ପୂର୍ବ ଚମ୍ପାରଣ, ୨୧ ସେପ୍ଟେମ୍ବର (ହି.ସ.)- ପୋଲିସ ଏବଂ ସଶସ୍ତ୍ର ସୀମା ବଳ (ଏସଏସବି) ଏକ ମିଳିତ ଅଭିଯାନରେ ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଘୋଡ଼ାସହନ ଅଂଚଳରେ ୫ ଜଣ ସନ୍ଦିଗ୍ଧ ବିଦେଶୀ ନାଗରିକଙ୍କୁ ଗିରଫ କରିଛନ୍ତି । ଗିରଫ ବିଦେଶୀ ନାଗରିକଙ୍କୁ ପଚରାଉଚରା କରାଯାଉଛି ।
ସୁରକ୍ଷା ବାହିନୀ ଦ୍ୱାରା ଗିରଫ ହୋଇଥିବା ବିଦେଶୀ ନାଗରିକମାନେ ନେପାଳ ଦେଇ ବିହାରରେ ପହଂଚି ଥିଲେ । ସମସ୍ତେ ଅନ୍ଧାରରେ ଏକ ଯାତ୍ରୀବାହୀ ବସ୍ ରେ ଥିଲେ । ଗିରଫ ବିଦେଶୀ ନାଗରିକଙ୍କ ମଧ୍ୟରେ ଚାରି ଜଣ ସୁଦାନୀ ଏବଂ ଜଣେ ବୋଲିଭିଆନ୍ ଅଛନ୍ତି । ସେମାନଙ୍କ ଠାରୁ ଉର୍ଦ୍ଦୁରେ ଲେଖାଯାଇଥିବା ନୋଟ୍, କିଛି ପୁସ୍ତକ ଏବଂ ଡକ୍ୟୁମେଂଟ ଜବତ କରାଯାଇଛି । ସୁରକ୍ଷା ବାହିନୀ ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ, ଏସଏସବି ସୂଚନା ପାଇଥିଲା ଯେ, କିଛି ସନ୍ଦିଗ୍ଧ ବିଦେଶୀ ନାଗରିକ ପାଟନା ଯାତ୍ରା କରିବାକୁ ଯୋଜନା କରୁଛନ୍ତି ଏବଂ ସୀମାନ୍ତରେ ଅବସ୍ଥିତ ଆଗରୱା ଗ୍ରାମରୁ ବାହାରି ଯାଇଛନ୍ତି । ଏସଏସବି ର ଅଧିକାରୀମାନେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ, ଯାହା ପରେ ଏସଏସବି ଏବଂ ପୋଲିସର ଏକ ମିଳିତ ଦଳ ଘୋଡ଼ାସହନ ବସଷ୍ଟାଣ୍ଡରେ ପହଂଚି ତଲାସି ଆରମ୍ଭ କରିଥିଲେ ଏବଂ ଏକ ଘରୋଇ ବସ୍ ରେ ଥିବା ସମସ୍ତ ବିଦେଶୀ ନାଗରିକଙ୍କୁ ହେପାଜତରେ ନେଇଥିଲେ ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ