ଅଂଶଗ୍ରହଣ କଲେ ବହୁ ସଂଖ୍ୟକ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷାର୍ଥୀ
ଭୁବନେଶ୍ୱର,୧୯ ସେପ୍ଟେମ୍ବର(ହି.ସ)- ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟବ୍ୟାପୀ ସରକାରୀ ବିଦ୍ୟାଳୟଗୁଡ଼ିକରେ ଆୟୋଜିତ ନିପୁଣ ସପ୍ତାହ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି। ଏହି ସପ୍ତାହବ୍ୟାପୀ କାର୍ଯ୍ୟକ୍ରମର ଶେଷ ଦିନରେ ବିଦ୍ୟାଳୟଗୁଡ଼ିକରେ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି ହୋଇଥିଲା । ବହୁ ସଂଖ୍ୟକ ଅଭିଭାବକ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ବିଶେଷ ଭାବେ ମା'ମାନଙ୍କ ପାଇଁ ସଚେତନତା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏହି ଅଧିବେଶନରେ ମା'ମାନଙ୍କୁ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନର ଗୁରୁତ୍ୱ ଉପରେ ଆଲୋକପାତ କରାଯାଇଥିଲା। କାହାଣୀ କହିବା ଅଧିବେଶନ ଏବଂ ପଠନ ପ୍ରୋତ୍ସାହନ କାର୍ଯ୍ୟକଳାପ ମାଧ୍ୟମରେ ଅଭିଭାବକମାନେ ଶିକ୍ଷାର୍ଥୀଙ୍କୁ ଘରେ ପାଠ ପଢାରେ କିପରି ସହଯୋଗ କରିପାରିବେ ସେ ବିଷୟରେ କୁହାଯାଇଥିଲା । ଏଥିସହ ଶିକ୍ଷାର୍ଥୀମାନଙ୍କ ରିପୋର୍ଟ କାର୍ଡ ପ୍ରଦର୍ଶିତ ହୋଇଥିଲା ।
କାର୍ଯ୍ୟକ୍ରମର ପ୍ରଥମ ଦୁଇ ଦିନ ମୌଳିକ ସଂଖ୍ୟାଜ୍ଞାନ ଉପରେ ଗୁରୁତ୍ୱ ଦିଆଯାଇଥିଲା । ଶିକ୍ଷାର୍ଥୀମାନେ ଗଣିତ ଖେଳ, ସମସ୍ୟା ସମାଧା, ଗପ ଆଧାରିତ ଗଣିତ କାର୍ଡ ବ୍ୟବହାର କରି ଉତ୍ସାହର ସହ ଗଣିତ କରିଥିଲେ । ତୃତୀୟ ଏବଂ ଚତୁର୍ଥ ଦିନ ମୌଳିକ ସାକ୍ଷରତା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଶିକ୍ଷାର୍ଥୀମାନେ ଗପ, ଗୀତ, ଖେଳ ଓ ବିଭିନ୍ନ ଶିକ୍ଷଣ ସାମଗ୍ରୀ ବ୍ୟବହାର କରି ମୌଖିକ ଭାଷା, ଡିକୋଡିଂ, ପଠନ ଓ ଲିଖନ କରିଥିଲେ।
'ନିପୁଣ ସପ୍ତାହ' କାର୍ଯ୍ୟକ୍ରମ ଶିକ୍ଷାର୍ଥୀମାନଙ୍କର ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତାକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ। ଏହି କାର୍ଯ୍ୟକ୍ରମ ସେମାନଙ୍କୁ ଜୀବନବ୍ୟାପୀ ଶିକ୍ଷା ପାଇଁ ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ। କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ, ଶିକ୍ଷାର୍ଥୀଙ୍କର ଶିଖିବା ପ୍ରତି ଆଗ୍ରହ ବୃଦ୍ଧି ପାଇଛି। ଖେଳ ମାଧ୍ୟମରେ ଗଣନ, ଯୋଗ, ବିୟୋଗ ଏବଂ ଅନ୍ୟାନ୍ୟ ଗାଣିତିକ ଧାରଣା ସହଜରେ ବୁଝିପାରୁଛନ୍ତି। କାହାଣୀ ଏବଂ ଶବ୍ଦ ଖେଳ, ସେମାନଙ୍କର ଭାଷା ଏବଂ ବୋଧଗମ୍ୟତା ଦକ୍ଷତାକୁ ଉନ୍ନତ କରୁଛି । ପିଲାମାନେ ନିଜ ପାଠପଢ଼ା ପ୍ରତି ଅଧିକ ଧ୍ୟାନ ଦେବା ସହ ସେମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଉଛି।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୨୦୨୪ ମସିହା ସେପ୍େଟମ୍ବର ୫ ତାରିଖରେ “ନିପୁଣ ଓଡ଼ିଶା” ମିଶନର ଶୁଭାରମ୍ଭ କରିଥିଲେ। ୩ ବର୍ଷରୁ ୮ ବର୍ଷ ମଧ୍ୟରେ ପଢୁଥିବା ରାଜ୍ୟର ପ୍ରତ୍ୟେକ ପିଲାଙ୍କୁ ପ୍ରାଥମିକ ସ୍ତରରେ ପଢିବା, ଲେଖିବା ଏବଂ ଗଣିତରେ ଦକ୍ଷ କରିବା ଏହି ମିଶନର ଲକ୍ଷ୍ୟ । ପ୍ରାଥମିକ ସ୍ତରରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତାକୁ ସୁଦୃଢ କରିବା ପାଇଁ 'ନିପୁଣ ସପ୍ତାହ' ଏକ ଅଭିନବ ପଦକ୍ଷେପ । ଏହି କାର୍ଯ୍ୟକ୍ରମ ଶିକ୍ଷାଦାନକୁ ସୃଜନଶୀଳ ଏବଂ ସମାବେଶୀ କରିବା ସହ ସମ୍ପ୍ରଦାୟକୁ ବିଦ୍ୟାଳୟ ସହିତ ଯୋଡ଼ିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା