିଶ୍ର କହିଛନ୍ତି ଯେ, ବର୍ତ୍ତମାନ ବିକ୍ରମ ମହାବିଦ୍ୟାଳୟ ରୁ ବିଶ୍ବବିଦ୍ୟାଳୟ ହୋଇଥିବା ଯୋଗୁଁ ସରକାରୀ ନିୟମ ଅନୁଯାୟୀ ସର୍ବାଧିକ ଶ୍ରେଣୀ ପିଛା ୫ ଶହ ଟଙ୍କା ଦିଆଯିବା ନା ୭ ଶହ ଟଙ୍କା ଦିଆଯିବ ସେଥିନେଇ କୌଣସି ଚିଠି ଆସିନାହିଁ । ଏହିପରି ଗତକାଲି ବିଶ୍ବବିଦ୍ୟାଳୟର କୁଳସଚିବ ଶ୍ରୀ ନାୟକ ଉଚ୍ଚ ଶିକ୍ଷା ବିଭାଗର ଯୁଗ୍ମ ସଚିବ ପାହ୍ୟାର ଜଣେ ଅଧିକାରୀଙ୍କ ସହ ଫୋନ ମାଧ୍ୟମରେ ଏହି ସମସ୍ୟା ନେଇ ଆଲୋଚନା କରିଥିଲେ । କିନ୍ତୁ, ଗତ ଜୁନ ୨୦ ତାରିଖରେ ଶ୍ରେଣୀ ପିଛା ୫ ଶହ ଏକ ସର୍ବାଧିକ ମାସିକ ୨୫ ହଜାର ଟଙ୍କା ନେଇ ଚୁକ୍ତିନାମା ହୋଇଛି ଏବଂ ଜୁନ ୨୩ ତାରିଖରେ ଶ୍ରେଣୀ ପିଛା ୭ଶହ ଟଙ୍କା ଏବଂ ସର୍ବାଧିକ ୩୫ ହଜାର ଟଙ୍କା ନେଇ ସରକାରୀ ନିର୍ଦ୍ଦେଶନାମା ଜାରୀ ହୋଇଥିଲା । କିନ୍ତୁ ଚୁକ୍ତିନାମା ଅନୁଯାୟୀ ଏହି ସର୍ବାଧିକ ୨୫ ହଜାର ଟଙ୍କା ନେଇ ବିଲ୍ ପ୍ରସ୍ତୁତ କରାଯାଇଛି । ଏଥିନେଇ ଅତିଶିଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ସ୍ପଷ୍ଟ କରିଥିଲେ । ଏହାପରେ ଅସ୍ଥାୟୀ ଅଧ୍ୟାପକ ଏବଂ ଅଧ୍ୟାପିକା ମାନେ ଧାରଣାକୁ ସ୍ଥଗିତ ରଥିବା ସହ ବିଶ୍ବବିଦ୍ୟାଳୟର ସମସ୍ତ ଶ୍ରେଣୀ ଓ ଇଣ୍ଟରନାଲ ପରୀକ୍ଷା ପରିଚାଳନାରେ ସହଯୋଗ କରିବା ସହିତା ଆସନ୍ତା ଦୁଇଦିନ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ହରେକୃଷ୍ଣ ମହତାବ ଜୟନ୍ତୀ ପାଳନ କରିବାରେ ସହଯୋଗ କରିବାକୁ ଧାରଣାକାରୀ ମାନେ ପ୍ରତିଶୃତି ଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି