ଚମ୍ପୁଆ, ୧୯ ସେପ୍ଟେମ୍ବର (ହି.ସ.) - ନିଶାସକ୍ତ ଅବସ୍ଥାରେ ନିୟମିତ ଭାବେ ପ୍ରଧାନଶିକ୍ଷକ ସ୍କୁଲକୁ ଆସୁଥିବାରୁ ଅତିଷ୍ଠ ହୋଇ ସ୍କୁଲରେ ତାଲା ପକାଇଛନ୍ତି ଅଭିଭାବକ ଓ ଗ୍ରାମବାସୀ । ପ୍ରଧାନଶିକ୍ଷକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ସ୍କୁଲରେ ତାଲା ପକାଇବା ସହ ଦୀର୍ଘ ସମୟ ଧରି ସ୍କୁଲ ବାରଣ୍ଡାରେ ବସି ରହିଥିଲେ ଅଭିଭାବକ ଓ ଛାତ୍ରଛାତ୍ରୀ । ଏଭଳି ଅଭିଯୋଗ ଆସିଛି ଚମ୍ପୁଆ ବ୍ଲକ୍ ଅନ୍ତର୍ଗତ ସୁନାପଶି ପଂଚାୟତ ସରାଶପଶି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ ପ୍ରଧାନଙ୍କ ନାମରେ । ଏହି ବିଦ୍ୟାଳୟରେ ୬୦ ଜଣ ଛାତ୍ରଛାତ୍ରୀ ଶିକ୍ଷା ଗ୍ରହଣ କରୁଥିବା ବେଳେ ପ୍ରଧାନଶିକ୍ଷକଙ୍କ ସମେତ ଦୁଇ ଜଣ ଶିକ୍ଷୟିତ୍ରୀ ମିଶି ମୋଟ ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀ କାର?୍ୟ୍ୟରତ ଅଛନ୍ତି । ତେବେ ପ୍ରଧାନଶିକ୍ଷକ ବସନ୍ତ ପ୍ରଧାନଙ୍କ କାର?୍ୟ୍ୟକଳାପକୁ ନେଇ ଗ୍ରାମବାସୀ ଓ ଅଭିଭାବକମାନେ ଅତିଷ୍ଠ ହୋଇ ପଡିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ଗତ ନଅ ମାସତଳୁ ପ୍ରଧାନଶିକ୍ଷକ ଦାୟିତ୍ୱ ଗ୍ରହଣ କରିଥିବା ବସନ୍ତ ପ୍ରଧାନ ପ୍ରାୟ ଅଧିକାଂଶ ଦିନ ମଦ ପିଇ ବିଦ୍ୟାଳୟକୁ ଆସିବା ସହିତ ମନମାନି କରୁଛନ୍ତି । ମନ ହେଲେ ସ୍କୁଲ ଆସୁଛନ୍ତି ନ ହେଲେ ନାହିଁ । ତାଙ୍କ ଦେଖାଦେଖି ସେଠାରେ ଥିବା ଜନୈକ ଶିକ୍ଷୟିତ୍ରୀ ମଧ୍ୟ ସ୍କୁଲ ଆସିବାରେ ଅବହେଳା କରୁଛନ୍ତି । ଯାହାକୁ ନେଇ ବିଦ୍ୟାଳୟ ପରିଚାଳନାରେ ଅବ୍ୟବସ୍ଥା ସୃଷ୍ଟି ହେଉଛି । ଯେଉଁଥି ପାଇଁ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଠ ପଢାରେ ବ୍ୟାଘାତ ସୃଷ୍ଟି ହେବା ସହ ସେମାନଙ୍କ ଉପରେ ଏହାର କୁପ୍ରଭାବ ପଡୁଛି। ପୂର୍ବରୁ ଏ ବିଷୟରେ ଗ୍ରାମବାସୀ ଉଚ୍ଚ କର୍ତୃପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଆଜି ଗ୍ରାମବାସୀ ଓ ଅଭିଭାବକ ମାନେ ଅତିଷ୍ଠ ହୋଇ ସ୍କୁଲରେ ତାଲା ପକାଇ ଧାରଣାରେ ବସିଥିଲେ । ଦୀର୍ଘ ସମୟ ଧରି ବସିବା ପରେ ଖବର ପାଇ ଉଚ୍ଚ କର୍ତୃପକ୍ଷ ବିଦ୍ୟାଳୟକୁ ଯାଇ ଅଭିଭାବକ ଓ ଗ୍ରାମବାସୀ ମାନଙ୍କୁ ବୁଝସୁଝା କରିବା ପରେ ସ୍କୁଲରୁ ତାଲା ଖୋଲିଥିଲା । ତେବେ ମଦ ପିଇ ସ୍କୁଲ ଆସୁଥିବା ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗ୍ରାମବାସୀ ଅଟଳ ରହିଥିଲେ। ଏ ବାବଦରେ ଚମ୍ପୁଆ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକାରୀ ନରେନ୍ଦ୍ର ନାଏକଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ରିସିଭ କରୁ ନ ଥିବାରୁ ମତାମତ ମିଳି ପାରିନାହିଁ।
ହିନ୍ଦୁସ୍ଥାନ ସମାଚାର / Trinath Mahanta