ଜୟପୁର, ୧୯ ସେପ୍ଟେମ୍ବର (ହି.ସ.) - କୋରାପୁଟ ସହରରେ ଦୋକାନ ଗୃହ ଭୁଷୁଡିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଜୟପୁର ପୌରସଂସ୍ଥା ପକ୍ଷରୁ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହାୟତାରେ ସହରର ପୌରସଂସ୍ଥା ରହିଥିବା ପୁରାତନ ଭବନ ଏବଂ ଦୋକାନ ଗୃହ ଯାଂଚ କରାଯାଇଛି । ଏହିପରି ସହରର ମହାରାଣି ପେଟା ସରୋଜିନୀ ଭବନ ପାର୍ଶ୍ୱରେ ରହିଥିବା ଦୁଇମହଲା ଭବନ, ପୁରାତନ ସରକାରୀ ବସଷ୍ଟାଣ୍ଡ ପାର୍ଶ୍ୱରେ ରହିଥିବା ଦୁଇ ମହଲା ଭବନ, ଶ୍ରମ ଅଦାଲତ ତଥା ସ୍ୱତନ୍ତ୍ର ଟ୍ରେଜେରୀ ନିକଟସ୍ଥ ଦୋକାନ ଗୃହ, ଦୈନିକ ବଜାର ଭିତରେ ରହିଥିବା ଦୋକାନ ଗୃହ ଏବଂ ଅନ୍ୟାନ୍ୟ ଦୋକାନ ବଜାରର ଯାଂଚ କରାଯାଇଥିଲା। ଏହି ଅବସରରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ କୁମାର ବେହେରା, କନିଷ୍ଠ ଯନ୍ତ୍ରୀ ବିପ୍ଲବ କୁଅଁର, ପୌରଯନ୍ତ୍ରୀ ଅଜୟ କୁମାର ଜାନୀ, ୱାର୍କ ସରକାର ଦେବ ପ୍ରସାଦ ମହାନ୍ତି ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଏହି ଯାଂଚ ପରେ ଆଗାମୀ ଦିନରେ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ସାର୍ଟିଫିକେଟ ଅନୁଯାୟୀ ବିପଦସଙ୍କୁଳ ଭବନ ଗୁଡିକକୁ ଭଙ୍ଗାଯାଇ ନୂତନ ଭାବେ ନିର୍ମାଣ ହେବ ଏବଂ ସୁରକ୍ଷିତ ଭବନ ଗୁଡିକକୁ ଆବଶ୍ୟକ ଅନୁଯାୟୀ ମରାମତି କରାଯିବ ବୋଲି ପୌରସଂସ୍ଥା ପକ୍ଷରୁ ପ୍ରକାଶ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପିକେପି