ଚମ୍ପୁଆ,24 ସେପ୍ଟେମ୍ବର (ହି.ସ.)ବିପଦ ସଙ୍କୁଳ ଓ ଅସୁରକ୍ଷିତ ଗୃହରେ ଚାଲିଛି ଚମ୍ପୁଆ ବୃହତାକାର ଆଦିବାସୀ ସମବାୟ ସମିତି କାର୍ଯ୍ୟାଳୟ । ନୂତନ ଗୃହ ଅଭାବ ରୁ ୫୦ ବର୍ଷ ରୁ ଅଧିକ ପୁରୁଣା ଭଙ୍ଗା ଦଦରା ଘରେ ପଲିଥିନ ଟାଣି କାର୍ଯ୍ୟାଳୟ ଚାଲିଛି । ପାଣି ଗଳି ଚାଷୀ ମାନଙ୍କ ପାଇଁ ଆସୁଥିବା ସାର, ବିହନ, ସରକାରୀ ନଥିପତ୍ର ମଧ୍ୟ ନଷ୍ଟ ହେବା ସହ କାର୍ଯ୍ୟାଳୟ ର କମ୍ପ୍ୟୁଟର ଓ ବୈଦ୍ୟୁତିକ ଉପକରଣ ପ୍ରତି ବିପଦ ସୃଷ୍ଟି କରୁଛି । ସାର, ବିହନକୁ ସୁରକ୍ଷିତ ରଖିବା ପାଇଁ ସମିତି ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟକୁ ବ୍ୟବହାର କରାଯାଉଥିବାରୁ ବହୁ ସମୟରେ ଅଧ୍ୟକ୍ଷ ଙ୍କୁ ବାରଣ୍ଡାରେ ବସି କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଚାଷୀ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରି ସମବାୟ ସମିତି ମାଧ୍ୟମରେ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଚମ୍ପୁଆ ସଦର ମହକୁମାରେ ସ୍ଥିତ ଏହି ସମବାୟ କାର୍ଯ୍ୟାଳୟ ପ୍ରତି ଏଯାଏଁ ପ୍ରଶାସନ ର ଦୃଷ୍ଟି ପଡ଼ିପାରି ନାହିଁ । କାର୍ଯ୍ୟାଳୟ ର ଆଜବେଷ୍ଟ ଘର ଗୁଡ଼ିକ ପୁରୁଣା ହେବା ସହ ଘର ଗୁଡ଼ିକର ରୁଅ ଓ ଶେଣୀ ଦୁର୍ବଳ ହୋଇପଡିଛି । ଅନେକ ସ୍ଥାନରେ ସିଲିଂ ପାଇଁ ଦିଆଯାଇଥିବା ପଟା ଗୁଡିକ ଭାଙ୍ଗି ପଡି ଝୁଲୁଥିବା ଅବସ୍ଥାରେ ରହିଛି । ବର୍ଷା ଦିନରେ ଘର ଗୁଡିକରୁ ପାଣି ଗଳିବା ଏକ ସାଧାରଣ ଘଟଣାରେ ପରିଣତ ହୋଇଥିବା ବେଳେ କାର୍ଯ୍ୟାଳୟର ଦୂରାବସ୍ଥା ପ୍ରତି ସରକାରଙ୍କ ନଜର ପଡୁ ନାହିଁ । ଅସୁରକ୍ଷିତ କାର୍ଯ୍ୟାଳୟ ଯେ କୌଣସି ବିପଦକୁ ହାତଠାରୀ ଡାକୁଥିବାବେଳେ ସମିତି କର୍ମଚାରୀ ମାନେ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି । ସମିତି କର୍ମଚାରୀଙ୍କ ପାଇଁ ସାମାନ୍ୟ ସୁବିଧା ନ ଥିବା ବେଳେ ସେଠାକୁ ଆସୁଥିବା ଚାଷୀ ମାନଙ୍କ ସୁବିଧା ଅସୁବିଧା କିଏ ପଚାରେ । ପୁରୁଣା ପଞ୍ଚାୟତ କାର୍ଯ୍ୟାଳୟ ପରିସରକୁ ଲାଗି ଚାଲିଥିବା ଏହି ଲ୍ୟାମ୍ପସ କାର୍ଯ୍ୟାଳୟକୁ ଲାଗି ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ନୂତନ ଭବନ ନିର୍ମାଣ ହୋଇଥିବା ବେଳେ ଲ୍ୟାମ୍ପସ କାର୍ଯ୍ୟାଳୟ ର ପରିସର ସଙ୍କୁଚିତ ହୋଇପଡିଛି । ସ୍ଥାନ ଅଭାବରୁ ସାର, ବିହନ , ବିକିବା ପାଇଁ ଧାନ ନେବା ଆଣିବା କରିବା ସହ ମୁଣ୍ଡ ଗୁଞ୍ଜି ଠିଆ ହେବା ପାଇଁ ଚାଷୀ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ବିଭିନ୍ନ ସମୟରେ ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ଚାଷୀଙ୍କ ସୁବିଧା ପାଇଁ ଲ୍ୟାମ୍ପସ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଦାବୀ ହେଉଛି।
---------------
ହିନ୍ଦୁସ୍ଥାନ ସମାଚାର / Trinath Mahanta