ଜୟପୁର, ୧୯ ସେପ୍ଟେମ୍ବର (ହି.ସ.)- ଜୟପୁର ସ୍ଥିତ ଏମ. ଏସ. ସ୍ୱମୀନାଥନ ଗବେଷଣା ପ୍ରତିଷ୍ଠାନ ଓଡିଶା ସରକାରଙ୍କ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା ଅନ୍ତର୍ଗତ ସହାୟତାରେ ସମନ୍ଵିତ କୃଷି ପ୍ରଣାଳୀ ପ୍ରକଳ୍ପ କୋରାପୁଟ ଜିଲ୍ଲାର ବୈପାରୀଗୁଡା ବ୍ଳକ ଓ ନବରଙ୍ଗପୁର ଜିଲ୍ଲାର କୋଷାଗୁମୁଡା ବ୍ଲକରେ କାର୍ଯ୍ୟ କରିଆସୁଛି। ଏହି ପ୍ରକଳ୍ପ ମାଧ୍ୟମରେ ୨ ଗୋଟି ଜିଲ୍ଲାର ୧୯୨ ଜଣ ପୋଖରୀ ଚାଷୀଙ୍କୁ ମାଛ ଯାଆଁଳ ଦିଆଯାଇଅଛି । ମାଛ ଏବଂ ପୋଖରୀର ସୁପରିଚାଳନା ପାଇଁ ଏମ. ଏସ. ସ୍ଵାମୀନାଥନ ଗବେଷଣା ପ୍ରତିଷ୍ଠାନ ଦ୍ଵାରା ଚାଷୀମାନଙ୍କୁ ମାଛ ଯାଆଁଳ ଛାଡିବା ପରବର୍ତ୍ତୀ ପରିଚାଳନା ଉପରେ ୪ ଦିନିଆ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
ଉକ୍ତ ତାଲିମ କାର୍ଯ୍ୟକ୍ରମରେ ପୋଖରୀ ପାଣିର ମାନ ଠିକ ରଖିବା, ଜୀବାଣୁ ମୁକ୍ତ କରିବା, ପ୍ରାକୃତିକ ଖାଦ୍ୟ ପ୍ରସ୍ତୁତି କରିବା, ଘରୋଇ ସନ୍ତୁଳିତ ମାଛ ଖାଦ୍ୟ ପ୍ରସ୍ତୁତି କରିବା, କୃତ୍ରିମ ଖାଦ୍ୟ ଠିକ ପରିମାଣ ଓ ଠିକ ସମୟରେ ଦେବା ଏବଂ ରୋଗପୋକ ପରିଚାଳନା ସହିତ ମାଛ ଚାଷ ସମ୍ବନ୍ଧୀୟ ଯୋଜନା ଉପରେ ଚାଷୀଙ୍କୁ ଅବଗତ କରାଯାଇଥିଲା ।
ଏମ. ଏସ. ସ୍ୱାମୀନାଥନ ଗବେଷଣା ପ୍ରତିଷ୍ଠାନ ର ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ପରିଡା ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିବା ସହିତ ଚାଷୀମାନେ ସମନ୍ଵିତ କୃଷି ପ୍ରଣାଳୀ ପ୍ରକଳ୍ପ ସହାୟତାରେ ମାଛ ଚାଷ କରି କିପରି ଅଧିକ ଲାଭବାନ ହେବେ ତାହା ଉପରେ ଆଲୋକପାତ କରିଥିଲେ। ସିମାଞ୍ଚଳ ପାଢ଼ୀ, ସହକାରୀ ମତ୍ସ୍ୟ ଅଧିକାରୀ, ଜୟପୁର; ନିପ୍ରଭର ରାଉତ, ସହକାରୀ ମତ୍ସ୍ୟ ଅଧିକାରୀ, କୋଷାଗୁମୁଡା ତାଲିମ ଦାତା ଭାବରେ ଯୋଗଦେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି